ଭାରତ-ପାକିସ୍ତାନ ମଧ୍ୟର ଯୁଦ୍ଧ କଥା କେବଳ ପାଗଳ ଭାବି ପାରିବେ: ଇମ୍ରାନ

0

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ କରତାରପୁର କରିଡର ପାଇଁ ବୁଧବାର ଶିଳାନ୍ୟାସ୍‍ ହୋଇଛି। ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ଶାନ୍ତି ଓ ସଦଭାବନାର ବାର୍ତ୍ତା ଦେବା ସହ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ କଥା ଭାବିବା ଏକ ପାଗଳାମୀ। ଉଭୟ ଦେଶଙ୍କ ପାଖରେ ପରମାଣୁ ବୋମା ରହିଛି, ତେଣୁ ଯୁଦ୍ଧ ହୋଇପାରିବ ନାହିଁ। କେବଳ ପାଗଳ ହିଁ ଯୁଦ୍ଧ କଥା ଭାବି ପାରିବେ। ଏହି କରଡ଼ରର ଶିଳାନ୍ୟାସ ସହ ଭାରତ ଓ ପାକିସ୍ତାନ ସମ୍ପର୍କରେ ବନ୍ଧା ଯାଇଥିବା ଶୃଙ୍ଖଳ ସାମନ୍ୟ କୋହଳ ହୋଇଛି। ଆମେ ଆଗକୁ ବଢିବୁ ଓ ଯେପରି ହେଲେ ସମ୍ପର୍କକୁ ସୁଧାରିବୁ। ଯଦି ଫ୍ରାନ୍ସ ଓ ଜର୍ମାନି ଏକ ହୋଇପାରୁଛନ୍ତି ତେବେ ପାକିସ୍ତାନ ଏବଂ ହିନ୍ଦୁସ୍ତାନ ବି ଏକ ହୋଇପାରିବେ। ଆମେ ପରସ୍ପରର ଲୋକଙ୍କୁ ମାରିଛୁ, ହେଲେ ସବୁ ଭୁଲା ଯାଇ ହେବ। କୁହାଯାଉଛି ପାକିସ୍ତାନ ସେନା ବନ୍ଧୁତ୍ୱ କରାଇ ଦେବନି। ଏବେ ଆମ ଦଳ ଏବଂ ସେନା ଏକାଠି ଅଛୁ ଓ ବନ୍ଧୁତ୍ୱର ହାତ ବଢାଉଛୁ।
ସେହିପରି କାଶ୍ମୀର ପ୍ରସଙ୍ଗକୁ ଉଠାଇ ଇମ୍ରାନ କହିଥିଲେ ଯେ ଲୋକ ଚନ୍ଦ୍ରରେ ପହଞ୍ଚିଲେଣି କିନ୍ତୁ ଆମେ ଗୋଟିଏ ବିବାଦର ସମାଧାନ କରିପାରୁନାହୁଁ। ଶୀଘ୍ର ଏହି ବିବାଦର ସମାଧାନ ହେବ। ଏଥିପାଇଁ ବଡ଼ ଓ ଦୃଢ ନିଷ୍ପତ୍ତି ଆବଶ୍ୟକ। ଯଦି ଭାରତ ଗୋଟିଏ ପାଦ ଆଗକୁ ବଢାଇବ ଆମେ ଦୁଇ ପାଦ ଆଗକୁ ବଢାଇବୁ।
ଏହାସହ ଇମ୍ରାନ ଖାନ୍‍ କହିଥିଲେ ଯେ ରାଜନୀତିକୁ ଆସିବା ପରେ ସେ ଲୋକଙ୍କୁ ଭୁଲି ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କୁ ଭେଟିଥିଲେ। ଏହି ଶିଳାନ୍ୟାସ ଉତ୍ସବରେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଧୁ ଯୋଗ ଦେଇଥିଲେ।

Leave A Reply