ବିଚଳିତ ପାକିସ୍ଥାନର ଯୁଦ୍ଧ ଧମକ: ୫ ରାଫେଲ ଆସୁ କି ୫୦୦, ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ହାସଲ କରିବା ପରେ ଭାରତୀୟ ବାୟୁସେନାର ଶକ୍ତି ବଢ଼ିଛି । ଏହାକୁ ନେଇ ବିଚଳିତ ହୋଇଛି ପାକିସ୍ଥାନ । ଏପରିକି ନିଜ ଭୟକୁ ଲୁଚାଇବା ନିମନ୍ତେ ପାକିସ୍ଥାନ ଫୁଟାଣି ମାରିବା ଆରମ୍ଭ କରିଛି । ଦେଶର ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପାକିସ୍ଥାନୀ ସେନାର ମୁଖପାତ୍ର ଜେନେରୋଲ ବାବର ଇଫତିଖାର ଭାରତର ବର୍ଧିତ ପ୍ରତିରକ୍ଷା ବ୍ୟୟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଭାରତର ପ୍ରତିରକ୍ଷା ବଜେଟକୁ ନେଇ ଆମେ ଚିନ୍ତିତ, ତଥାପି ଆମେ ପ୍ରସ୍ତୁତ ବୋଲି କହିଛନ୍ତି । କେବଳ ସେତିକି ନୁହେଁ, ରାଫେଲ ପ୍ରସଂଗ ଉଲ୍ଲେଖ କରି ଜେନେରାଲ ବାବର କହିଛନ୍ତି ଯେ ୫ ରାଫେଲ ଆସୁ କି ୫୦୦, ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ନିମନ୍ତେ ଆମେ ପ୍ରସ୍ତୁତ ହୋଇ ରହିଛୁ । ବର୍ତମାନ ଯୁଦ୍ଧ ହେଲେ ବି ଆମେ ଏଥିପାଇଁ ପ୍ରସ୍ତୁତ ବୋଲି ଜେନେରାଲ ବାବର କହିଛନ୍ତି ।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭାରତର ପ୍ରତିରକ୍ଷା ବ୍ୟୟ ସବୁଠାରୁ ଅଧିକ ଓ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରିବାରେ ଭାରତ ଲାଗିପଡ଼ିଛି । ଫ୍ରାନ୍ସରୁ ଅଣାଯାଇଥିବା ରାଫେଲ ବିମାନ ପରେ ଭାରତ ନିଜ ସୁରକ୍ଷା ବଢ଼ାଉଛି । ଭାରତ ୫ ରାଫେଲ କିଣୁ କି ୫୦୦ ଆଣୁ ଆମ ଦେଶ ପାଇଁ କିଛି ଫରକ ପଡ଼ିବ ନାହିଁ । ଭାରତର ସବୁ ପ୍ରଶ୍ନର ଉତ୍ତର ଆମ ପାଖରେ ଅଛି । ଆମେ ପ୍ରଥମରୁ ଏ କଥା କହିଛୁ ଯେ ଭାରତ ନିଜ ସେନା କ୍ଷମତା ବଢ଼ାଉଛି, ରାଫେଲ ପାଇଁ ଆମେ ଯେତେ ଚିନ୍ତିତ ନୁହେଁ, ସେ ଦେଶର ସେନା ବ୍ୟୟ ବୃଦ୍ଧି ଆମକୁ ସେତିକି ଚିନ୍ତିତ କରିଛି । ଆନ୍ତର୍ଜାତିକ ସମୁଦାୟ ଏହାଉପରେ ଧ୍ୟାନ ଦେବା ଉଚିତ୍ ବେଲି ସେ କହିଛନ୍ତି । 

Comments are closed.