ଦୀପାଳି ଏ ମାଟିର ଝିଅ। ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ରହିଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀପାଳି ଏ ମାଟିର ଝିଅ । ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ପାଇଁ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ନବ ଦାସ ଜଣେ ଲୋକପ୍ରିୟ ଓ ଦକ୍ଷ ନେତା ଥିଲେ। ଏବେ ଦୀପାଳି ଝାରସୁଗୁଡାର ବିକାଶ ପାଇଁ ଆଗେଇ ଆସିଛନ୍ତି । ବିଜେଡି ମହିଳାଙ୍କ ସଶକ୍ତିକରଣରେ ବିଶ୍ୱାସ କରେ। ବିଜେଡି ଯୁବ ସଶକ୍ତିକରଣରେ ବିଶ୍ୱାସ କରେ। ଝାରସୁଗୁଡାର ବିକାଶ ପାଇଁ ସବୁବେଳେ ପ୍ରୟାସ କରାଯାଉଛି। ଆପଣଙ୍କ ସହଯୋଗ ମିଳିଲେ ବିକାଶ ଆହୁରି ଆଗକୁ ବଢିବ। ଝାରସୁଗୁଡାକୁ ଦେଶର ୧ନଂ ଶିଳ୍ପ ସହର କରିବାକୁ ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ମୋର ପ୍ରଣାମ। ଏ ମାଟିକୁ ମୋର ପ୍ରଣାମ। ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ମୁଁ ପ୍ରଥମେ ଆପଣମାନଙ୍କ ପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ। ସେ ଆଜି ଆମ ଭିତରେ ନାହାନ୍ତି। ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ। ଆଜି ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି। ଆପଣ ଜାଣନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତା ଝିଅ। ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି। ମୋର ବିଶ୍ବାସ, ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ। ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି। ଆପଣମାନେ ବିକାଶରେ ବିଶ୍ବାସ କରନ୍ତି। ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି। ବିଜୁ ଜନତା ଦଳ ମା’ମାନଙ୍କ କଲ୍ୟାଣରେ ବିଶ୍ବାସ କରେ। ମା’ ମାନଙ୍କ ସଶକ୍ତିକରଣରେ ବିଶ୍ବାସ କରେ। ଚାଷୀ ଭାଇର ସଶକ୍ତିକରଣ ଉପରେ ବିଶ୍ବାସ କରେ। ଯୁବଶକ୍ତିର ସଶକ୍ତିକରଣରେ ବିଶ୍ବାସ କରେ। ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ।

ନିର୍ବାଚନରେ ହାର ଜିତ୍‌ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଜରୁରୀ। କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ। ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି। ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି। ଗାଳି ଦେଉଛନ୍ତି। ଏହା ମୋତେ ବହୁତ ଦୁଃଖ ଦେଇଛି। ଦୀପାଳି ଏ ମାଟିର ଝିଅ । ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି। ମୋର ଅନୁରୋଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Comments are closed.