ଜାତିସଂଘରେ ନିଜ ସ୍ଥାୟୀ ପ୍ରତିନିଧିଙ୍କୁ ହଟାଇଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଜାତିସଂଘରେ ନିଜର ସ୍ଥାୟୀ ପ୍ରତିନିଧି ମଲିହା ଲୋଧିଙ୍କୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ମୁନୀର ଅକରମଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ଅନୁଷ୍ଠିତ ଜାତିସଂଘ ସାଧାରଣ ସଭାର ଠିକ୍‌ ପରେ ପରେ ପାକିସ୍ତାନ ଏପରି ନିଷ୍ପତ୍ତି ନେଇଛି। ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘରେ ଗୁରୁତ୍ଵ ନ ମିଳିବାରୁ ଇମ୍ରାନ ଖାନ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।

ମଲିହା ଲୋଧି ୨୦୧୫ ଫେବୃୟାରୀରେ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତି ପାଇଥିଲେ। ଅନ୍ୟପଟେ ଅକରମ ପୂର୍ବରୁ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ଏହି ପଦବୀରେ ରହିଆସିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ହତ୍ୟା ମାମଲାକୁ ଜାତିସଂଘରେ ଉଠାଇବାକୁ ନେଇ ଅସହମତି ହେବା କାରଣରୁ ତତ୍କାଳୀନ ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦ୍ଦାରୀ ଅକରମଙ୍କୁ ନିଲମ୍ବିତ କରିଦେଇଥିଲେ। ସୂଚନାଯୋଗ୍ୟ, ନିକଟରେ ମଲିହା ଲୋଧି ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସାକ୍ଷାତ ସମୟର ଫଟୋକୁ ଶେୟାର କରି ସେଥିରେ ଜନସନଙ୍କୁ ବିଦେଶମନ୍ତ୍ରୀ ବୋଲି ଲେଖିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ସମାଲୋଚନା କରାଯାଇଥିଲା।

Comments are closed.