ପାକିସ୍ତାନ ୧୦ ୱିକେଟରେ ବିଜୟୀ : ଦୁବାଇରେ ଭାରତ ନିରାଶ

ଦୁବାଇ : ‌ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ କ୍ରମାଗତ ୧୨ଟି ମ୍ୟାଚ୍‌ ଜିତିବା ପରେ ଭାରତୀୟ ଦଳ ୧୩ଶ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି । ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସବୁ ଆକଳନ ଓ ପୂର୍ବ ରେକର୍ଡକୁ ଭୁଲ୍‌ ପ୍ରମାଣିତ କରି ଭାରତକୁ ୧୦ ୱିକେଟରେ ପାକିସ୍ତାନ ପରାସ୍ତ କରିଛି । ରବିବାର ସୁପର-୧୨ ପର୍ଯ୍ୟାୟରେ ଗ୍ରୁପ୍‌-୨ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ମହମ୍ମଦ ରିଜ୍‌ୱାନ ଓ ବାବର ଆଜମ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତକୁ ସହଜରେ ୧୦ ୱିକେଟରେ ପାକିସ୍ତାନ ପରାସ୍ତ କରିଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ପୂର୍ବରୁ ଭାରତ ୫ଟିଯାକ ମୁକାବିଲା ଜିତିଥିବା ବେଳେ ରବିବାର ଭାରତର ବିଜୟଧାରାକୁ ପାକିସ୍ତାନ ଭାଙ୍ଗିପାରିଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପରେ ବିରାଟ କୋହଲି ଓ ଋଷଭ ପନ୍ତ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂକରି ଭାରତ ୭ ୱିକେଟରେ ୧୫୧ ରନ୍‌ କରି ପାରିଥିଲା। ପରେ ମହମ୍ମଦ ରିଜ୍‌ୱାନ ଓ ବାବର ଆଜମ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୩ଟି ବଲ୍‌ ବାକିଥାଇ କୌଣସି ୱିକେଟ ନ ହରାଇ ପାକିସ୍ତାନ ସହଜ ବିଜୟ ପାଇଥିଲା।
ଫର୍ମରେ ଥିବା ପାକିସ୍ତାନର ଦୁଇ ଓପ୍‌ନର ମହମ୍ମଦ ରିଜ୍‌ୱାନ ଓ ବାବର ଆଜମ୍‌ ଚମତ୍କାର ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ଦୁହେଁ ନିୟମିତ ଷ୍ଟ୍ରୋକ୍‌ ଖେଳି ୬ ଓଭରର ପାୱରପ୍ଲେରେ ୪୩ ରନ୍‌ କରିବା ସହ ୧୦ ଓଭରରେ ସ୍କୋର୍‌କୁ ୭୧ ରନ୍‌ରେ ପହଞ୍ଚାଇଥିଲେ। ୪୦ ବଲ୍‌ରୁ ଅଧିନାୟକ ଆଜମ୍‌ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୩ଶ ଓଭରରେ ପାକିସ୍ତାନ ଶହେ ରନ୍‌ରେ ପହଞ୍ଚିଥିଲା। ୪୧ ବଲ୍‌ରେ ରିଜ୍‌ୱାନ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହିପରି
ରିଜ୍‌ୱାନ ଓ ବାବର ଆଜମ୍‌ ଦର୍ଶନୀୟ ଷ୍ଟ୍ରୋକ୍‌ସବୁ ଖେଳି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଆଜମ୍‌ ୫୨ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୬୮ ଏବଂ ରିଜ୍‌ୱାନ ୫୫ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୭୯ ରନ୍‌କରି ଅପରାଜିତ ଥିଲେ। ସାହିନ୍ ଶାହା ଆଫ୍ରିଦି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂର ଆହ୍ବାନ ଦେଇଥିଲା ପାକିସ୍ତାନ। ବିପର୍ଯ୍ୟୟ ସହ ଭାରତ ଇନିଂସ ଆରମ୍ଭ କରିଥିଲା। ଅଭ୍ୟାସ ମ୍ୟାଚ୍‌ରେ ଚମତ୍କାର ଫର୍ମ ଦେଖାଇଥିବା ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା (୦) ଓ କେ.ଏଲ୍‌. ରାହୁଲ (୩) ସହଳ ବିଦାୟ ନେଇଥିଲେ। ଦୁହେଁ ବାମହାତି ଫାଷ୍ଟବୋଲର ସାହିନ୍ ଶାହା ଆଫ୍ରିଦିଙ୍କ ୨ଟି ମାରାତ୍ମକ ବଲ୍‌ରେ ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆସି ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‌କରି ୱିକେଟ ପଛରେ କ୍ୟାଚ୍‌ ଦେଇଥିଲେ। ୩୧ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତ୍ ଭଲ ବ୍ୟାଟିଂକରି ସ୍କୋର୍‌କୁ ବଢ଼ାଇଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୫୩ ରନ୍‌ ଯୋଡ଼ିଥିଲେ। ବଡ଼ ସଟ୍‌ ମାରିବା ପ୍ରୟାସରେ ବୋଲରଙ୍କୁ କ୍ୟାଚ୍‌ ଦେବା ପୂର୍ବରୁ ବାମହାତି ପନ୍ତ୍ ୩୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୯ ରନ୍‌ କରିଥିଲେ। ପରେ ରବୀନ୍ଦ୍ର ଜାଡ଼େଜା ୧୩ ବଲ୍‌ରୁ ୧୩ ଓ ହାର୍ଦିକ ପାଣ୍ଡ୍ୟା ୮ ବଲ୍‌ରୁ ୧୧ ରନ୍‌ କରିଥିଲେ। ୧୯ଶ ଓଭରରେ ଆଉଟ ହୋଇଥିବା ବିରାଟ କୋହଲି ୪୯ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୭ ରନ୍‌ କରିଥିଲେ। ଏହି ଅର୍ଦ୍ଧଶତକ ସହ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ତାଙ୍କର ଚମତ୍କାର ପ୍ରଦର୍ଶନ କୋହଲି ଜାରି ରଖିଥିଲେ। ଶେଷ ୫ ଓଭରରୁ ଭାରତ ୫୧ ରନ୍‌ କରିବାରୁ ଏହା ଦେଢ଼ଶହ ରନ୍‌ ଅତିକ୍ରମ କରି ପାରିଥିଲା। ସାହିନ୍ ଶାହା ଆଫ୍ରିଦି ୩ଟି ଓ ହାସନ୍ ଅଲୀ ୨ଟି ୱିକେଟ ପାଇଥିଲେ।

Comments are closed.