ପାକିସ୍ତାନର ନୂଆ ‘ଅଧିନାୟକ’ ଇମ୍ରାନ

0

ନୂଆଦିଲ୍ଲୀ : ପାକିସ୍ତାନର ଏକାଦଶ ସାଧାରଣ ନିର୍ବାଚନରେ କ୍ରିକେଟ ଖେଳାଳିରୁ ରାଜନେତା ସାଜିଥିବା ଇମ୍ରାନ ଖାନଙ୍କ ଦଳ ତେହରିକ୍‍-ଇ-ଇନସାଫ (ପିଟିଆଇ) ଏକକ ସଂଖ୍ୟାଗରିଷ୍ଠ ଦଳ ବିବେଚିତ ହୋଇଛି। ୨୭୨ ଆସନ ବିଶିଷ୍ଟ ସଂସଦ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନାହିଁ। ତେବେ ଇମ୍ରାନଙ୍କ ଦଳ ପିଟିଆଇ ୧୧୯ ଆସନ ଜିତି ସରକାର ଗଢିବାକୁ ଯାଉଛି। ଅନ୍ୟାନ୍ୟ ଓ ସ୍ୱାଧୀନ ପ୍ରାର୍ଥୀ ୫୦ଟି ଆସନ ଜିତିଥିବାରୁ ସରକାର ଗଠନ ପାଇଁ ଇମ୍ରାନଙ୍କୁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବା ସହଜ ହୋଇଛି। ଅପରପକ୍ଷରେ ନୱାଜ ସରିଫଙ୍କ ପିଏମ୍‍ଏଲ-ଏନ୍‍ ୬୩ଟି ଓ ବିଲାୱାଲ ଭୁଟ୍ଟୋଙ୍କ ପିପିପି ୩୮ଟି ଆସନ ଜିତିଛନ୍ତି। କୌଣସି ଦଳକୁ ବହୁମତ ମିଳିନଥିବାରୁ ସରକାର ଗଠନରେ ଅନ୍ୟାନ୍ୟ ଓ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଏଥିରୁ କୁହାଯାଇଛି। ଉଲ୍ଲେଖ ଯେ ପାକିସ୍ତାନରେ ସରକାର ଗଠନ ପାଇଁ ୧୩୭ଟି ଆସନ ଆବଶ୍ୟକ। ଇମ୍ରାନଙ୍କ ଦଳ ୧୧୯ଟି ଆସନରେ ଜିତିଥିବାବେଳେ ଆଉ ମାତ୍ର ୧୮ଟି ସାଂସଦଙ୍କ ସମର୍ଥନ ଦରକାର। ସରକାର ଗଠନ କରିବା ସ୍ପଷ୍ଟ ହେବା ପରେ ପିଟିଆଇ ସମର୍ଥକ, ନେତାମାନେ ସଡ଼କକୁ ଓହ୍ଲାଇ ଆତସବାଜି ସହ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳୁଛି।
ସରକାର ଗଠନ ନିକଟତର ହେବା ପରେ ଇମ୍ରାନ ଖାନ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି କହିଥଛନ୍ତି ଯେ ଏବେ ଉପରବାଲା ପାକିସ୍ତାନ ପାଇଁ ମୋ ସ୍ୱପ୍ନ ପୂରଣ କରିବାକୁ ଏକ ସୁଯୋଗ ଦେଇଛି। ଦୀର୍ଘ ୨୨ ବର୍ଷ ଧରି ରାଜନୀତିରେ ମୋର ସଂଘର୍ଷ ଜାରି ରହିଥିଲା, ତାହା ସଫଳ ହୋଇଛି। ପାକିସ୍ତାନବାସୀ ଦେଶ ପାଇଁ ଅନେକ ବଳିଦାନ ଦେଇଛନ୍ତି। ହିଂସା ସତ୍ତ୍ବେ ଭୋଟଦେବାକୁ ବହୁ ସଂଖ୍ୟାରେ ଆସିଥିବା ବାଲୁଚିସ୍ତାନ ଲୋକଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଏଥିପାଇଁ ଆହ୍ଲାଙ୍କ ପାଖରେ କୃତଜ୍ଞ। ଗରିବ ଏବଂ ଶ୍ରିମକଙ୍କ ବିକାଶ ପାଇଁ ଆମେ ନୂଆ ନୀତି ଆଣିବୁ। ପ୍ରଶାସନିକ ବ୍ୟବସ୍ଥାକୁ ସୁଧାରିବୁ। ନିବେଶ ଏବଂ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦିଆଯିବ। ଆଇନଶୃଙ୍ଖଳା ଏବଂ ପ୍ରଶାସନ କ୍ଷେତ୍ରରେ ଆମେ ଏକ ଉଦାହରଣ ସୃଷ୍ଟି କରିବୁ। ଦୁର୍ନୀତି ଅର୍ଥରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିବା ମୋ ପାଁଇ ଲଜ୍ୟା ଜନକ ହେବ। ସମସ୍ତ ରାଜ୍ୟପାଳଙ୍କ ଘରକୁ ସର୍ବସାଧାରଣଙ୍କ ପାଇଁ ବ୍ୟବହାର କରାଯିବ। ପାକିସ୍ତାନର ନେତାମାନେ ଆଉ କରଦାତାଙ୍କ ଅର୍ଥରେ ବଞ୍ଚିବେ ନାହିଁ। ଆମ ସରକାର ପଡୋଶୀଙ୍କ ରାଷ୍ଟ୍ରଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ଚେଷ୍ଟା କରିବ ଓ ତିକ୍ତ ସମ୍ପର୍କ ସୁଧାରିବ। ଏହାପରେ ସେ ପଡୋଶୀ ଚୀନର ପ୍ରଶଂସା କରିଥିଲେ। ସିପିଇସି ପ୍ରକଳ୍ପ ଦ୍ୱାରା ଚୀନ ପାକିସ୍ତାନକୁ ଏକ ସୁଯୋଗ ପ୍ରଦାନ କରିଛି। ଚୀନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବୁ ବୋଲି ସେ କହିଥିଲେ। ସେହିପରି ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଓ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଏକ ମୁକ୍ତ ସୀମା ଆମେ ଚାହୁଁଛୁ। ଆମେରିକା ସହ ସାମରିକ ଲାଭଜନକ ସମ୍ପର୍କ ଚାହୁଁଛୁ। ପଡୋଶୀ ଭାରତ ଏବଂ ପାକିସ୍ତାନ ବନ୍ଧୁତ୍ୱ ବହୁ ଗୁରୁତ୍ୱପୂର୍ଣ୍ଣ। ଭାରତର ଗଣମାଧ୍ୟମ ମୋତେ ଏକ ଖଳନାୟକ ଭାବେ ଉପସ୍ଥାପନ କରିଛନ୍ତି। ଭାରତ ସହ ସମ୍ପର୍କ ପାଇଁ ଆମେ ପ୍ରସ୍ତୁତ । ଭାରତରେ ମୋତେ ବଲିଉଡ଼ ଖଳନାୟକ ଭାବେ ଚିତ୍ରଣ କରାଯାଇଛି । ହେଲେ ମୁଁ ଭାରତରେ ବୁଲିଛି ଓ ଭାରତବାସୀ ମୋତେ ଭଲପାନ୍ତି । ଭାରତ ପାକିସ୍ତାନ ମଧ୍ୟରେ ରହିଥିବା କାଶ୍ମୀର ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବି ଓ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିବି ବୋଲି ଇମ୍ରାନ କହିଛନ୍ତି ।
ଉଲ୍ଲେଖ ଯେ ବୁଧବାର ମତଦାନ ବେଳେ ପାକିସ୍ତାନରେ ବ୍ୟାପକ ହଂସାକାଣ୍ଡ ଘଟିଥିଲା। ଦେଶବ୍ୟାପୀ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ୩,୫୦,୦୦୦ ସୈନ୍ୟ ମୁତୟନ କରାଯାଇଥିଲେ ମଧ୍ୟ ହିଂସାକୁ ପ୍ରତିହତ କରାଯାଇପାରି ନ ଥିଲା। ବେଲୁଚିସ୍ତାନର କ୍ୱେଟ୍ଟାଠାରେ ମତଦାନ ଚାଲିଥିବାବେଳେ ବଡ଼ଧରଣର ବିସ୍ଫୋରଣ ଘଟି ୩୫ ଜଣ ପ୍ରାଣ ହରାଇଥିଲେ।

Leave A Reply