ପାକିସ୍ତାନ-ଚୀନ ବସ୍‍ ସେବା ଆରମ୍ଭ

0

ଲାହୋର : ଭାରତର ଦୃଢ ବିରୋଧ ସତ୍ତ୍ବେ ପାକିସ୍ତାନ-ଚୀନ ମଧ୍ୟରେ ମଙ୍ଗଳବାର ଠାରୁ ବସ୍‍ ସେବା ଆରମ୍ଭ ହୋଇଛି। ଲାହୋରରୁ ଆରମ୍ଭ ହୋଇଥିବା ଏହି ବସ୍‍ ସେବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ଦେଇ ଚଳାଚଳ କରିବ। ପାକିସ୍ତାନ ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସୁଜା ଏକ୍ସପ୍ରେସ ଏହି ବସ୍‍ ଚଳାଚଳକୁ ପରିଚାଳନା କରିବ। ଲାହୋରରୁ ଚୀନ ଜିନଜିଆଙ୍ଗ ପ୍ରଦେଶର କସଗର ମଧ୍ୟରେ ଏହି ବସ୍‍ ଚଳାଚଳ କରିବ। ୩୬ଘଣ୍ଟାର ଏହି ବସ୍‍ ଯାତ୍ରା ପାଇଁ ଗୋଟିଏ ପାଖର ଭଡା ୧୩ହଜାର ଟଙ୍କା ଥିବା ବେଳେ ଯିବା ଆସିବା ଭଡା ୨୩ହଜାର ଟଙ୍କା। ତେବେ ପାକିସ୍ତାନ ଓ ଚୀନର ଏପରି କାର୍ଯ୍ୟକୁ ଭାରତ ସରକାର ବେଆଇନ ଓ ଅବୈଧ ବୋଲି ଦର୍ଶାଇଛନ୍ତି। ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ସରକାରଙ୍କ ନିକଟରେ ନିଜର ଉଦ୍‍ବେଗ ଜଣାଇଥିଲା। କାରଣ ଏହି ବସ୍‍ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଦେଇ ଯିବା ଆସିବା କରିବ। ତେଣୁ ଏହା ଭାରତର ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ଏହାର ଉଦ୍‍ବେଗରେ ଦର୍ଶାଇଥିଲା। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ୧୯୬୩ ଚୀନ-ପାକିସ୍ତାନ ସୀମା ରାଜିନାମାକୁ ଭାରତ ଅବୈଧ ଦର୍ଶାଇଛି ତେଣୁ ଭାରତର ଅନୁମତି ବିନା ପିଓକେ ଦେଇ କୌଣସି ପ୍ରକାର କାର୍ଯ୍ୟ କରାଗଲେ ଏହା ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଉଲ୍ଲଙ୍ଘନ କରିବ।
ତେବେ ଭାରତର ଏପରି ଉଦ୍‍ବେଗକୁ ପାକିସ୍ତାନ ଅଗ୍ରାହ୍ୟ କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ଆନ୍ତର୍ଜାତିକ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ସରକାରଙ୍କ ଏପରି ଉଦ୍ୟମ ଇତିହାସକୁ ପରିବର୍ତ୍ତନ କରିପାରିବ ନାହିଁ ବୋଲି ପାକିସ୍ତାନ କହିଛି।

Leave A Reply