ପାକିସ୍ତାନକୁ ରୋକଠୋକ୍ ଶୁଣାଇଲା ଭାରତ: ୭ ଦିନରେ ହାଇକମିଶନ କାର୍ଯ୍ୟାଳୟରୁ ଅଧା କର୍ମଚାରୀ ହଟାଅ

ନୂଆଦିଲ୍ଲୀସ୍ଥିତ  ହାଇ କମିଶନର ଅଫିସରୁ ଅଧା କର୍ମଚାରୀ ଫେରାଇ ନେବାକୁ ପାକିସ୍ଥାନକୁ ରୋକଠୋକ୍ କହିଛି ଭାରତ । ୭ ଦିନ ମଧ୍ୟରେ ପାକ୍ ହାଇ କମିଶନରଙ୍କ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ଅଧା ହେବା ଆବଶ୍ୟକ । ପାକିସ୍ତାନ ଇସଲାମାବାଦସ୍ଥିତ ଭାରତୀୟ ହାଇ କମିଶନରଙ୍କ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ କହିବାର କେଇଘଣ୍ଟା ପରେ ଭାରତ ପକ୍ଷରୁ ପାଲଟା ପଦକ୍ଷେପ ନିଆଯାଇଛି ।

ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ପାକିସ୍ଥାନ ହାଇ କମିଶନର ଚାର୍ଜ ଦି ଆଫେୟାର୍ସଙ୍କୁ ସମନ କରାଯାଇ ଏହି ନିଷ୍ପତ୍ତି ସଂପର୍କରେ ଜଣାଇ ଦିଆଯାଇଛି । ପାକିସ୍ତାନ ହାଇ କମିଶନରଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଓ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପାକିସ୍ଥାନ ଚାର୍ଜ ଦି ଆଫେୟାର୍ସଙ୍କୁ ଅବଗତ କରାଯାଇଛି । ଏହା ସହ ପାକିସ୍ତାନରେ ଭାରତୀୟ ଦୂତାବାସର ଦୁଇ କର୍ମଚାରୀଙ୍କୁ ଅପହରଣ କରିବା, ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା, ସେମାନଙ୍କ ନାମରେ ମିଥ୍ୟା ଦୁର୍ଘଟଣା ମାମଲା ରୁଜୁ କରିବା ପ୍ରସଙ୍ଗ ମଧ୍ୟ ଏହି ଅବସରରେ ପାକ୍ ଅଧିକାରୀଙ୍କୁ ବୈଦେଶିକ ବ୍ୟାପାର ବିଭାଗ ଅବଗତ କରିଛି ।

ଭିଏନା ଚୁକ୍ତିନାମା ଅନୁସାରେ ପାକିସ୍ତାନ ଓ ଏହାର ଅଧିକାରୀଙ୍କ ବ୍ୟବହାର ଆଦୌ ଶାଳୀନ ନୁହେଁ । ଭିଏନା ଚୁକ୍ତିନାମା ଅନୁସାରେ କୂଟନୀତିଜ୍ଞ ଓ କନ୍ସୁଲାର ଅଫିସରମାନଙ୍କ ପ୍ରତି ଉଭୟ ଦେଶ ଅତ୍ୟନ୍ତ ସଂଯମୀ ମନୋଭାବ ପୋଷଣ କରିବେ ବୋଲି ଭିଏନା ଚୁକ୍ତିନାମାରେ ଉଲ୍ଲେଖ କରାଯାଇଥିଲା । ଏହା ସହ ସୀମା ପାର୍ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ପାକିସ୍ତାନ ଓ ଏହାର ଅଧିକାରୀଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ନକରାତ୍ମକ ବୋଲି ବୈଦେଶିକ ବ୍ୟାପାର ବିଭାଗ କହିଛି ।

Comments are closed.