ନିଜ ଦୂତାବାସ ଟୁଇଟ୍‌କୁ ନେଇ ଇମ୍ରାନ ପୁଣି ଲଜ୍ଜିତ

ଇସଲାମାବାଦ : ଇମ୍ରାନ ଖାଁଙ୍କ ନେତୃତ୍ବ ପାକିସ୍ତାନ ସରକାର ନିଜର ଦୂତାବାସର ଟୁଇଟ୍‌କୁ ନେଇ ପୁଣି ଥରେ ଲଜ୍ଜିତ ହୋଇଛନ୍ତି। ଜେଏଫ୍‌୧୭ ଯୁଦ୍ଧ ବିମାନକୁ ନେଇ ଆର୍ଜେଣ୍ଟିନାସ୍ଥିତ ପାକିସ୍ତାନ ଦୂତାବାସ କାର୍ଯ୍ୟାଳୟ ବୁଧବାର ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଥିବା ବାର୍ତ୍ତା ଇମ୍ରାନଙ୍କ ସରକାରକୁ ଲଜ୍ଜିତ କରିଛି । ଚୀନ ଓ ପାକିସ୍ତାନ ମିଳିତ ଭାବେ ତିଆରି କରିଥିବା ଜେଏଫ୧୭ ଯୁଦ୍ଧବିମାନ ପାକିସ୍ତାନ ବାୟୁସେନାରେ ବ୍ୟବହାର ହେଉଛି। ପାକିସ୍ତାନ ଠାରୁ ଏହି ଯୁଦ୍ଧବିମାନକୁ କିଣିବା ଲାଗି ମ୍ୟାଁମାର ଓ ନାଇଜେରିଆ ଚୁକ୍ତି କରିଛନ୍ତି । ସେହିପରି ଆର୍ଜେଣ୍ଟିନାକୁ ଏହି ଯୁଦ୍ଧବିମାନ ବିକ୍ରି କରିବା ଲାଗି ପାକିସ୍ତାନ ଯୋଗାଯୋଗ ଚଳାଇଛି । ତେବେ ଚୁକ୍ତି ଅନୁଯାୟୀ ମ୍ୟାଁମାର ଓ ନାଇଜେରିଆକୁ ପାକିସ୍ତାନ ଏହି ଯୁଦ୍ଧବିମାନ ଯୋଗାଇବାରେ ଅସମର୍ଥ ହୋଇଛି । ଫଳରେ ଆର୍ଜେଣ୍ଟିନା ସହିତ ହେବାକୁ ଥିବା ଚୁକ୍ତି ଏବେ ବିଫଳ ହେବାକୁ ବସିଛି। ଏପରିସ୍ଥିତିରେ ପାକ୍ ଦୂତାବାସ ଏହାର ପୋଷ୍ଟରେ ଲେଖିଛି ଯେ ଚୁକ୍ତି ବାତିଲ ପାଇଁ ରାଷ୍ଟ୍ରଦୂତଙ୍କୁ ଦାୟୀ କରାଯାଇପାରିବ ନାହିଁ। ଦୂତାବାସର ଏପରି ବାର୍ତ୍ତାକୁ ନେଇ ପାକ୍ ସରକାର ଲଜ୍ଜିତ ହୋଇଛନ୍ତି । ଏହା ପୂର୍ବରୁ ସାଇବେରିଆସ୍ଥିତ ପାକିସ୍ତାନ ଦୂତାବାସ କର୍ମଚାରୀ ଦରମା ନ ପାଇବାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଦୂତାବାସ ଏହାର ଟ୍ବିଟର ପୃଷ୍ଠାରେ ଲେଖିଥିଲା ‘ଆମେ ସରକାରୀ କର୍ମଚାରୀ ୩ମାସ ହେଲା ଦରମା ନ ପାଇ କାର୍ଯ୍ୟ କରୁଛୁ। ସ୍କୁଲ ଫି’ ଦେଇ ନପାରିବାରୁ ଆମ ପିଲାମାନେ ସ୍କୁଲରୁ ବିଦା ହୋଇଛନ୍ତି।’ ଦୂତାବାସର ଏପରି ଟୁଇଟ୍‌କୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହାର ସ୍ପଷ୍ଟୀକରଣରେ କହିଥିଲା ଯେ ଟୁଇଟର୍‌ ଆକାଉଣ୍ଟକୁ କେହି ହ୍ୟାକ୍ କରି ଏପରି ବାର୍ତ୍ତା ପୋଷ୍ଟ କରିଛି। ପରେ ଏହି ଟୁଇଟ୍‌କୁ ଡିଲିଟ୍ କରାଯାଇଥିଲା।

Comments are closed.