ପାକିସ୍ତାନର ପ୍ରଥମ କିନ୍ନର ବିଦ୍ୟାଳୟ

0

ଇସ୍‌ଲାମାବାଦ୍‌ : କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏ ଦିଗରେ ପାକିସ୍ତାନ ଭଳି ଏକ ରକ୍ଷଣଶୀଳ ଦେଶ ମଧ୍ୟ ଆଗେଇ ଆସିଛି। ନିକଟରେ ଦେଶର ପ୍ରଥମ କିନ୍ନର ଉପସ୍ଥାପକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବେ କିନ୍ନରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଥମ ବିଦ୍ୟାଳୟ ନିର୍ମାଣ କରି ପାକିସ୍ତାନ ଚର୍ଚ୍ଚାକୁ ଆସିଛି। ‘ଦି ଜେଣ୍ଡର ଗାର୍ଡିଆନ୍‌’ ନାମକ ଏହି ବିଦ୍ୟାଳୟ ଏପ୍ରିଲ ୧୫ରେ ଉଦ୍‌ଘାଟିତ ହେବ। ଏଠାରେ ପ୍ରଥମରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯିବ। ମହାବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଆରମ୍ଭ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି। ଏହି ବିଦ୍ୟାଳୟ ପାକିସ୍ତାନର କିନ୍ନର ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିବ ବୋଲି କୁହାଯାଉଛି। ଏହି ବିଦ୍ୟାଳୟରେ ନିୟମିତ ବିଷୟ ସହିତ କେଶବିନ୍ୟାସ, ଫ୍ୟାଶନ ଡିଜାଇନିଂ, ମୋବାଇଲ୍‌ ମରାମତି ଏବଂ ଗ୍ରାଫିକ୍‌ ଡିଜାଇନିଂ ଭଳି ବୈଷୟିକ ଶିକ୍ଷା ପ୍ରଦାନ କରାଯିବ। ଯାହାଦ୍ୱାରା କିନ୍ନରମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ଲାହୋରଠାରେ ଏହି ବିଦ୍ୟାଳୟର ପ୍ରଥମ ଶାଖା ଉଦ୍‌ଘାଟିତ ହେବାକୁ ଯାଉଥିବା ବେଳେ ଏଠାରେ ୪୦ ଜଣ ଶିକ୍ଷାର୍ଥୀ ନାମ ଲେଖାଇ ସାରିଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟର ଆଉ ଦୁଇଟି ଶାଖା ପ୍ରତିଷ୍ଠା କରାଯିବ ବୋଲି ଏହାର ପ୍ରତିଷ୍ଠାତା ଆସିଫ୍‌ ଶାହଜାଦ କହିଛନ୍ତି। ଅନେକ କ୍ଷେତ୍ରରେ ସାମାଜିକ ତାଡନାର ଶିକାର ହେବା ଭୟରେ କିନ୍ନରମାନେ ଗୋପନରେ ଜୀବନ ଅତିବାହିତ କରୁଥିବା ଲକ୍ଷ୍ୟ କରାଯାଇଥାଏ; କିନ୍ତୁ ଏଭଳି ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା କିନ୍ନର ସମାଜ ସଦସ୍ୟ ମଧ୍ୟ ଶିକ୍ଷାଲାଭ କରିପାରିବେ ।

Leave A Reply