ଭାରତକୁ ଶରଣ ମାଗିଲେ ପାକିସ୍ତାନୀ ନେତା; ଇମ୍ରାନ ସରକାରର ଗୁମର ଖୋଲିଲେ

0

ନୂଆଦିଲ୍ଲୀ: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅତ୍ୟାଚାର ବଢ଼ିଚାଲିଛି। ଏପରି କି ଏଥିରୁ ବର୍ତ୍ତି ନାହାନ୍ତି ଦେଶର ରାଜନେତା। ଅତ୍ୟାଚାର ଅସହ୍ୟ ହେବାରୁ ପୂର୍ବତନ ବିଧାୟକ ବଲଦେବ କୁମାର ଭାରତର ଶରଣ ଲୋଡ଼ିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବଲଦେବ ହେଉଛନ୍ତି ଖୋଦ ସରକାରୀ ଦଳର। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫର ଜଣେ ସକ୍ରିୟ ନେତା। ବଲଦେବ ଖୈବର ପଖତୁନଖ୍ବା ପ୍ରାନ୍ତର ବାରିକୋଟ ସଂରକ୍ଷିତ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବଲଦେବ ଇମ୍ରାନ ଖାନ ସରକାର ଗୁମର ଖୋଲି କହିଛନ୍ତି, ପାକିସ୍ତାନରେ କେବଳ ସଂଖ୍ୟାଲଘୁ ନୁହନ୍ତି, ବରଂ ମୁଲସମାନମାନେ ବି ସୁରକ୍ଷିତ ନାହାନ୍ତି। ଆମେ ପାକିସ୍ତାନରେ ଅନେକ ସମସ୍ୟା ମଧ୍ୟରେ ରହିଛୁ। ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ, ମୋତେ ଏଠାରେ ଶରଣ ଦିଅନ୍ତୁ। ମୁଁ କେବେ ବି ପାକିସ୍ତାନ ଫେରିବି ନାହିଁ।

ବଲଦେବ ଆହୁରି କହିଛନ୍ତି, ସେ ନିଜର ଏବଂ ତାଙ୍କ ପରିବାର ଲୋକଙ୍କ ଜୀବନ ବଞ୍ଚାଇ ଭାରତ ଆସିଛି। ବର୍ତ୍ତମାନ ସେ ପଞ୍ଜାବର ଖନ୍ନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଭୟର ବାତାବରଣରେ ରହୁଛନ୍ତି। ସେ ଏକଦା ଜଣେ ବିଧାୟକ ଥିଲେ। କିନ୍ତୁ ଏବେ ତାଙ୍କୁ ଜୀବନ ବଞ୍ଚାଇ ଭାରତ ଆସିବାକୁ ପଡ଼ିଲା। ସେ ଭାବୁଥିଲେ ଇମ୍ରାନ ସରକାର ଗଢ଼ିବା ପରେ ସ୍ଥିତି ବଦଳିବ। କିନ୍ତୁ ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପରିସ୍ଥିତି ଅଧିକ ବିଗିଡ଼ି ଯାଇଛି। ଇମ୍ରାନଙ୍କ କାର୍ଯ୍ୟକାଳ ସମୟରେ ହିନ୍ଦୁ ଏବଂ ଶିଖ୍‌ମାନଙ୍କ ଉପରେ ଅଧିକ ଅତ୍ୟାଚାର ହେଉଛି। ସେମାନଙ୍କୁ ହତ୍ୟା କରିଦିଆଯାଉଛି।

ବଲଦେବ ଗତ ଅଗଷ୍ଟ ୧୨ରେ  ୩ମାସର ଭିଜା ନେଇ ଭାରତ ଆସିଛନ୍ତି। କିଛି ମାସ ପୂର୍ବରୁ ସେ ତାଙ୍କ ପରିବାର ଲୋକଙ୍କୁ ଲୁଧିଆନାରେ ଥିବା ସମ୍ପର୍କୀୟଙ୍କ ଘରେ ଛାଡ଼ି ଦେଇଥିଲେ। ସେ ବର୍ତ୍ତମାନ ପାକିସ୍ତାନ ଯିବାକୁ ଚାହୁଁ ନାହାନ୍ତି। ତେଣୁ ଭାରତରେ ଶରଣ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।

Leave A Reply