ଭାରତୀୟ ଯବାନ ଖୋଲିଲେ ରହସ୍ୟ: ଆତଙ୍କବାଦୀଙ୍କ ଲାଗି ପାହାଡ଼ ଉପରୁ ଅସ୍ତ୍ରଶସ୍ତ୍ର ଫିଙ୍ଗୁଛି ପାକ୍ ସେନା

କାଶ୍ମୀର : ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଓ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ ହେବାରେ ଲାଗିଥିବାରୁ ଚିନ୍ତାରେ ପାକ୍ ସେନା । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ଓ କିଛି ଫେରାର ହୋଇ ଯାଇଛନ୍ତି । ଆଉ ଯେଉଁ କିଛି ଅଳ୍ପ ଆତଙ୍କବାଦୀ ଅଛନ୍ତି ସେମାନଙ୍କୁ ଅସ୍ତ୍ରଶସ୍ତ୍ର ମିଳୁନାହିଁ । ତେଣୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନିମନ୍ତେ ଅନ୍ୟବାଟ ନ ପାଇ ପାକ୍ ସେନା ପାହାଡ଼ ଉପରୁ ବନ୍ଧୁକ, ଗୁଳି ଓ ବିସ୍ଫୋରକ ପାହାଡ଼ ତଳେ ଗଦା କରିବା ଯୋଜନାରେ ଅଛନ୍ତି ।

ନିକଟରେ ସୁରକ୍ଷା କର୍ମୀମାନେ ଭାରତ-ପାକ ନିୟନ୍ତ୍ରଣ ରେଖା ନିକଟରେ ବିପୁଳ ପରିମାଣର ହତିହାର ଓ ଗୋଳାବାରୁଦ ଜବତ କରିବା ପରେ ଏହାର ରହସ୍ୟ ଖୋଲୁଛି । ଏଥିରୁ ଏବେ ବି ଅନୁପ୍ରବେଶ ପାଇଁ ପାକିସ୍ଥାନ ଉଦ୍ୟମ ଚଳାଇଛି ବୋଲି ପ୍ରମାଣିତ ହୋଇଛି । ପାକ୍ ସେନା ଓ ପାକ୍ ଆତଙ୍କୀ ସଙ୍ଗଠନ ସୀମାନ୍ତରେ ହତିଆର ଲୁଚାଇ ରଖୁଛନ୍ତି ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସମର୍ଥମାନେ ଗୋପନରେ ଏହାକୁ ନେଇ ସେମାନଙ୍କ ପାଖରେ ପହଞ୍ଚାଉଥିବା ସୂଚନା ମିଳିଛି । ଏହାପରେ ସୀମାନ୍ତବର୍ତୀ ଅଞ୍ଚଳର ଅଧିବାସୀମାନଙ୍କ ଉପରେ ନଜର କଡ଼ା କରାଯାଇଛି । ଆତଙ୍କବାଦୀଙ୍କ ଏହି ସ୍ଲିପର ସେଲ୍ ସାଧାରଣ ଲୋକ ବା ମେଣ୍ଢା ଚରାଳି ବେଶରେ ଯାଇ ବି ଅସ୍ତ୍ରଶସ୍ତ୍ର ଆଣିବାର ସମ୍ଭାବନା ରହିଛି ବୋଲି ସେନା ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
ବରମୂଳା ଏସଏସପି ଅବଦୁଲ କୟୁମଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଦେଢ଼ ବର୍ଷ ମଧ୍ୟରେ ଅନୁପ୍ରବେଶର ଗୋଟିଏ ବି ପ୍ରୟାସକୁ ସଫଳ ହେବାକୁ ଦିଆଯାଇନାହିଁ । ତେଣୁ ଦେଶରେ ଲୁଚିଥିବା ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି । ଏହାକୁ ଦୂର କରିବା ନିମନ୍ତେ ଡ଼୍ରୋନ୍ ଓ ସ୍ଥାନୀୟ ସହଯୋଗୀମାନଙ୍କ ଜରିଆରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାକୁ ପାକିସ୍ଥାନ ଉଦ୍ୟମ ଚଳାଇଛି । ପୂର୍ବରୁ ଡ଼୍ରୋନ ଯୋଗେ ଅସ୍ତ୍ରଶସ୍ତ୍ର ପଠାଯାଉଥିବା ବେଳେ ୨ଥର ଏହାକୁ ସେନାବାହିନୀର ଯବାନମାନେ ଧରିବା ସହ ନଷ୍ଟ କରିଦେଇଥିଲେ । ଏହା ସତ୍ବେ ଜାମ୍ମୁର ପୁଞ୍ଚ ଓ ରାଜୌରୀ ଅଞ୍ଚଳ ଦେଇ ଏବେ ବି ଅସ୍ତ୍ରଶସ୍ତ୍ର ପଠାଇବାକୁ ପାକିସ୍ଥାନ ଉଦ୍ୟମ କରୁଛି । ସେହିପରି ୨ ଦିନ ତଳେ କୁଲଗାମର ଜବାହର ଟନେଲ ନିକଟରୁ ଠାବ ହୋଇଥିବା ଏକ ଟ୍ରକରୁ ବିପୁଳ ଅସ୍ତ୍ର ମିଳିଛି ବୋଲି ଡ଼ିଆଇଜି ଅତୁଲ ଗୋଏଲ ସୂଚନା ଦେଇଛନ୍ତି । ଆତଙ୍କବାଦୀ ସଙ୍ଗଠନରେ ନୂତନ ଭାବରେ ସାମିଲ ହୋଇଥିବା ଆତଙ୍କୀଙ୍କ ପାଇଁ ଏହି ଅସ୍ତ୍ରଶସ୍ତ୍ର ପଠାଯାଇଥିବା ସେ ଅନୁମାନ କରିଛନ୍ତି ।

Comments are closed.