ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲା; ଅନ୍ତର୍ଜାତୀୟ ଫୋରମର ଦ୍ବାରସ୍ଥ ହେବ ପାକିସ୍ତାନ

ଇସଲାମାବାଦ: ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କୋର୍ଟ ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାକିସ୍ତାନ ପାଇଁ କଷ୍ଟଦାୟକ ହୋଇଛି। ଏନଆଇଏ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ଅନ୍ତର୍ଜାତୀୟ ଫୋରମର ଦ୍ବାରସ୍ଥ ହେବାକୁ ଯୋଜନା କରୁଛି।

ସୂଚନାଯୋଗ୍ୟେ, ୨୦୦୭ରେ ହରିୟାଣାର ପାନିପତଠାରେ ସମଝୌତା ଏକ୍ସପ୍ରେସରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୬୮ ଯାତ୍ରୀ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ପାକିସ୍ତାନୀ। ସମଝୌତା ଏକ୍ସପ୍ରେସ ଅମୃତସରର ଅଟ୍ଟାରି ରେଳ ଷ୍ଟେଶନ ଅଭିମୁଖେ ଯାଉଥିବାବେଳେ ବିସ୍ଫୋରଣ ଘଟି ୨ଟି ବଗି ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ସ୍ବାମୀ ଅସୀମାନନ୍ଦ, ଲୋକେଶ ଶର୍ମା, କମଲ ଚୌହ୍ବାନ ଏବଂ ରାଜିନ୍ଦର ଚୌଧୁରୀଙ୍କୁ କୋର୍ଟ ଦୋଷମୁକ୍ତ କରିବା ସହ ପାକିସ୍ତାନୀ ନାଗରିକ ରାହିଲା ୱାକିଲଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ।

ପାକିସ୍ତାନର ବୈଦେଶିକ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି, ସ୍ବାମୀ ଅସୀମାନନ୍ଦ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲେ। ସେ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଏହା ସ୍ବୀକାର କରିଥିଲେ ମଧ୍ୟ ପରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। କୋର୍ଟଙ୍କ ଏଭଳି ନିଷ୍ପତ୍ତି ଭାରତୀୟ ବିଚାର ବିଭାଗୀୟ ବ୍ୟବସ୍ଥାର ବିଶ୍ବସନୀୟତା ପ୍ରତି ପ୍ରଶ୍ବବାଚୀ ସୃଷ୍ଟି କରିଛି। ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯିବା ପରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଏହି ପ୍ରସଙ୍ଗ ଉଠାଯାଇଥିଲେ ମଧ୍ୟ ଭାରତ କୌଣସି ଉତ୍ତର ଦେଇନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୦ରେ ଏନଆଇଏ ଏହି ମାମଲାର ତଦନ୍ତ ହାତକୁ ନେବା ପରେ ୨୦୧୧ରେ ୮ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଅନ୍ୟ ୪ ଅଭିଯୁକ୍ତ ଥିଲେ ସୁନୀଲ ଯୋଶୀ, ରାମଚନ୍ଦ୍ର କାଲସଙ୍ଗ୍ରା, ସନ୍ଦୀପ ଦାଙ୍ଗେ ଏବଂ ଅମିତ। ଏମାନଙ୍କ ମଧ୍ୟରୁ ଆକ୍ରମଣର ମାଷ୍ଟରମାଇଣ୍ଡ ସୁନୀଲ ଯୋଶୀଙ୍କୁ ୨୦୦୭ରେ ମଧ୍ୟପ୍ରଦେଶର ଦେୱାସ ଜିଲା ଅନ୍ତର୍ଗତ ତାଙ୍କ ଘର ନିକଟରେ ହତ୍ୟା କରାଯାଇଥିଲା।

Comments are closed.