ଜଣେ ଓଡ଼ିଆଙ୍କ ସମେତ ୪ ଭାରତୀୟଙ୍କୁ ଜାତିସଙ୍ଘ ଆତଙ୍କବାଦୀ ତାଲିକାଭୁକ୍ତ କରିବାକୁ ପାକିସ୍ତାନ, ଚୀନର ଉଦ୍ୟମ

ନୂଆଦିଲ୍ଲୀ : ପାକିସ୍ତାନ ମାଟିରେ ପ୍ରତିପାଳିତ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ମେ’ ୧ରେ ବିଶ୍ବ ଆତଙ୍କବାଦୀ ଘୋଷିତ ହେବା ପରେ ପାକିସ୍ତାନ ଭାରତ ବିରୋଧରେ ଏବେ ଯେସାକୁ ତେସା ନୀତି ଆପଣାଇଛି। ଏଥିକ୍ରମେ ଜାତିସଙ୍ଘ ନିରାପତ୍ତା ପରିଷଦର ୧୨୬୭ ଅଲକାଏଦା କଟକଣା କମିଟିର ଆତଙ୍କବାଦୀ ତାଲିକାରେ ୪ ଜଣ ଭାରତୀୟଙ୍କ ନାମ ସାମିଲ କରିବାକୁ ପାକିସ୍ତାନ ଏହାର ସର୍ବକାଳୀନ ସହଯୋଗୀ ଚୀନ ସହାୟତାରେ ଉଦ୍ୟମ କରିଛି। ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଅା ବ୍ୟକ୍ତି ଗୋବିନ୍ଦ ପଟ୍ଟନାୟକ ଦୁଗିଭଲାସା ଅନ୍ତର୍ଭୁକ୍ତ। ନଭେମ୍ବର ୧୮ରେ କାବୁଲ ଦୂତାବାସରୁ ବାହାର କରାଯାଇଥିବା ଓଡ଼ିଶାରେ ଜନ୍ମିତ ଦୁଗିଭଲସାଙ୍କ ବିରୋଧରେ ୨୦୧୮ ଜୁଲାଇ ୧୩ରେ ବେଲୁଚିସ୍ତାନର ମସ୍ତୁଙ୍ଗ ଠାରେ ପାକିସ୍ତାନୀ ରାଜନୀତିଜ୍ଞ ସିରାଜ ରାଇସାନିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଅଭିଯୋଗ ରହିଛି। ଏହି ଘଟଣାରେ ୧୬୦ ଲୋକ ପ୍ରାଣ ହରାଇଥିଲେ। ଓଡ଼ିଶାରେ ବିକମ୍‌ ପାସ କରିଥିବା ଦୁଗିଭଲସା ବିଶାଖାପାଟଣାମରୁ ଏମବିଏ ପାସ କରିଥିଲେ। ପରେ ସେ କାବୁଲର ଫୋନିକ୍ସ କନସଲଟିଂ ସର୍ଭିସେସରେ କାମ କରୁଥିଲେ। ସେହିଭଳି ବେଲୁଚିସ୍ତାନ ଓ ପେଶାୱାରଠାରେ ଆକ୍ରମଣ କରିଥିବା ଅଭିଯୋଗରେ ପାକିସ୍ତାନ ଏମାନଙ୍କ ମଧ୍ୟରୁ ୨ ଜଣ ଭାରତୀୟଙ୍କ ନାମରେ ଏଫଆଇଆର ରୁଜୁ କରିଥିଲା। ଚତୁର୍ଥ ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶ ନିବାସୀ ଆପ୍ପାଜୀ ଆଙ୍ଗାରା ଯିଏକି କାବୁଲରେ ଏକ ବ୍ୟାଙ୍କରେ ସଫ୍ଟୱେର ଡେଭଲପର ଭାବେ କାମ କରୁଥିଲେ। ମାତ୍ର ପାକିସ୍ତାନ ତାଙ୍କ ବିରୋଧରେ ୨୦୧୭ ଫେବୃଆରୀ ୧୭ରେ ଲାହୋରସ୍ଥିତ ମଲ ରୋଡରେ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଅଭିଯୋଗ ଆଣିଥିଲା। ଏହି ଘଟଣାରେ ଜମାତ-ଉଲ-ଅହରାରର ହାତ ଥିବା ଦର୍ଶାଯାଇଥିଲା। ସେହିଭଳି ୨୦୧୪ ଡିସେମ୍ବର ୧୬ରେ ମଧ୍ୟ ସେ ପେଶାୱାରର ଏକ ସେନା ସ୍କୁଲ ଉପରେ ଆକ୍ରମଣ କରିଥିବା ୧୨୬୭ କମିଟିକୁ ପ୍ରଦତ୍ତ ଦସ୍ତାବିଜରେ ଦର୍ଶାଯାଇଛି। ଅଜୟ ମିସ୍ତ୍ରି ଏବଂ ବେଣୁ ମାଧବଙ୍କୁ ମଧ୍ୟ ଏହି ତାଲିକାଭୁକ୍ତ କରିବାକୁ ଉଦ୍ୟମ ହେଉଥିବା ଭାରତୀୟ ଗୁଇନ୍ଦା ଦର୍ଶାଇଛି। ଏ ନେଇ ଗତ ସପ୍ତାହରେ ଚୀନ ସହାୟତାରେ ପାକ ଉକ୍ତ କଟକଣା କମିଟି ନିକଟରେ ନିବେଦନ କରିଛି।

Comments are closed.