ଅଭ୍ୟାସ ମ୍ୟାଚ୍‌ରେ ପାକିସ୍ତାନ, ଇଣ୍ଡିଜ୍ ପରାସ୍ତ

ଆବୁଧାବି: ‌ବୁଧବାର ୨ଟି ଅଭ୍ୟାସ ମ୍ୟାଚ୍‌ରେ ଦୁଇ ପୂର୍ବତନ ଚମ୍ପିଆନ୍ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ପରାସ୍ତ ହୋଇଛନ୍ତି। ରାସି ଭାନ୍ ଡର ଡ୍ୟୁସେନ୍‌ଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନକୁ ୬ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଅନ୍ୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ସହଜରେ ୫୬ ରନ୍‌ରେ ଆଫ୍‌ଗାନିସ୍ତାନ ପରାସ୍ତ କରିଛି।

ପାକିସ୍ତାନକୁ ରୋମାଞ୍ଚକର ମ୍ୟାଚ୍‌ରେ ଅନ୍ତିମ ବଲ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଫଖର ଜମାନ୍‌ଙ୍କ ୫୨ ରନ୍‌ ବଳରେ ପାକିସ୍ତାନ ୬ ୱିକେଟରେ ୧୮୬ ରନ୍‌ କରିଥିଲା। ପରେ ରାସି ଭାନ୍ ଡର ଡ୍ୟୁସେନ୍‌ଙ୍କ ଅପରାଜିତ ଶତକ ବଳରେ ଶେଷ ବଲ୍‌ରେ ୪ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଫଖର ଜମାନ୍ ୨୮ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୫୨ ରନ୍‌କରି ରିଟାୟର୍ଡ ଆଉଟ୍‌ ହୋଇଥିଲେ। କାଗିସୋ ରାବାଡା ୨ଟି ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ୧୫ ରନ୍‌ରେ ୨ଟି ୱିକେଟ ହରାଇଥିଲା। ରାସି ଭାନ୍ ଡର ଡ୍ୟୁସେନ୍ ଓ ଅଧିନାୟକ ତେମ୍ବା ବାଭୁମା ୧୨ ଓଭରରେ ୧୦୭ ରନ୍‌ ଯୋଡ଼ିଥିଲେ। ବାଭୁମା ୪୨ ବ୍‌ଲରୁ ୪୬ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ଶେଷ ଓଭରରେ ୧୯ ରନ୍‌ ଆବଶ୍ୟକ କରୁଥିବା ବେଳେ ଏହି ଓଭରରେ ୨ଟି ଲେଖାଏଁ ଛକା ଓ ଚୌକା ହୋଇଥିଲା। ଭାନ୍ ଡର ଡ୍ୟୁସେନ୍ ୫୧ ବଲ୍‌ରୁ ୪ଟି ଛକା ଓ ୧୦ଟି ଚୌକା ସହ ୧୦୧ ରନ୍‌କରି ଅପରାଜିତ ଥିଲେ।

ଅନ୍ୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୫୬ ରନ୍‌ରେ ଆଫ୍‌ଗାନିସ୍ତାନ ପରାସ୍ତ କରିଛି। ଆଫଗାନିସ୍ତାନ ୫ ୱିକେଟରେ ୧୮୯ ରନ୍‌ କରିଥିଲା। ୱେଷ୍ଟଇଣ୍ଡିଜ୍‌ ୫ ୱିକେଟରେ ୧୩୩ ରନ୍‌ କରି ପାରିଥିଲା। ଆଫ୍‌ଗାନିସ୍ତାନର ହଜ୍ରତୁଲ୍ଲା ଜାଜାଇ ୩୫ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୫୮, ମହମ୍ମଦ ସେହ୍‌ଜାଦ ୩୫ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୪, ରହମତୁଲ୍ଲା ଗୁରବାଜ୍‌ ୨୬ ବଲ୍‌ରୁ ୩୩ ଓ ନଜିବୁଲ୍ଲା ଜାଦ୍ରାନ୍ ୧୯ ବଲ୍‌ରୁ ୨୩ ରନ୍‌ କରିଥିଲେ। ୱେଷ୍ଟଇଣ୍ଡିଜ୍‌ର ରୋଷ୍ଟନ୍ ଚେଜ୍ ୫୮ ବଲ୍‌ରୁ ୫୪ ରନ୍‌କରି ଅପରାଜିତ ଥିବା ବେଳେ ନିକୋଲାସ୍ ପୁରନ୍ ୨୬ ବଲ୍‌ରୁ ୩୫ ରନ୍‌ କରିଥିଲେ। ମହମ୍ମଦ ନବି ୩ଟି ୱିକେଟ ପାଇଥିଲେ।

Comments are closed.