ଇମ୍ରାନଙ୍କୁ ରାୱତ୍‍ଙ୍କ କଡ଼ା ଜବାବ: ଭାରତ ସହିତ ରହିବାକୁ ହେଲେ ଧର୍ମନିରପେକ୍ଷ ହୁଅ

0

ନୂଆଦିଲ୍ଲୀ : ଭାରତ ସହିତ ସୁସମ୍ପର୍କ ସ୍ଥାପନ ପୂର୍ବକ ଏକତ୍ର ରହିବାକୁ ହେଲେ ପାକିସ୍ତାନକୁ ପ୍ରଥମେ ଧର୍ମନିରପେକ୍ଷ ହେବାକୁ ପଡିବ ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍‍ ରାୱତ କହିଛନ୍ତି। ଯଦି ଫ୍ରାନ୍ସ ଓ ଜର୍ମାନୀ ଏକାଠି ରହିପାରୁଛନ୍ତି ତା’ହେଲେ ଭାରତ-ପାକିସ୍ତାନ କାହିଁକି ନୁହେଁ ବୋଲି ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ସ୍ୱରୂପ ରାୱତ୍‍ ଏହା କହିଛନ୍ତି। ଶୁକ୍ରବାର ପୁଣେସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀର ପାସିଂଆଉଟ ପ୍ୟାରେଡ ଅବସରରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି ପାକିସ୍ତାନ ନିଜକୁ ଏକ ଇସ୍‍ଲାମ ରାଷ୍ଟ୍ରରେ ପରିଣତ କରିଛି; କିନ୍ତୁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଭଳି ସ୍ଥିତିରେ ଦୁଇ ଦେଶ କିପରି ଏକାଠି ରହିପାରିବେ। ବନ୍ଧୁତ୍ୱ ଦିଗରେ ଭାରତ ଗୋଟିଏ ପଦକ୍ଷେପ ଗ୍ରହଣ କଲେ ପାକିସ୍ତାନ ଦୁଇଟି ପଦକ୍ଷେପ ନେବ ବୋଲି ଇମ୍ରାନ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖି ସେ କହିଛନ୍ତି ଭାରତ ଅନେକ ଥର ପ୍ରଥମ ପଦକ୍ଷେପ ଗ୍ରହଣ କରିଛି। ପାକିସ୍ତାନ ଅତିକମରେ ଗୋଟିଏ ପଦକ୍ଷେପ ଗ୍ରହଣ କରି ଦେଖାଇବା ଉଚିତ। ପାକିସ୍ତାନରେ ଆତଙ୍କବାଦର ବିକାଶ ହେଉଛି। ଆତଙ୍କବାଦ ବିରୋଧରେ ପାକିସ୍ତାନ କିଛି ପଦକ୍ଷେପ ଗ୍ରହଣ କରି ଦେଖାଉ ବୋଲି ରାୱତ୍‍ ଆହ୍ୱାନ ଦେଇଛନ୍ତି। ଉଲ୍ଲେଖ ଯେ ବୁଧବାର କରତାରପୁର କରିଡରୁ ଭିତ୍ତି ପ୍ରସ୍ତର ସ୍ଥାପନ କରି ଇମ୍ରାନ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ।

Leave A Reply