ପାକ୍‌ ସେନାର ଓଡ଼ିଶାବିରୋଧୀ ମନ୍ତବ୍ୟ

ଜବାବ ଦେଲେ ହଜାରହଜାର ଓଡ଼ିଆ

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍‌, ଏୟାର ଷ୍ଟ୍ରାଇକ୍‌, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ନିକଟରେ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ସଂସଦରେ ଗୃହୀତ ହେବା ପରେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିବା ପାଇଁ ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଛି। ଭାରତରେ ଧର୍ମ ଓ ସମ୍ପ୍ରଦାୟ ନାମରେ ବିଭେଦ ସୃଷ୍ଟି କରିବା ପରି ହୀନ ଉଦ୍ୟମ ଚଳାଇ ଆସିଛି। ଭାରତ ବିରୋଧୀ ସମସ୍ତ କାର୍ଯ୍ୟକଳାପର ନେତୃତ୍ବ ନେଉଛି ପାକିସ୍ତାନ ସେନା। ପବିତ୍ର ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇବା ଆଳରେ ସାମାଜିକ ଗଣମାଧ୍ୟମରେ ଓଡ଼ିଶାକୁ ନିଶାଣରେ ରଖିଛନ୍ତି ପାକିସ୍ତାନ ସେନା ପ୍ରବକ୍ତା ଆଶିଫ ଗଫୁର। ନିଜ ଟ୍ୟୁଟର ହ୍ୟାଣ୍ଡେଲରେ ସେ ଉଲ୍ଲେଖ କରିଛନ୍ତି ଯେ ‘ ପାକିସ୍ତାନ ସମେତ ବିଶ୍ବର ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କୁ ବଡ଼ଦିନର ଶୁଭେଚ୍ଛା । ବିଶେଷକରି ଓଡ଼ିଶା ଭଳି ରାଜ୍ୟର ହିନ୍ଦୁତ୍ବ ବିରୋଧୀ ପରିବେଶରେ ରହୁଥିବା ଖ୍ରୀଷ୍ଟିଆନଙ୍କୁ ‘ମେରି ଖ୍ରୀଷ୍ଟମାସ’। ଦେଶ ତଥା ଏପରି ଓଡ଼ିଶା ବିରୋଧୀ ମନ୍ତବ୍ୟକୁ ଟ୍ବିଟ୍‌ କରି ସମାଲୋଚନା କରିଛନ୍ତି ରାଜ୍ୟ ଓ ଦେଶ-ବିଦେଶରେ ରହୁଥିବା ହଜାରହଜାର ଓଡ଼ିଆ।
ପାକିସ୍ତାନର କଠୋରପନ୍ଥୀମାନେ ଦେଶରେ ଅଳ୍ପ ସଂଖ୍ୟକ ହିନ୍ଦୁ, ଖ୍ରୀଷ୍ଟିଆନ ଓ ଶିଖ୍‌ମାନଙ୍କୁ ପ୍ରତାଡ଼ିତ କରୁଛନ୍ତି। ଏମାନଙ୍କୁ ବଳ ପ୍ରୟୋଗକରି ଧର୍ମାନ୍ତର କରାଯାଉଛି। ପାକିସ୍ତାନରେ ସଂଖ୍ୟାଲଘୁ ମାନବାଧିକାର ବୋଲି କିଛି ନାହିଁ। ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉଛି। ଏହି କଠୋରପନ୍ଥୀଙ୍କ ବିରୋଧରେ ଦେଶର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସରକାରୀ କଳ ଏମାନଙ୍କ ନିୟନ୍ତ୍ରଣରେ। ସଂଖ୍ୟାଲଘୁ ନ୍ୟାୟ ଦେଇ ପାରୁ ନାହାନ୍ତି ପାକିସ୍ତାନ ସରକାର। ମିଥ୍ୟା ମାମଲାରେ ଫସାଇ ସେଠାକାର ସରକାର ଅଳ୍ପ ସଂଖ୍ୟାଲଘୁଙ୍କର ଦେଶ ଛାଡ଼ି ଚାଲିଯିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ (ୟୁଏସସିଆଇଆରଏଫ)। ଏଣୁ ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆଇନ (ଆଇଆରଏଫଏ) ଅନୁଯାୟୀ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜାତିସଂଘକୁ ସୁପାରିସ କରିଛି ୟୁଏସସିଆଇଆରଏଫ। ଏପରି ଅନ୍ତର୍ଜାତୀୟ ସମାଲୋଚନାରୁ ବର୍ତ୍ତିବା ପାଇଁ ଭାରତ ବିରୋଧରେ ଅପପ୍ରଚାର ଚଳାଇଛି ପାକିସ୍ତାନ ସେନା ଓ ସରକାର। ବୁଧବାର ଏହାର ଶିକାର ହୋଇଛି ଭାରତର ଅନ୍ୟତମ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା। ବଡ଼ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ଆଳରେ ଟ୍ୟୁଟର ମାଧ୍ୟମରେ ପାକିସ୍ତାନ ସେନା ମୁଖପାତ୍ର ଆଶିଫ ଗଫୁର ଓଡ଼ିଶାର ଧାର୍ମିକ ଗତିବିଧି ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ଏପରି ଧୃଷ୍ଟତାର ଉପଯୁକ୍ତ ଜବାବ ଦେଇଛନ୍ତି ଭାରତୀୟ। ଜଣେ ଭାରତୀୟ ଟ୍ୟୁଟର ହ୍ୟାଣ୍ଡଲର ଗଫୁରଙ୍କୁ ଜବାବ ଦେବାକୁ ଯାଇ ଲେଖିଛନ୍ତି ଯେ-‘ ପ୍ରିୟ ପାକିସ୍ତାନୀ, ଆମ ଦେଶରେ ଖ୍ରୀଷ୍ଟିଆନମାନେ ଶାନ୍ତିରେ ଅଛନ୍ତି। କାରଣ ଏଠାରେ ତୁମ ଦେଶ ପରି ଦୈନିକ ବୋମା ବିସ୍ଫୋରଣ ହେଉ ନାହିଁ। ସେମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉ ନାହିଁ। ଭାରତରେ ଧାର୍ମିକ ସ୍ବାଧୀନତାରୁ ତମେମାନେ ଜ୍ଞାନ ଆହରଣ କରିବା ଉଚିତ୍‌’ ବୋଲି ସେ ଲେଖିଛନ୍ତି। ସେହିପରି ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସୌମ୍ୟଜିତ୍‌ ପଟ୍ଟନାୟକ ଗଫୁରଙ୍କୁ ଉତ୍ତର ଦେବାକୁ ଯାଇ ଲେଖିଛନ୍ତି ଯେ, ପ୍ରତିବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଦିନ ଓ ଇଂରାଜୀ ନବବର୍ଷ ଧୁମ୍‌ଧାମରେ ପାଳନ କରିଥା’ନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି। ଯଦି ତମକୁ ବିଶ୍ବାସ ହେଉନି ତେବେ ଗତବର୍ଷ ଓଡ଼ିଶା ଆସିଥିବା ପାକିସ୍ତାନ ହକି ଦଳର ଖେଳାଳିମାନଙ୍କୁ ଆପଣ ପଚାରି ପାରନ୍ତି। ସେହିପରି ଧର୍ମକୁ ନେଇ ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବାରୁ ପାକିସ୍ତାନକୁ ସମାଲୋଚନା କରିଛି ଆମେରିକା। ନିଜ ଦେଶର ସଂଖ୍ୟାଲଘୁଙ୍କ ଅଧିକାର ପ୍ରତି ଯତ୍ନବାନ ରହିବାକୁ ଆମେରିକା ପରାମର୍ଶ ଦେଇଛି। ନିଜ ଦେଶର ପରିସ୍ଥିତି ସମ୍ଭାଳିବାକୁ ଆଉ କେତେଜଣ ବିଦେଶୀ ଟ୍ୟୁଟର ହ୍ୟାଣ୍ଡଲର ଗଫୁରଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.