ପାକ୍‍ ନିର୍ବାଚନ ଶୋଭାଯାତ୍ରାରେ ବିସ୍ଫୋରଣ

0

ପେଶୱାର : ପାକିସ୍ତାନର ପେଶୱାର ନିକଟରେ ଆୱାମୀ ନ୍ୟାସନାଲ ପାର୍ଟିର ଏକ ନିର୍ବାଚନ ଶୋଭାଯାତ୍ରାରେ ବିସ୍ଫୋରଣ ଘଟି ଅନ୍ୟୂନ ୧୩ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ପାର୍ଟି ଇସ୍‍ଲାମିକ୍‍ ଆତଙ୍କବାଦୀଙ୍କୁ ବିରୋଧ କରିଆସୁଥିବାରୁ ଏହାର ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଥିବା ଓ ଏହା ପଛରେ ତାଲିବାନ୍‍ର ହାତ ଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ଦଳର ଟାଣୁଆ ନେତା ହାରୁନ୍‍ ବିଲୋର ରହିଥିବା ପୁଲିସ କହିଛି। ହାରୁନ୍‍ ଖାଇବର ପାଖ୍‍ତୁନ୍‍ଖାୱା ପ୍ରଦେଶର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ସଦସ୍ୟ ଓ ଚଳିତ ନିର୍ବାଚନରେ ସେ ପ୍ରାର୍ଥୀ ଥିଲେ। ସେ ମଙ୍ଗଳବାର ସନ୍ଧ୍ୟାରେ ସମର୍ଥକମାନଙ୍କୁ ଉଦ୍‍ବୋଧନ ଦେବାକୁ ଯାଉଥିବାବେଳେ ତାଙ୍କୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିଲା। ହାରୁନ୍‍ଙ୍କ ବାପା, ଦଳର ବରିଷ୍ଠ ନେତା ବସିର ବିଲୋରଙ୍କୁ ୨୦୧୨ରେ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଆୱାମୀ ନ୍ୟାସନାଲ ପାର୍ଟି ହେଉଛି ପାକିସ୍ତାନ ପିପୁଲ୍ସ ପାର୍ଟିର ସହଯୋଗୀ ଦଳ। ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଧମକ ଚମକ ଦିଆଯିବାରୁ ୨୦୧୩ ନିର୍ବାଚନରେ ପାର୍ଟି ଅଂଶଗ୍ରହଣ କରିପାରି ନଥିଲା। ବର୍ତ୍ତମାନର ଆକ୍ରମଣ ଚଳିତ ନିର୍ବାଚନ ପ୍ରକ୍ରିୟାରେ ପ୍ରଥମ ବଡ଼ ଧରଣର ହିଂସାକାଣ୍ଡ ବୋଲି ପୁଲିସ କହିଛି।

Leave A Reply