ଦେବାଳିଆର ଦାତାଗିରି : ଶ୍ରୀଲଙ୍କାକୁ ୨୦ କୋଟି ଦେବ ପାକିସ୍ତାନ

ଚୀନ୍‌ ଯାଇ ଅପମାନିତ ହେଲେ ଇମ୍ରାନ

କଲମ୍ବୋ/ବେଜିଂ : ଏବେ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାକୁ ୨୦ କୋଟି ଡଲାର ଋଣ ଯୋଗାଇ ଦେବାକୁ ପାକିସ୍ତାନର ଇମ୍ରାନ ସରକାର ଘୋଷଣା କରିଛନ୍ତି। ଖୋଦ୍‌ ପାକିସ୍ତାନ ଉପରେ ଏବେ ସମୁଦାୟ ୨୮୩ କୋଟି ଆମେରିକୀୟ ଡଲାର ଋଣ ଅଛି। ଏଥିଯୋଗୁଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନକୁ ଅଧିକ ଋଣ ନନେବାକୁ ପରାମର୍ଶ ଦେଇଥିଲା। ନିଜେ କାଙ୍ଗାଳ ପାଲଟିଥିବା ପାକିସ୍ତାନ ଶ୍ରୀଲଙ୍କାକୁ କିପରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯାଉଛି ସେ ନେଇ କୂଟନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଶ୍ରୀଲଙ୍କା ପାଇଁ ଆର୍ଥକ ପ୍ୟାକେଜ ଘୋଷଣା କରିଥିବା ପାକିସ୍ତାନ ଏବେ ନିଜେ କରଜରେ ବୁଡ଼ି ରହିଛି। ତଥ୍ୟ ଅନୁଯାୟୀ ଦେଶର ଘରୋଇ ଓ ବିଦେଶୀ ଋଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଗତବର୍ଷ ଆଇଏମଏଫ ପାକିସ୍ତାନକୁ ଚେତାଇ ଦେଇଥିଲା। ଏବେ ୩ ବିଲିୟନ ଡଳାର ଋଣ ଆଣିବା ପାଇଁ ନିଜେ ଇମ୍ରାନ ଚୀନ୍‌ ଯାଇଛନ୍ତି। ସେଠା​‌େ​‌ର ସି ଜିନ୍‌ପିଙ୍ଗ୍‌ଙ୍କୁ ଖୁସି କରି କିପରି ଏହି ଋଣ ଆଣିବେ ସେଥି ନେଇ ଇମ୍ରାନ୍‌ ତତ୍ପର ଥିବା ଜଣାପଡ଼ିଛି। କରୋନା ସମୟରେ ଦେଶରେ ଯେଉଁ ଆର୍ଥିକ କ୍ଷତି ସୃଷ୍ଟି ହୋଇଛି ସେ ନେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଇଏମଏଫକୁ ଇମ୍ରାନ ଅନୁରୋଧ କରିଥିଲେ। ତେବେ ପାକିସ୍ତାନର ଆର୍ଥିକ ନୀତି ଠିକ୍‌ ନଥିବା ଦର୍ଶାଇ ଆଇଏମଏଫ ଋଣ ଦେବାକୁ ମନା କରିଦେଇଥିଲା। ପାକିସ୍ତାନ ଏପର୍ଯ୍ୟନ୍ତ ଚୀନ୍‌ଠାରୁ ୧୧ ବିଲିୟନ ଡଲାର ଋଣ ଆଣିସାରିଲାଣି। ପୁନଃ ଋଣ ମାଗିବା ପାଇଁ ‘ଉଇଣ୍ଟର ଅଲିମ୍ପିକ’ ଆଳ ଦେଖାଇ ଇମ୍ରାନ ଚୀନ୍‌ ଯାଇଛନ୍ତି। ପାକିସ୍ତାନର ବେଳୁଚିସ୍ତାନ ପ୍ରାନ୍ତରେ ଚୀନ୍‌ ବିପୁଳ ପୁଞ୍ଜି ନିବେଶ କରିଛି। ଏହାକୁ ବେଲୁଚ୍‌ ଲୋ​‌େ​‌କ ବାରମ୍ବାର ବିରୋଧ କରି ଆସୁଛନ୍ତି। ଗତ କିଛିଦିନ ତଳେ ବେଲୁଚ୍‌ ବି​‌େ​‌ଦ୍ରାହୀମାନେ ପାକିସ୍ତାନ ସେନାର ୧୫ ଯବାନଙ୍କୁ ହତ୍ୟା କରିଥିଲେ। ଚୀନ୍‌କୁ ଦାୟୀକରି ବେଲୁଚିସ୍ତାନରେ ଦୈନିକ ବିକ୍ଷୋଭ, ଧାରଣା ପ୍ରଦର୍ଶନ ହୋଇ ଆସୁଛି। ଅନ୍ୟପକ୍ଷରେ ଚୀନ୍‌ ଦେଉଥିବା ଟଙ୍କାରେ ଚାଉଳ ଓ ସିମେଣ୍ଟ କାରଖାନା ସ୍ଥାପନ କରିବ ବୋଲି ଶ୍ରୀଲଙ୍କା କହିଛି। ଗତବର୍ଷ ନଭେମ୍ବର ମାସରୁ ଶ୍ରୀଲଙ୍କାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷିତ ହୋଇଛି। ଆସନ୍ତା ୧୨ ମାସ ମଧ୍ୟରେ ଶ୍ରୀଲଙ୍କାକୁ ଉଭୟ ଘରୋଇ ଓ ବିଦେଶୀ ୭.୩ ବିଏଲିୟନ ଡଲାର ଋଣ ଶୁଝିବାକୁ ଅଛି। ଏହି ଦେଶର ପର୍ଯ୍ୟଟନ ହିଁ ବିଦେଶୀ ମୁଦ୍ରା ଉପାର୍ଜନ କରିବାର ଏକମାତ୍ର ସ୍ରୋତ। କରୋନା ଯୋଗୁଁ ଶ୍ରୀଲଙ୍କାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବନ୍ଦ ପଡ଼ିଛି। ଏଥିଯୋଗୁଁ ଶ୍ରୀଲଙ୍କା ଅର୍ଥନୀତି ଦୋହଲି ଯାଇଛି। ପାକିସ୍ତାନ ପରି ଶ୍ରୀଲଙ୍କା ମଧ୍ୟ ଚୀନ୍‌ଠାରୁ ବିପୁଳ ଅର୍ଥ କରଜ ନେଇଛି। ଏଥିଯୋଗୁଁ ଶ୍ରୀଲଙ୍କା ଏବେ ଦେବାଳିଆ ପରିସ୍ଥିତିର ସମ୍ମୁଖୀନ। ଅନ୍ୟପକ୍ଷେ ଭାରତ ଶ୍ରୀଲଙ୍କାକୁ ଏପରି ସ୍ଥିତିରୁ ମୁକାବିଲା କରିବା ଉଦ୍ୟମ ଜାରି ରଖିଛି। କେବଳ ଭାରତ ହିଁ ଏପରି ଦୁଃଖ ସମୟରେ ଆମକୁ ମୁକୁଳାଇ ପାରିବ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି କହିଛନ୍ତି। ଭାରତ ଏହି ସମୟରେ ଶ୍ରୀଲଙ୍କାର ବିଭିନ୍ନ ସରକାରୀ ବେସରକାରୀ ବିଭାଗରେ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଛି । ବିଶେଷକରି ଶ୍ରୀଲଙ୍କାର ରେଳବାଇରେ ଭାରତ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଛି। ଭାରତର ଏପରି ପଦକ୍ଷେପ ବିରୋଧରେ ଜବାବ୍‌ ଦେବା ପାଇଁ ଇମ୍ରାନ୍‌ ସରକାର ଶ୍ରୀଲଙ୍କାକୁ ୨୦ କୋଟି ଡଲାର ଦେବା ପାଇଁ ଘୋଷଣା କରିଥିବା କୁହାଯାଉଛି।
ଅନ୍ୟ ପକ୍ଷରେ ଚୀନ୍‌ ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦଳକୁ ଅପମାନିତ ହେବାକୁ ପଡିଛି। ଏହି ପ୍ରତିନିଧି ଦଳ ଏକ ଅନ୍ତର୍ଜାତୀୟ ବୈଠକରେ ଯୋଗଦେବାର ଥିଲା। ତେବେ ସେମାନେ ଯେଉଁ ବୈଠକ ଲାଗି ଆସିଥିଲେ ତାହା ଅନଲାଇନ ଅନୁଷ୍ଠିତ ହେଉଥିବା ଚୀନ୍‌ ଅଧିକାରୀମାନେ ଏହି ପ୍ରତିନିଧି ଦଳକୁ କହିଥିଲେ। ଏଣୁ ବୈଠକ ସ୍ଥଳକୁ କାହାରିକୁ ଛାଡି ନଥିଲେ। ଏନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଉଚ୍ଚ ଅଧିକାରୀଙ୍କ ସହ କଥା ହୋଇଥିଲେ ହେଁ କୌଣସି ଫଳ ମିଳି ନଥିଲା। ୱିଣ୍ଟର ଅଲିମ୍ପିକ ଲାଗି ଚୀନ୍‌ରେ ଜିରୋ କୋଭିଡ ଗାଇଡଲାଇନ ପାଳନ ହେଉଛି। ବନ୍ଧୁତ୍ୱର ଦ୍ୱାହି ଦେଇ ନିଜ ମନ୍ତ୍ରିମଣ୍ଡଳର କେତେକ ମନ୍ତ୍ରୀଙ୍କୁ ନେଇ ଇମ୍ରାନ ଚୀନ୍‌ ଯାଇଥିଲେ। ସେମାନଙ୍କୁ ଏବେ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି।
ପାକ୍ ପ୍ରଧାନମନ୍ତ୍ରୀ ଚୀନରେ ଅପଦସ୍ତ ଓ ଅପମାନିତ ହେବା କିଛି ନୂଆ କଥା ନୁହେଁ। ନିଜକୁ ଚୀନ୍‌ର ମିତ୍ରରାଷ୍ଟ୍ର ବୋଲି ଦାବି କରୁଥିଲେ ବି ସେ ଦେଶରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୌଣସି ଓଜନ ହିଁ ନାହିଁ। ୨୦୧୯ରେ ବେଜିଂରେ ଅନୁଷ୍ଠିତ ଚୀନ୍‌ର ମହତ୍ୱାକାଙକ୍ଷୀ ଯୋଜନା ବେଲ୍ଟ ଏଣ୍ଡ ରୋଡ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ଇମ୍ରାନଙ୍କୁ ବେଜିଂ ମ୍ୟୁନିସିପାଲ କମିଟିର ଡେପୁଟି ଜେନେରାଲ ସେକ୍ରେଟାରୀ ଲି ଲେଫିଙ୍ଗ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଏହାକୁ ସେତେବେଳେ ପାକିସ୍ତାନର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଏବେ ପାକିସ୍ତାନ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଅଲିମ୍ପିକ କାଳରେ ହେବାକୁ ଥିବା ରାଜନୈତିକ ସାକ୍ଷାତ ବେଳେ ଦେଶ ଲାଗି ଆଉ କିଛି କୋଟି ଡଲାରର ଆର୍ଥିକ ସହାୟତା ବନ୍ଦୋବସ୍ତ ଲାଗି ଇମ୍ରାନ ଓ ତାଙ୍କ ପ୍ରତିନିଧି ଦଳ ଚୀନ୍‌ ଗସ୍ତ କରିଛନ୍ତି। ପାକିସ୍ତାନକୁ କରଜ ଦେଇ ତ’ଠାରୁ କ’ଣ କ’ଣ ହାସଲ କରିବାକୁ ପଡ଼ିବ ତାହା ଚୀନ୍‌ ପାଇଁ ଅଛପା ନୁହେଁ ବୋଲି ରାଜନୀତିଜ୍ଞଙ୍କ ମତ।

Comments are closed.