ପାକିସ୍ତାନ ବ୍ଲାକ୍‌ଆଉଟ୍‌

ଇସଲାମାବାଦ : ବିଦ୍ୟୁତ୍‌ ବଣ୍ଟନରେ ବିଭ୍ରାଟ ଯୋଗୁଁ ପାକିସ୍ତାନର ଅଧିକାଂଶ ସହର ବ୍ଲାକଆଉଟ୍ (ଅନ୍ଧକାରଚ୍ଛନ୍ନ) ହୋଇପଡିଛି। ଶନିବାର ମଧ୍ୟରାତିରେ ଏହି ବ୍ଲାକ୍‌ଆଉଟ୍‌ ହୋଇଥିବାବେଳେ ରବିବାର କେତେକ ସହରରେ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହୋଇଛି। ପାକିସ୍ତାନ ଶକ୍ତି ମନ୍ତ୍ରୀ ଓମାର ଆୟୁବ୍ ଖାନ କହିଛନ୍ତି ଯେ କରାଚି, ରାୱଲପିଣ୍ଡି, ଲାହୋର, ଇସଲାମାବାଦ, ମୁଲତାନ ଓ ଅନ୍ୟାନ୍ୟ ସହରରେ ଏହି ବ୍ଲାକ୍‌ଆଉଟ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ବ୍ଲାକ୍‌ ଆଉଟ୍‌ ଯୋଗୁଁ ଆନ୍ତର୍ଜାତିକ ବିମାନବନ୍ଦରରେ ଓ ରେଳ ଷ୍ଟେସନଗୁଡିକରେ ସମସ୍ୟା ସୃଷ୍ଟି ହୋଇଥିଲା। ରବିବାର ଇସଲାମାବାଦ, ରାୱଲପିଣ୍ଡି, ଲାହୋର, ମୁଲତାନ, କରାଚି ଓ ​‌ଫୈସଲାବାଦର ଆଶିଂକ କିମ୍ବା ସମ୍ପୂର୍ଣ୍ଣ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ସିବଲ ଫରାଜ କହିଛନ୍ତି ଯେ ଶନିବାର ରାତି ୧୧ଟା ୪୧ରେ ଗୁଡୁ ପାୱାର ପ୍ଲାଣ୍ଟରେ ବୈଷୟିକ ତ୍ରୁଟି ଯୋଗୁଁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହି ପାୱାର ପ୍ଲାଟ୍‌ର ୧୦, ୩୨୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପନ୍ନ ହୋଇଥାଏ। ଏହି ପାୱାର ପ୍ଲାଣ୍ଟ ଦେଶର ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଇଥାଏ। ଫରାଜ କହିଛନ୍ତି ଯେ ଟ୍ରାନ୍ସମିଶନ ବ୍ୟବସ୍ଥା ବହୁତ ପୁରୁଣା ହୋଇଥିବାରୁ ବିଦ୍ୟୁତ୍‌ ଯୋଗାଣରେ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ ପୂର୍ବତନ ସରକାରକୁ ଦାୟୀ କରିଛନ୍ତି।

Comments are closed.