ଇମ୍ରାନ ଖାନଙ୍କୁ କରୋନା ଠାରୁ ଅଧିକ ଭୋକ ଭୟ : କହିଲେ କରୋନାରୁ ବଞ୍ଚିଲେ, ଭୋକରେ ମରିବ ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କରୋନା ଠାରୁ ଅଧିକ ଭୋକ ଭୟ ଘାରୁଛି। ସେ କହିଛନ୍ତି ଯେ, କରୋନା କବଳରୁ ଯଦି ପାକିସ୍ତାନ ବଞ୍ଚିଯାଏ ତେବେ ଭୋକରେ ମରିବ।ସୂଚନାଯୋଗ୍ୟ, ସମଗ୍ର ବିଶ୍ବରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତ ସମତେ ଅନେକ ଦେଶ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ କଟକଣା ଲାଗୁ କରିବା ସହ ସହରଗୁଡିକ ବନ୍ଦ ରଖିଛନ୍ତି। ଯାହାର ପ୍ରଭାବ ବାଣିଜ୍ୟ କାରବାର ଉପରେ ପଡିଛି। କିନ୍ତୁ ପାକିସ୍ତାନରେ ଏପରି ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶ ପରି ପାକିସ୍ତାନ ବଡ଼ ଆକାରରେ ସହରଗୁଡ଼ିକୁ ବନ୍ଦ କରିବାକୁ ଦେଇପାରିବ ନାହିଁ। ଏହାକୁ ନେଇ ପୂର୍ବରୁ ଚିନ୍ତା କରାଯାଇଥିଲା କିନ୍ତୁ ଦେଶର ଦୁର୍ବଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ଭୟ ଲାଗୁଛି। କାରଣ ଏଠାକାର ପରିସ୍ଥିତି ଆମେରିକା କିମ୍ବା ୟୁରୋପ ଭଳି ନୁହେଁ। ଏଠାରେ ୨୫% ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଯଦି ସହରଗୁଡିକ ବନ୍ଦ ହୋଇଯାଏ ତେବେ ଲୋକମାନେ କରୋନାରୁ ବର୍ତ୍ତି ଯିବେ ସତ ହେଲେ ଭୋକରେ ମୃତ୍ୟୁବରଣ କରିବେ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ପାକିସ୍ତାନରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୭ ଜଣ ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ କ୍ରିକେଟ୍ ଷ୍ଟାଡିୟମ୍, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ କରିଛି।

Comments are closed.