ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ବ୍ୟଗ୍ର, ମଧ୍ୟସ୍ଥ ହେବାକୁ ମନା କଲା ଆମେରିକା

0

ଇସ୍‍ଲାମାବାଦ : ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିବାକୁ ବ୍ୟଗ୍ର ପାକିସ୍ତାନ ଏ ଦିଗରେ ଆମେରିକାର ସହଯୋଗ ଲୋଡି ପୁନଃ ବିଫଳ ହୋଇଛି। ୱାଶିଂଟନ୍‍ଠାରେ ଆମେରିକା ବୈଦେଶିକ ସଚିବ ମାଇକ୍‍ ପମ୍ପିଓ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଜନ୍‍ ବୋଲଟୋନଙ୍କୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ; ମାତ୍ର ଆମେରିକା କ’ଣ ପାଇଁ ଭାରତ-ପାକ୍‍ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ହସ୍ତକ୍ଷେପ କରିବ ବୋଲି ଉଭୟ ଆମେରିକୀୟ ନେତା କ୍ୟୁରେସୀଙ୍କୁ ପ୍ରଶ୍ନ କରିଥିଲେ।
କ୍ୟୁରେସୀ କହିଥିଲେ, ପାକିସ୍ତାନ ଏହାର ପଶ୍ଚିମାଞ୍ଚଳ ଉପରେ ବିଶେଷ ଦୃଷ୍ଟି ଦେବାକୁ ଚାହୁଁଛି। ପୂର୍ବାଞ୍ଚଳରେ ଭାରତ ସୀମାରେ ସୁସ୍ଥ ପରିବେଶ ନ ଥିବା ହେତୁ ପାକିସ୍ତାନ ସେଠାରେ ଦୃଷ୍ଟି ଦେବାକୁ ବାଧ୍ୟ ହେଉଛି ଏବଂ ପଶ୍ଚିମାଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେଇପାରୁ ନାହିଁ। ଅନ୍ୟପଟେ ଭାରତ ମଧ୍ୟ ଆଲୋଚନା ପାଇଁ ଆଦୌ ପ୍ରସ୍ତୁତ ନାହିଁ। ଆଲୋଚନା ବନ୍ଦ ହେତୁ ସୀମାନ୍ତରେ ହିଂସାକାଣ୍ଡ ଲାଗିରହୁଛି ଏବଂ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେଉ ନାହିଁ। ଏଭଳି ପରିସ୍ଥିତି ଲାଗି ରହିଲେ ଦକ୍ଷିଣ ଏସିଆ ରାଷ୍ଟ୍ର ଦ୍ୱୟ ମଧ୍ୟରେ ସମସ୍ୟା ଲାଗି ରହିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି। ଏଣୁ ଉଭୟ ରାଷ୍ଟ୍ର ମଧ୍ୟରେ ଆମେରିକା ଚାହିଁଲେ ହିଁ ଦ୍ୱିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରାଇପାରିବ ବୋଲି କ୍ୟୁରେସୀ ଉତ୍ତର ଦେଇଥିଲେ।
କ୍ୟୁରେସୀଙ୍କ ଏହି ଯୁକ୍ତି ଶୁଣିବା ପରେ ଆମେରିକା କୌଣସି ସହଯୋଗ କରିବାକୁ ମନା କହିଦେଇଛି। ଦୁଇ ଦେଶ ପରସ୍ପର ସମାଧାନର ବାଟ ଖୋଜିବାକୁ ଆମେରିକା କହିଛି। ଅପରପକ୍ଷରେ ଭାରତ-ପାକ୍‍ ସମ୍ପର୍କରେ ତୃତୀୟ ପକ୍ଷରୁ ମଧ୍ୟସ୍ଥତାକୁ ଭାରତ ସବୁବେଳେ ବିରୋଧ କରିଆସୁଥିବାବେଳେ ପାକିସ୍ତାନ ବାରମ୍ବାର ତୃତୀୟ ପକ୍ଷ ମଧ୍ୟସ୍ଥ ମାଧ୍ୟମରେ କାଶ୍ମୀର ସମେତ ଦ୍ୱିପାକ୍ଷିକ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିଆସୁଛି।
ଅପରପକ୍ଷରେ ଭାରତ ଆଲୋଚନା ପାଇଁ ରାଜି ନହେଲେ ଶିଖ୍‍ ତୀର୍ଥଯାତ୍ରୀଙ୍କ ପାଇଁ କରତାର୍‍ପୁର କରିଡର ଖୋଲାଯିବ ନାହିଁ ବୋଲି ଧମକ ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ। ପଡ଼ୋଶୀ ସହିତ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିବ। ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଆଲୋଚନା ହିଁ ଏକମାତ୍ର ବିକଳ୍ପ; ଆଲୋଚନା ନହେଲେ କୌଣସି କଥା ଆଗେଇପାରିବ ନାହିଁ। ଏମିତିକି କରତାରପୁର ସୀମା ଖୋଲିବା ପ୍ରସ୍ତାବ ଫାଇଲ ତଳେ ରଖିଦିଆଯିବ ବୋଲି ଫୈଜଲ କହିଛନ୍ତି।

Leave A Reply