ପଦ୍ମପୁର ଜିଲାପରିଷଦ ଉପନିର୍ବାଚନ: ପ୍ରଚାର ଶେଷ, ଆସନ୍ତା ୨୪ ଭୋଟ ଗ୍ରହଣ

ଗୁଣପୁର: ପଦ୍ମପୁର ‘ଖ’ ଜୋନ ଜିଲା ପରିଷଦ ଉପନିର୍ବାଚନ ପାଇଁ ଆଜି ଚାରି ପ୍ରମୁଖ ଦଳର ପ୍ରଚାର ଶେଷ ହୋଇଛି । ଆସନ୍ତା ବୁଧବାର ଦିନ ମତଦାନ ହେବ । ତେଣୁ ବିଭିନ୍ନ ଦଳ ପକ୍ଷରୁ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଉଛି।

ବିଜେଡିର କରୁଣାକର ଶବର, ବିଜେପିର ବିଦ୍ୟା ଶବର, କଂଗ୍ରେସର ମାନୁଆଲ ମାଝି, ସିପିଆଇ(ଏମଏଲ)ର ବାବୁଲା ମାଝି ନିର୍ବାଚନ ମଇଦାନରେ ଅଛନ୍ତି । ନାମାଙ୍କନ ଦାଖଲ ପରଠାରୁ ଏହି ୪ ଦଳ ବ୍ୟାପକ ପ୍ରଚାର କରିଥିବା ଦେଖିବାକୁ  ମିଳିଛି । କଂଗ୍ରେସର ଏହି ଗଢକୁ କିଏ ହାତେଇବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ସମସ୍ତ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି।

ବିଜେଡିର ଜିଲା ସଭାପତି ସୁଧୀର ଦାଶ, ରାଜ୍ୟସଭା ସଦସ୍ୟ ଏନ. ଭାସ୍କର ରାଓ, ବିଧାୟକ ରଘୁନାଥ ଗମାଙ୍ଗ, ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଜିଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଶିବଶଙ୍କର ଉଲାକା, ରାଜ୍ୟ ସାଂଗଠନିକ କର୍ମକର୍ତ୍ତା ମାନସ ମହାନ୍ତି, ଜିଲା ପ୍ରଭାରୀ ଗୋବିନ୍ଦ ଜୈନ, ରାମଚନ୍ଦ୍ର ବେହେରା ଓ କଂଗ୍ରେସର କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲକା ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିଥିଲେ। ସେହିପରି ଜିଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ସାଂସଦ ପ୍ରତିନିଧି ଏସ. ବାବାପ୍ରସାଦ, ଗୁଣପୁର ସହର କଂଗ୍ରେସ ସଭାପତି ଶ୍ରୀକାନ୍ତ ବେହେରା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ। ସିପିଆଇ(ଏମଏଲ)ର କେନ୍ଦ୍ରୀୟ ସଦସ୍ୟ ତ୍ରିପତି ଗମାଙ୍ଗ, ଦାମୋଦର ଶବର, ସୋମନାଥ ମାଝି ପ୍ରମୁଖ ଛାମୁଆ ନେତା ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଏହି ଜୋନରେ ୭ଟି ପଞ୍ଚାୟତ ଯଥା ଗୁଲୁଗୁଡା, ନୂଆଗଡ, ଲିକିଟିପଦର, ଜାତିଲି, ଇନ୍ଦୁପୁର, ତେମ୍ବାଗୁଡା ଏବଂ ଆଖୁସିଙ୍ଗି ରହିଛି। ଆସନ୍ତା ବୁଧବାର ଦିନ ୮୫ଟି ବୁଥରେ ମତଦାନ ହେବ। ଏଥିନିମନ୍ତେ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଜୋନରେ ୨୧ହଜାର ୯୯୫ଭୋଟ ଥିବାବେଳେ ମହିଳା ଭୋଟର ୧୧ହଜାର ୩୫୦, ପୁରୁଷ ଭୋଟର ୧୦ହଜାର ୬୪୫ ଜଣ ରହିଛନ୍ତି।

Comments are closed.