ପାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା : ୯୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଆଶଙ୍କା

କରାଚି : ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୯୮ ଜଣ ଯାତ୍ରୀ ଥିଲେ। ଲାହୋରରୁ କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ଇଣ୍ଟର ନେସନାଲ ଏୟାରଲାଇନସର ପିକେ-୩୦୩ ବିମାନଟି କରାଚି ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବିମାନରେ ୯୮ଜଣ (୮୮ଯାତ୍ରୀ ଏବଂ ୧୦ ଜଣ କ୍ରୁ ମେମ୍ବର) ଥିଲେ ।

ତେବେ ମୃତାହତ ସଂପର୍କରେ କୌଣସି ସଠିକ୍ ତଥ୍ୟ ମିଳି ପାରିନାହିଁ । ବିମାନଟି ଦୁର୍ଘଟଣାଗ୍ରସ୍ତ ପରେ ସମଗ୍ର ଜନବସତି ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା।

ରିପୋର୍ଟ ଅନୁଯାୟୀ, ଲାହୋରରୁ ଯାତ୍ରା କରୁଥିବା ବିମାନଟି ମଡେଲ କଲୋନୀ ନିକଟବର୍ତ୍ତୀ ମଲିରର ଏକ ଜନବସତି ଅଞ୍ଚଳରେ ଖସିପଡିଥିଲା । ତେବେ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଏକ ମିନିଟ ପୂର୍ବରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ଏହି ଅଞ୍ଚଳର ଅନେକ ଘର ନଷ୍ଟ ହୋଇଯାଇଛି ଏବଂ ବହୁ କ୍ଷୟକ୍ଷତି ହୋଇଛି । ଦୁର୍ଘଟଣା ପରେ କରାଚିର ସମସ୍ତ ପ୍ରମୁଖ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ସୁରକ୍ଷା ବାହିନୀ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ସେବା ଯୋଗାଣକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Comments are closed.