ଇମ୍ରାନ୍‍ ସରକାରରେ ମଧ୍ୟ କାଶ୍ମୀର ପ୍ରସଙ୍ଗ

0

ନୂଆଦିଲ୍ଲୀ: ପାକିସ୍ତାନରେ ସରକାର ବଦଳିବା ସହ ତା’ର ପ୍ରକୃତିରେ ପରିବର୍ତ୍ତନ ହେବ ଏଭଳି ଆଶା କରାଯାଉ ଥିଲା। ତେବେ କିଛି ଦିନ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଗଣମାଧ୍ୟମରେ ବୟାନବାଜୀକୁ ତର୍ଜମା କଲେ ପାକିସ୍ତାନର ରାଜନୈତିକ ସ୍ଥିତି “ଯଥା ପୂର୍ବଂ, ତଥା ପରଂ’ ସଦୃଶ୍ୟ ପରିଲକ୍ଷିତ ହେଉଛି। ଇମରାନ ସରକାର ଗଠନର ଦୁଇ ଦିନ ନହେଉଣୁ ଭାରତକୁ ନାଲି ଆଖି ଦେଖାଇବା ଆରମ୍ଭ କରି ଦେଇଛନ୍ତି।
ସୋମବାର ୨୧ସଦସ୍ୟ ବିଶିଷ୍ଟ ଇମ୍ରାନ୍‍ଙ୍କ କ୍ୟାବିନେଟର ୧୬ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଏଥିରେ ବୈଦେଶିକ ମନ୍ତ୍ରୀ ଭାବେ ଶାହ ମହସୁଦ୍‍ କୁରେଶୀଙ୍କୁ ଦାୟିତ୍ୱ ମିଳିଛି। ପଦ ମିଳିବାର ମାତ୍ର କିଛି ସମୟ ମଧ୍ୟରେ କୁରେଶୀ ଭାରତ ବିରୋଧରେ ଅପପ୍ରଚାର ଆରମ୍ଭ କରିବା ସହ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧୀ ମନ୍ତବ୍ୟ ଦେବାକୁ ପଶ୍ଚାତପଦ ହୋଇ ନାହାନ୍ତି। “ଡନ’ ଖବରକାଗଜକୁ ମହସୁଦ ଦେଇଥିବା ଏକ ସାକ୍ଷାତକାରକୁ ତର୍ଜମା କଲେ ପାକିସ୍ତାନ ଆଗାମୀ ଦିନରେ କାଶ୍ମୀର ପ୍ରସଙ୍ଗକୁ ପୁନରାବୃତ୍ତି କରିବା ସହ ଭାରତ ଓ ପାକିସ୍ତାନର ସାମରିକ ଶକ୍ତିକୁ ଚ୍ୟାଲେଞ୍ଜ ଦେଇପାରେ ବୋଲି କୁହାଯାଉଛି।
ଏକ ନୂଆ ପାକିସ୍ତାନ ନିର୍ମାଣର ସ୍ୱପ୍ନ ନେଇ ଇମ୍ରାନ୍‍ ସରକାର ଲୋକପ୍ରିୟତା ହାସଲ କରିଛନ୍ତି। ଇମ୍ରାନ୍‍ ଯେଉଁ ସମୟରେ ପାକିସ୍ତାନର ଦାୟିତ୍ୱ ନେଇଛନ୍ତି ସେ ସମୟରେ ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ପାକିସ୍ତାନ ବେଶ ଦୁର୍ବଳ ହୋଇ ପଡ଼ିଛି। ଏଭଳି ପରିସ୍ଥିତିରେ ବାସ୍ତବରେ ଯଦି ପାକିସ୍ତାନ ନିଜ ଅର୍ଥନୀତିକୁ ସୁଧାରିବା ପରିବର୍ତ୍ତେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକ୍‍ବାସୀଙ୍କୁ ଭାବପ୍ରବଣ କରିବାକୁ ଉଦ୍ୟମ କରନ୍ତି ତେବେ ଭାରତ ଓ ପାକିସ୍ତାନ ସମ୍ପର୍କ ଅଧିକ ତିକ୍ତ ହେବ। ଏଭଳି ରଣନୀତି ଆଗାମୀ ଦିନରେ ପାକିସ୍ତାନର ଅର୍ଥନୀତିକୁ ଅଧିକରୁ ଅଧିକ ଦୁର୍ବଳ କରିବ।

Leave A Reply