ପାନ ମସଲା ବିଜ୍ଞାପନ କରି ଫସିଲେ ଅକ୍ଷୟ

ନୂଆଦିଲ୍ଲୀ: ଶାହରୁଖ ଖାନ ଓ ଅଜୟ ଦେବଗନଙ୍କ ପରେ ଏବେ ପାନ ମସଲା ବିଜ୍ଞାପନରେ ତୃତୀୟ ନାଁ ଯୋଡ଼ି ହୋଇଛି। ଏଥର ଅକ୍ଷୟ କୁମାର ପାନ ସମଲାର ଏକ ବିଜ୍ଞାପନ ପ୍ରଚାର କରିବା ଆରମ୍ଭ କରିଛନ୍ତି। କର୍କଟ ଭଳି ଗମ୍ଭୀର ରୋଗ ସୃଷ୍ଟିକାରୀ ଦ୍ରବ୍ୟର ପ୍ରଚାର କରିବାକୁ ନେଇ ଅଭିନେତାଙ୍କୁ ଖୁବ୍‌ ସମାଲୋଚନା କରାଯାଉଛି। ଅକ୍ଷୟ କୁମାରଙ୍କ ଏହି କାମ ପରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ(ସିବିଏଫସି)ର ପୂର୍ବତନ ମୁଖ୍ୟ ପହଲାଜ ନିହଲାନୀ ମଧ୍ୟ ତାଙ୍କୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ଜଣେ ଅଭିନେତା କର୍କଟ ରୋଗ କାରକ ଦ୍ରବ୍ୟର ପ୍ରଚାର କରୁଛନ୍ତି।

ଅକ୍ଷୟ କୁମାର ଟିଭିରେ ‘ଜୁବାନ୍‌ କେଶରୀ’ କହିବା ପରେ ପହଲାଜ ନିହଲାନୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗୋଟିଏ ପଟେ ଜଣେ ସୁପରଷ୍ଟାର ଅଭିନେତା​‌ ସିଗାରେଟ୍‌ରେ ଟଙ୍କା ବର୍ବାଦ ନକରି ସାନିଟାରୀ ନ୍ୟାପକିନରେ ଟଙ୍କା ଖର୍ଚ୍ଚ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି। ଅପରପକ୍ଷେ ସେହି ଅଭିନେତା ପାନ ମସଲା ଖାଇବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏସବୁ ଜନସାଧାରଣକୁ ଦ୍ବନ୍ଦ୍ବରେ ପକାଉଛି। ଏଭଳି ଅଭିନେତାଙ୍କୁ ଚଳଚ୍ଚିତ୍ରରୁ ହଟାଇ ଦେବା ଆବଶ୍ୟକ। ସରକାର ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ।

ପହଲାଜ କହିଛନ୍ତି, ଅକ୍ଷୟ ଜଣେ ସ୍ବଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ଅଭିନେତା। ଜନସାଧାରଣ ତାଙ୍କୁ ନାୟକ ଭାବେ ଦେଖନ୍ତି। ତେବେ ସେ କାହିଁକି କର୍କଟ ରୋଗ ସୃଷ୍ଟିକାରୀ ଦ୍ରବ୍ୟର ପ୍ରଚାର ପ୍ରସାର କରୁଛନ୍ତି। ସେ ଆହୁରି କହିଛନ୍ତି, କେବଳ ଅକ୍ଷୟ ନୁହେଁ ବରଂ ଗୋବିନ୍ଦା ଓ ପିୟର୍ସ ବ୍ରୋସନନ ମଧ୍ୟ ଏଭଳି ଜିନିଷର ପ୍ରଚାର  କରୁଛନ୍ତି। ମଦ ଓ ପାନ ମସଲାର ପ୍ରଚାର ବେଆଇନ ଏବଂ ଅସାମ୍ବିଧାନିକ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.