ପାକ୍‍ ଉଚ୍ଚାୟୁକ୍ତ କାର୍ଯ୍ୟାଳୟ ଭାରତ ବିରୋଧୀ ଷଡ଼ଯନ୍ତ୍ରର ପେଣ୍ଠସ୍ଥଳ: କାଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ବୟାନ

0

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ଚାଲିଛି। ଏପରିକି ମିର୍‍ୱାଇଜ୍‍ ଉମର ଫାରୁକ୍‍ ଏବଂ ସୟିଦ ଅଲ୍ଲୀ ସାହା ଗିଲାନୀଙ୍କ ଭଳି କାଶ୍ମୀରର ବହୁ ବିଚ୍ଛିନ୍ନତାବାଦୀ ନେତାଙ୍କର ପାକିସ୍ତାନ ଏବଂ ସେଠାକାର ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିଛି। ଏମାନେ ପାକ୍‍ ଉଚ୍ଚାୟୁକ୍ତକୁ ବାରମ୍ବାର ଗସ୍ତ କରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ଦ୍ୱାରା ଗିରଫ ଦୁଖତରାନ-ଇ-ମିଲ୍ଲତ (ଡିଇଏମ୍‍)ର ମୁଖ୍ୟା ଆସିୟା ଅନ୍ଦରାବି ଜେରା ବେଳେ ଏହା ପ୍ରକାଶ କରିଛନ୍ତି। ପାକିସ୍ତାନର ପୂର୍ବତନ ଆଇଏସ୍‍ଆଇ ମୁଖ୍ୟ ହମିଦ୍‍ ଗୁଲ, ଜମାତ୍‍ ଉଦ୍‍ ଦାୱା ମୁଖ୍ୟ ହାଫିଜ୍‍ ସୟିଦ, ପାକିସ୍ତାନ କୂଟନୀତିଜ୍ଞ ଅବଦୁଲ ବସିତ ଏବଂ ବୈଦେଶିକ ମନ୍ତ୍ରୀ ସରତାଜ ଅଜିଜ୍‍ଙ୍କ ସହିତ ତାଙ୍କର ନିୟମିତ ଯୋଗାଯୋଗ ଥିବା ଆସିୟା ଜେରା ବେଳେ ସ୍ୱୀକାର କରିଛନ୍ତି।
ସେ କହିଛନ୍ତି, କାଶ୍ମୀର ପ୍ରସଙ୍ଗକୁ ନେଇ ନିୟମିତ ଭାବେ ଏହି ନେତାମାନଙ୍କ ସହିତ ଟେଲିଫୋନ୍‍ ମାଧ୍ୟମରେ ତାଙ୍କର ଆଲୋଚନା ହୁଏ। ୨୦୧୫ରେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ପାକିସ୍ତାନର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ନୱାଜ୍‍ ସରିଫ୍‍ ତାଙ୍କୁ ଏକ ଚିଠି ଲେଖି ସମବେଦନା ଜଣାଇଥିଲେ। ପ୍ରତ୍ୟୁତ୍ତରମୂଳକ ଚିଠି ଲେଖି ପାକିସ୍ତାନ ସରକାର କାଶ୍ମୀର ପ୍ରସଙ୍ଗକୁ ଗୁରୁତ୍ୱ ଦେଉ ନ ଥିବା ଆସିୟା ଅଭିଯୋଗ କରିଥିଲେ। ଏକଦା କାଶ୍ମୀରକୁ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ ନିମନ୍ତେ ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ରାହିଲ ସରିଫ୍‍ଙ୍କୁ ସେଠାକାର ପୂର୍ବତନ ସେନାଧିକାରୀ ହମିଦ୍‍ ଗୁଲ୍‍ ମଧ୍ୟ ନିବେଦନ କରିଥିବା ଆସିୟା ପ୍ରକାଶ କରିଛନ୍ତି।
ଏନ୍‍ଆଇଏ ଅଧିକାରୀଙ୍କ ସୂଚନା ଅନୁସାରେ ପାକିସ୍ତାନ ଉପ ଉଚ୍ଚାୟୁକ୍ତ ସୟିଦ ହାଇଦରଙ୍କଠାରୁ ଆସିୟାଙ୍କ ନିକଟକୁ ନିୟମିତ ଫୋନ୍‍କଲ୍‍ ଆସେ। ହାଇଦରଙ୍କ ନମ୍ବରକୁ ସେ ‘ବେଟା ହାଇଦର’ ନାମରେ ନିଜ ଫୋନ୍‍ରେ ସଂରକ୍ଷିତ ରଖିଛନ୍ତି। ପାକିସ୍ତାନରେ ରହୁଥିବା ବହୁ ଆତଙ୍କବାଦୀଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। କାଶ୍ମୀରକୁ ସ୍ୱାଧୀନ କରିବା ନେଇ ସାମାଜିକ ଗଣମାଧ୍ୟମ ହ୍ୱାଟସଆପ୍‍ରେ ୪୦୦ ସଦସ୍ୟ ବିଶିଷ୍ଟ ଗ୍ରୁପ୍‍ ପ୍ରସ୍ତୁତ କରାଯାଇଛି। ଦୁଖତରାନ-ଇ-ମିଲ୍ଲତ, କାଶ୍ମୀର ଗଣମାଧ୍ୟମ, ପାକ୍‍ ଗଣମାଧ୍ୟମ ଏବଂ ସ୍ୱାଧୀନ କାଶ୍ମୀର ନାମକ ଏହି ଗ୍ରୁପ୍‍ଗୁଡିକୁ ଆସିୟାଙ୍କ ସହଯୋଗୀ ତଥା ହ୍ୱାଟସଆପ୍‍ ‘ଗ୍ରୁପ୍‍ ଆଡ୍‍ମିନ୍‍’ ସୋଫି ଫହମିଦା ପରିଚାଳନା କରିଥାଆନ୍ତି। ଆସିୟା ନିୟମିତ ଭାବେ ସ୍କାଇପ୍‍ ଏବଂ ହ୍ୱାଟସଆପ୍‍ ଅଡିଓ ମାଧ୍ୟମ ବାର୍ତ୍ତା ମାଧ୍ୟମରେ ଆମେରିକା କିମ୍ବା ଇଂଲଣ୍ଡରେ ‘କାଶ୍ମୀର ବନ୍ଦୁ, ତେହରିକ୍‍-ଇ-କାଶ୍ମୀର ତଥା ପାକିସ୍ତାନ ଦୂତାବାସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥାଆନ୍ତି। ସୁରକ୍ଷା ବାହିନୀ ଉପରେ ଟେକାପଥର ମାଡ଼କୁ ଆସିୟା ଯଥାର୍ଥ ଦର୍ଶାଇଥିବା ଏନ୍‍ଆଇଏ କହିଛି। ଆତଙ୍କବାଦୀଙ୍କ ସହିତ ସମ୍ପର୍କ ତଥା ସେମାନଙ୍କୁ ପାଣ୍ଠି ଯୋଗାଇବା, ଉତ୍ତେଜନା ସୃଷ୍ଟିକାରୀ ବକ୍ତବ୍ୟ ଦେବା ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୫୬ ବର୍ଷ ବୟସ୍କା ଆସିୟାଙ୍କୁ ଏନ୍‍ଆଇଏ ଗିରଫ କରିଥିଲା।

Leave A Reply