ଆଗକୁ ଏଫଏଟିଏଫ ବୈଠକ; ୨୧ ଆତଙ୍କବାଦୀଙ୍କୁ ଭିଆଇପି ସୁବିଧା ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ : ଜମାତ୍‌ ଉଦ୍‌ ଦାୱା ମୁଖ୍ୟ ହାଫିଜ୍ ସୟିଦ୍‌, ଲସ୍କର ଇ ତୋଇବାର ଜକିଉର ରେହମାନ ଲାଖ୍‌ଭୀ, ଅଣ୍ଡର ୱାଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌, ଜୈସ୍‌ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ମାସୁଦ୍‌ ଆଝାର, ବାବର୍‌ ଖାଲ୍‌ସା ଇଣ୍ଟରନେସନାଲ (ବିକେଆଇ) ମୁଖ୍ୟ ୱାର୍ଦ୍ଧା ସିଂହ, ପାକିସ୍ତାନ ସ୍ଥିିତ ଖଲିସ୍ତାନ୍ ଜିନ୍ଦାବଦ ଫୋର୍ସ (କେଜେଡ୍‌ଏଫ)ର ରଞ୍ଜିତ୍ ସିଂହ ନୀତା ଓ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ମୁଖ୍ୟ ରିଆଜ୍ ଭଟ୍‌କଲ ଭଳି କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଫାଇନାନ୍ସସିଆଲ ଆକ୍ସନ୍‌ ଟାକ୍ସ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଦୁଇ ଦୁଇଥର ଚେତାବନୀ ଦେବା ସତ୍ତ୍ବେ ଏହା କାର୍ଯ୍ୟକାରୀ ହେଉ ନଥିବା ଭାରତ ଅଭିଯୋଗ କରିଛି। ଆତଙ୍କବାଦୀ ସଂଗଠନ ଗୁଡିକୁ ପ୍ରୋତ୍ସାହନ ଦେବା ସହିତ ଏଭଳି କୁଖ୍ୟାତ ଆତଙ୍କବାଦୀଙ୍କୁ ପାକିସ୍ତାନ ଭିଆଇପି ସୁବିଧା ପ୍ରଦାନ କରୁଥିବା ଭାରତ ଅଭିଯୋଗ କରିଛି। ଭାରତର ଏଭଳି ଅଭିଯୋଗ କ୍ରମେ ପାକିସ୍ତାନକୁ ବୈଶ୍ବିକ ଅର୍ଥନୈତିକ ସହାୟତା ପ୍ରଦାନ ନକରିବା ସପକ୍ଷରେ ରହିଛି ଏଫଏଟିଏଫ। ପୂର୍ବ ଦୁଇଥର ଏଫଏଟିଏଫ ବୈଠକରେ ପାକିସ୍ତାନକୁ ଧୂସର ତାଲିକାରେ ରଖି ଚେତାବନୀ ଦିଆଯାଇଥିଲା ନିଜକୁ ସୁଧାରିବା ଲାଗି। ପରବର୍ତ୍ତୀ ବୈଠକ ଜୁନ୍‌ ୨୦୨୦ରେ ହେବାକୁ ଥିଲା; ମାତ୍ର କରୋନା ସଂକ୍ରମଣ ଯୋଗୁଁ ଏହାକୁ ସେପ୍ଟେମ୍ବର ଶେଷକୁ ଘୁଞ୍ଚାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏଫଏଟିଏଫ ବୈଠକ ବସିବାକୁ ଥିଲେ ମଧ୍ୟ ପାକିସ୍ତାନ ଏଭଳି ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଭାରତ ଅଭିଯୋଗ କରିଛି। ଏଥର ଏଫଏଟିଏଫ ବୈଠକରେ ପାକିସ୍ତାନକୁ କଳାତାଲିକାଭୁକ୍ତ କରିବା ଲାଗି ପ୍ରୟାସ କରାଯିବ ବୋଲି ଭାରତୀୟ ଅଧିକାରୀ କହିଛନ୍ତି।

Comments are closed.