ଭାରତ ବିରୋଧରେ ଯୁଦ୍ଧ ଘୋଷଣା ପାଇଁ ପାକିସ୍ତାନ ସଂସଦରେ ଦାବି

ଇସଲାମାବାଦ: ଭାରତ ବିରୋଧରେ ଆଉ ଏକ ଚରମ ପଦକ୍ଷେପ ନେବାକୁ ଯାଉଛି ପାକିସ୍ତାନ। ଭାରତ ବିରୋଧରେ ଇମ୍ରାନ ଖାନଙ୍କ ସରକାର ‘ଜିହାଦ’ ଡାକରା ଦେଇଥିବା ସୂଚନା ମିଳିଛି। ଆସନ୍ତା ଫେବୃୟାରୀ ୧୦ରୁ ଭାରତ ବିରୋଧରେ ଯୁଦ୍ଧ ଡାକରା ଦେବାକୁ କିଛି ସାଂସଦ ଇମ୍ରାନଙ୍କୁ ପରାମର୍ଶ ଦେଇଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ଡନ୍‌ ରିପୋର୍ଟ ଅନୁସାରେ, ଜାମିୟତ ଉଲେମା-ଏ-ଇସଲାମ-ଫଜଲ(ଜେୟୁଆଇ-ଏଫ) ଭାରତ ବିରୋଧରେ ଯୁଦ୍ଧ ଡାକରା ଦେବାକୁ ସଂସଦରେ ପାକ୍‌ ସରକାରଙ୍କ ନିକଟରେ ଦାବି କରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେବୃୟାରୀ ୧୦ରୁ ପଡ଼ୋଶୀ ଦେଶ ବିରୋଧରେ ଯୁଦ୍ଧ ଡାକରା ଦେବା ଉଚିତ ବୋଲି ଜେୟୁଆଇ-ଏଫ ନେତା ମୌଲାନା ଅବଦୁଲ ଆକବର ଚିତ୍ରାଲି ପରାମର୍ଶ ଦେଇଛନ୍ତି। କେବଳ ଯୁଦ୍ଧ ଡାକରା ଦେଲେ ହିଁ ଅନ୍ତର୍ଜାତୀୟ ସମୁଦାୟ କାଶ୍ମୀର ପ୍ରସଙ୍ଗର ସମାଧାନ କରିବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି। ଚିତ୍ରାଲିଙ୍କ ଏହି ପ୍ରସ୍ତାବକୁ ସଂସଦରେ ଅନ୍ୟ ଦଳର ନେତାମାନେ ସ୍ବାଗତ କରିଛନ୍ତି।

କାଶ୍ମୀରବାସୀଙ୍କୁ ମୁକ୍ତ କରିବା ଏବଂ ବିଭାଜନ ସମୟରେ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଲାଗି ଯୁଦ୍ଧ ଏକମାତ୍ର ବିକଳ୍ପ ବୋଲି ଅନ୍ୟ ଦଳର ସାଂସଦମାନେ କହିଛନ୍ତି। ସଂସଦରେ ପ୍ରାୟ ୩ ଘଣ୍ଟାର ଆଲୋଚନା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଲି ମହମ୍ମଦ ଖାନ ଭାରତ ବି​ରୋଧରେ ଯୋଜନାବଦ୍ଧ ଭାବେ ଆକ୍ରମଣ ସହିତ ଜାମ୍ମୁ-କାଶ୍ମୀରକୁ ଅଧିକାର କରିବା ଲାଗି ଦେଶବାସୀଙ୍କୁ ଏକାଠି ହେବାକୁ ଆହ୍ବନ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହା ଉପରେ ବର୍ତ୍ତମାନ ସୁଦ୍ଧା କିଛି କହିନାହାନ୍ତି।

Comments are closed.