ଖାଇବାକୁ ଅର୍ଥ ନାହିଁ କିନ୍ତୁ ଗୁପ୍ତରେ ବୁଡ଼ାଜାହାଜ ତିଆରି କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଦେଶରେ ଖାଇବାକୁ ଅର୍ଥ ନାହିଁ; କିନ୍ତୁ ଚୀନ୍‌ ସହାୟତାରେ ବୁଡ଼ାଜାହାଜ ନିର୍ମାଣ କରୁଛି ପାକିସ୍ତାନ। ଏହି ଗୋପନୀୟ ପ୍ରକଳ୍ପର କାର୍ଯ୍ୟାନ୍ବୟନ ଉପଗ୍ରହ ଚିତ୍ରରୁ ଧରାପଡ଼ିଛି। ଏହା ମାଧ୍ୟମରେ ପାକିସ୍ତାନ ଭାରତ ମହାସାଗରରେ ସ୍ବତନ୍ତ୍ର ବାହିନୀ ମୁତୟନ ଯୋଜନା କରିଥିବା ସୂଚନା ମିଳିଛି। ବୁଡ଼ାଜାହାଜର ଆକାର ଓ ଅବସ୍ଥିତିରୁ ଏହା ସ୍ପଷ୍ଟ ହୋଇଛି। ପ୍ରାୟ ୫୫ଫୁଟ ଲମ୍ବ ତଥା ୧୦ଫୁଟ ପ୍ରସ୍ତ ବିଶିଷ୍ଟ ଏହି ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହଜ ‘ମିଡ୍‌ଗେଟ୍‌ ସବ୍‌ମେରାଇନ୍‌’ ବା ‘ଏକ୍ସ-କ୍ରାଫ୍ଟ’ ଶ୍ରେଣୀର ଏବଂ ଏଥିରେ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ରହିପାରିବେ। ଏହି ବୁଡ଼ାଜାହାଜ ପାକିସ୍ତାନ ନୌବାହିନୀର ସ୍ବତନ୍ତ୍ର ତାଲିମପ୍ରାପ୍ତ ସେନା ‘ଏସ୍‌ଏସ୍‌ଜି(ଏନ୍‌)’ ଦ୍ବାରା ଓ ସ୍ବତନ୍ତ୍ର ଅଭିଯାନ ପାଇଁ ବ୍ୟବହାର କରାଯିବ।

ଏହାର ପରିଚାଳନା କ୍ଷେତ୍ରରେ ଚୀନ୍‌ର ସହଯୋଗ ରହିବ। ସମ୍ପ୍ରତି କରାଚୀ ବନ୍ଦର ନିକଟସ୍ଥ ଏକ ଗୋପନୀୟ ସ୍ଥାନରେ ଏହାର ନିର୍ମାଣ ଜାରି ରହିଛି ଓ ଏହାକୁ ତାର୍ପୋଲିନ୍‌ ଦ୍ବାରା ଘୋଡ଼ାଇ ରଖାଯାଇଛି। କୌଣସି କାରଣରୁ ତାର୍ପୋଲିନ୍‌ ହଟାଯିବା ଫଳରେ ସବୁକଥା ଧରାପଡ଼ିଯାଇଛି। ପୂର୍ବରୁ ତୁର୍କୀ ସହିତ ଯଦିଓ ପାକିସ୍ତାନ ସରକାର ତିନିଟି ଅଗୁସ୍ତା ୯୦-ବି ଡିଜେଲ ତଥା ବିଦ୍ୟୁତ୍‌ଚାଳିତ ବୁଡ଼ାଜାହାଜର ବିକାଶ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ; ତଥାପି ଚୀନ୍‌ ସହିତ ଅତ୍ୟାଧୁନିକ ବୁଡ଼ାଜାହାଜ ନିର୍ମାଣ ଯୋଜନା ଚଳାଇଛନ୍ତି। ଏହି ନୂଆ ପ୍ରକଳ୍ପରେ ଦୁଇଟି ‘ଟର୍ପେଡୋ ଟ୍ୟୁବ୍‌’ ବ୍ୟବହାର କରାଯାଉଛି। ଏହାଦ୍ବାରା ଭାରତ ମହାସାଗରରେ ବିପକ୍ଷ ଶକ୍ତିର ଏହା ସଫଳ ମୁକାବିଲା କରିପାରିବ।

ସୂଚନାନୁଯାୟୀ, ପାକିସ୍ତାନ ସରକାର ଚୀନ୍‌ ସହିତ ୪ଟି ଅତ୍ୟାଧୁନିକ ଫ୍ରିଗେଟ୍‌ ଓ ୮ଟି ବୁଡ଼ାଜାହାଜ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ବୁଡ଼ାଜାହାଜଗୁଡ଼ିକ ଚୀନ୍‌ର ‘୦୩୯ଏ ୟୁଆନ୍‌’ ଶ୍ରେଣୀର ହେବ। ୨୦୨୩ ସୁଦ୍ଧା ଏଥିରୁ ପ୍ରଥମଟି ପାକିସ୍ତାନକୁ ମିଳିବ। ଏହର ଭାରତର ‘ସ୍କର୍ପିଅନ୍‌’ ବୁଡ଼ାଜାହାଜ ଶ୍ରେଣୀର; କିନ୍ତୁ ସ୍କର୍ପିଅନ୍‌ରେ ନ ଥିବା ଏଆଇପି ବ୍ୟବସ୍ଥା ଚୀନ୍‌ ବୁଡ଼ାଜାହାଜରେ ରହିଥିବା ଜଣାପଡ଼ିଛି। ଭାରତୀୟ ନୌବାହିନୀ ଏଥିପ୍ରତି ସଚେତନ ଓ ଯଥେଷ୍ଟ ସତର୍କ ଥିବା ଏହାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Comments are closed.