ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ପାଇଁ ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା

ପୁରୀ : ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ଜନଜାଗରଣ ସୃଷ୍ଟି ଉଦେଶ୍ୟରେ ଶନିବାର ପୁରୀରୁ ଚିଲିକା ଉପକୂଳ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଭୁବନେଶ୍ବର ସାଇକ୍ଲିଙ୍ଗ ଓ ଆଡଭେଞ୍ଚର କ୍ଲବ ଏବଂ ଓଡ଼ିଶା ଇକୋ ଟୁରିଜିମ୍‌ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ ପରିବହନ କମିଶନର ତଥା ଆଡଭେଞ୍ଚର କ୍ଳବ ସଭାପତି ସଞ୍ଜୀବ କୁମାର ପଣ୍ଡା ପଦଯାତ୍ରାର ନେତୃତ୍ବ ନେଇଛନ୍ତି।
ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରୁ ସକାଳେ ଆରମ୍ଭ ହୋଇଥିବା ସଚେତନତା ପଦଯାତ୍ରା ଚିଲିକାର ଧଳାବାଲି ସମୁଦ୍ର ମୁହାଣରେ ସନ୍ଧ୍ୟାରେ ପହଞ୍ଚିଛି। ପଦଯାତ୍ରାରେ ଯାଇଥିବା ଶତାଧିକ ପରିବେଶପ୍ରେମୀ ସେଠାରେ ରାତ୍ରିଯାପନ କରିଛନ୍ତି। ରାସ୍ତାର ବିଭିନ୍ନ ସ୍ଥାନରେ ସେମାନେ ସ୍ଥାନୀୟ ଅଧିବାସୀଙ୍କୁ ସାମୁଦ୍ରିକ କଇଁଚ, ବେଳାଭୂମି ଏବଂ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ବାଲିହରଚଣ୍ଡୀ ନିକଟରେ ସେମାନେ କିଛିସମୟ ଅବସ୍ଥାନ କରିଥିଲେ। ୭ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଡଭେଞ୍ଚର କ୍ଲବ କୋଷାଧ୍ୟକ୍ଷ ଗୋପାଳ ସାହୁ, ମୁଖପାତ୍ର ସନ୍ତୋଷ ରାଉତ, ଓଡ଼ିଶା ଇକୋ ଟୁରିଜିମ୍‌ ଫାଉଣ୍ଡେସନ ସଭାପତି ଯୁଗବ୍ରତ କର, ନଟବର ସାହୁ, ଡଃ ଉତ୍କଳ ଖାଡେଙ୍ଗା, ପ୍ରମୋଦ କୁମାର ପାତ୍ର, ଶାନ୍ତିରଞ୍ଜନ ମିଶ୍ର, ସୁଶାନ୍ତ ପାତ୍ର, ଆଦିତ୍ୟ ମହାନ୍ତି, ଧନଞ୍ଜୟ ମଲିକ, ଶୁଭ୍ରାଂଶୁ କୁମାର ମହାପାତ୍ର ପ୍ରମୁଖ ସେଥିରେ ଅଂଶଗ୍ରହଣ କରିଛନ୍ତି।

Comments are closed.