‘ସମାଜ’ ପ୍ରଭାବ – ପଦ୍ମଶ୍ରୀ ଦୈତାରୀଙ୍କୁ ମିଳିଲା ଆର୍ଥିକ ସହାୟତା

ଭୁବନେଶ୍ବର: ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଦୁଃଖ ଶୁଣିଛନ୍ତି ସରକାର। ତାଙ୍କୁ ପ୍ରତିଶ୍ରୁତି ମୁତାବକ ମାସିକ ୧୦ହଜାର ଟଙ୍କା ଲେଖାଏଁ ମୋଟ ୩ ମାସର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତଳ ବୈତରଣୀ ଗାଁର ଦୈତାରୀ ନାୟକ ଅଭାବ ଅନଟନରେ ପରିବାର ପ୍ରତିପୋଷଣ କରୁଥିବା ଖବର ପ୍ରଥମେ ‘ସମାଜ’ରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପରେ ଗତ ଜୁଲାଇ ୮ରେ ରାଜ୍ୟ ସରକାର ଅନଟନରେ ଥିବା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ।

ଏହି କ୍ରମରେ ଓଡ଼ିଶାର ମାଉଣ୍ଟେନ ମ୍ୟାନ୍‌ ପଦ୍ମଶ୍ରୀ ଦୈତାରୀଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତାଙ୍କ ବ୍ୟାଙ୍କ ଜମାଖାତାରେ ମାସିକ ୧୦ହଜାର ଟଙ୍କା ହାରରେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସର ୩୦ ହଜାର ଟଙ୍କା ପୈଠ କରାଯାଇଛି। ଦୈତାରୀଙ୍କ ସମେତ ରାଜ୍ୟର ୫ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ସହାୟତା ପ୍ରଦାନ କରାଯାଇଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Comments are closed.