ଆଫଗାନିସ୍ତାନକୁ ପରାସ୍ତ କରି ସେମି ଫାଇନାଲର ଦ୍ବାରରେ ପାକିସ୍ତାନ

ଦୁବାଇ : ୟୁଏଇରେ ଚାଲିଥିବା ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପରେ ପାକିସ୍ତାନ କ୍ରମାଗତ ତୃତୀୟ ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି। ଶୁକ୍ରବାର ଦୁବାଇରେ ଖେଳାଯାଇଥିବା ଗ୍ରୁପ-ବି ର ମ୍ୟାଚରେ ଅଧିନାୟକ ବାବର ଆଜାମଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତା ପ୍ରଥମେ ବ୍ୟାଟିଂ କରି ମହମ୍ମଦ ନବି ଓ ଗୁଲ୍ଲାଉଦ୍ଦିନ ନଇବ୍‌ଙ୍କ ଧୌର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ରନ କରିଥିଲା । ୧୪୮ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୯ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା। ପାକିସ୍ତାନ ୩ଟି ମ୍ୟାଚରୁ ୩ଟି ବିଜୟ ସହ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଥିବାବେଳେ ଆଫଗାନିସ୍ତାନ ଦୁଇଟି ମ୍ୟାଚ ଖେଳି ପ୍ରଥମ ପରାଜୟ ବରଣ କରିଛି।
ପାକିସ୍ତାନ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୨ରନ ସ୍କୋର ଥିବାବେଳେ ଓପନର ମହମ୍ମଦ ରିଜ୍‌ୱାନ ୮ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଅଧିନାୟକ ବାବର ଆଜାମ ଓ ଫକର ଜମାନ ୬୩ରନ ଯୋଡ଼ିଥିଲେ। ଫକର ୩୦ରନ କରି ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ ୱିକେଟ ପଡ଼ି ଚାଲିଥିବାବେଳେ ଅନ୍ୟପଟେ ବାବର ଦୃଢତାର ସହିତ ବ୍ୟାଟିଂ ଜାରି ରଖିଥିଲେ। ଦଳୀୟ ସ୍କୋର ୧୨୨ରନ ଥିବାବେଳେ ବାବର ୫୧ରନ କରି ଆଉଟ୍‌ ହୋଇଥିଲେ। ବାବରଙ୍କ ୱିକେଟ ପରେ ସୋଏବ ମଲ୍ଲିକ ୧୯ରନର ଇନିଂସ ଖେଳି ଦଳକୁ ବିଜୟ ପଥରେ ଅଗ୍ରସର କରାଇଥିଲେ। ପାକିସ୍ତାନକୁ ​ଶେଷ ୧୨ଟି ବଲରେ ୨୪ରନ ଆବଶ୍ୟକ ଥିବାବେଳେ ୧୯ ତମ ଓଭରରେ କରିମ୍‌ ଜାନାଟ୍‌ଙ୍କୁ ଆଶିଫ ଅଲ୍ଲୀ ୪ଟି ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଆଶିଫ ୭ଟି ବଲରୁ ୨୫ ରନ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ରସିଦ ଖାନ ୨ଟି ୱିକେଟ ନେଇଥିଲେ।

ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥ​ମେ‌ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦୁଇ ମ୍ୟାଚ ଭଳି ତୃତୀୟ ମ୍ୟାଚରେ ମଧ୍ୟ ପାକିସ୍ତାନ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ପ୍ରାରମ୍ଭରୁ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୱିକେଟ ପରେ ୱିକେଟ ହରାଇଥିଲା। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭୬ରନରେ ୬ଟି ୱିକେଟ ହରାଇଥିଲା। ହାଜରତଉଲ୍ଲା ଜାଜାଇ ଖାତା ଖୋଲିପାରିନଥିବାବେଳେ ମହମ୍ମଦ ସାହାଜାଦ୍‌ ୮, ରହେମୁଲ୍ଲା ଗୁରୁବାଜ୍‌ ୧୦, ଅସଗର ଆଫଗାନ୍ ୧୦, କରିମ୍‌ ଜାନେଟ୍‌ ୧୫, ନଜିବୁଲ୍ଲା ଜାର୍ଡାନ ୨୨ରନ କରି ଆଉଟ୍‌ ହୋଇଥିଲେ।‌ ସପ୍ତମ ୱିକେଟରେ ଅଧିନାୟକ ମହମ୍ମଦ ନବି ଓ ଗୁଲ୍ଲାଉଦ୍ଦିନ ନଇବ୍‌ ଅବିଭାଜିତ ୭୧ରନ ଯୋଗ କରିଥିଲେ। ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ରନ କରିବାକୁ ସକ୍ଷମ ହୋଇଥିଲା । ନବି ୩୨ଟି ବଲରୁ ୫ଟି ଚୌକା ସହାୟତାରେ ୩୫ ଓ ନଇବ୍‌ ୨୫ଟି ବଲରୁ ୪ଟି ଚୌକା ସହାୟତାରେ ୩୫ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ଇମାଦ୍‌ ୱାସିମ୍‌ ୨ଟି, ହାରିସ ରୈଫ, ସେହେନ ସାହା ଆଫ୍ରିଦି, ହାସଲ ଅଲ୍ଲୀ ଓ ସାଦବ ଖାନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comments are closed.