ବଛେନ୍ଦ୍ରୀଙ୍କୁ ପଦ୍ମଭୂଷଣ, ୮ କ୍ରୀଡାବିତ୍‌ଙ୍କୁ ପଦ୍ମଶ୍ରୀ

0

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ମହିଳା ପର୍ବତାରୋହୀ ବଚ୍ଛେନ୍ଦ୍ରୀ ପାଲଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିବାବେଳେ ୮ ଜଣ କ୍ରୀଡାବିତ୍‌ଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୟନ କରାଯାଇଛି ।  ପଦ୍ମଶ୍ରୀ ତାଲିକାରେ ସ୍ଥାନ ପାଇଥିବା କ୍ରୀଡାବିିତ୍‌ମାନେ ହେଲେ କ୍ରିକେଟର ଗୌତମ ଗମ୍ଭୀର, ମହିଳା ଚେସ୍‌ ତାରକା ଦ୍ରେଣାବଳୀ ହାରିକା, ଫୁଟବଲ ଖେଳାଳି ସୁନିଲ ଛେତ୍ରି, ଟେବୁଲ ଟେନିସ ଖେଳାଳି ଶରତ କମଲ, ମହିଳା ତୀରନ୍ଦାଜ ବୋମ୍ବାଲ୍ୟା ଦେବୀ, ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ମହିଳା ବାସ୍କେଟବଲ ଖେଳାଳି ପ୍ରଶାନ୍ତି ସିଂହ ଓ କବାଡି ତାରକା ଅଜୟ ଠାକୁର।
୬୪ ବର୍ଷୀୟା ବଛେନ୍ଦ୍ରୀ ପ୍ରଥମ ଭାରତୀୟ ମହିଳା ଭାବେ ୧୯୮୪ରେ ବିଶ୍ବର ଉଚ୍ଚତମ ଶୃଙ୍ଗ୍‌ ଏଭରେଷ୍ଟ ଆରୋହଣ କରିଥିଲେ। ୧୯୮୪ରେ ତାଙ୍କୁ ପଦ୍ମଶ୍ରୀ ଓ ୧୯୮୬ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବାମହାତି କ୍ରିକେଟର ଗୌତମ ଗମ୍ଭୀର ୨୦୦୪ରୁ ୨୦୧୬ ମଧ୍ୟରେ ୫୮ଟି ଟେଷ୍ଟ, ୧୪୭ଟି ଦିନିକିଆ ଓ ୩୭ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ଅର୍ଜୁନ ପୁରସ୍କାରପ୍ରାପ୍ତ ଗମ୍ଭୀର ୨୦୧୮ ଡିସେମ୍ବରରେ ସବୁ ଫର୍ମାଟରୁ ଅବସର ନେଇଛନ୍ତି। ୩୪ ବର୍ଷୀୟ ଛେତ୍ରି ସଂପ୍ରତି ଭାରତୀୟ ଫୁଟବଲ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ସେ ଭାରତ ପକ୍ଷରୁ ୧୦୭ଟି ମ୍ୟାଚ ଖେଳି ୬୭ ଗୋଲ ସ୍କୋର କରିଛନ୍ତି। ମହିଳା ଚେସ୍‌ ତାରକା ଗ୍ରାଣ୍ଡମାଷ୍ଟର ଦ୍ରୋଣାବଳୀ ହାରିକା ବିଶ୍ବ ଚେସ୍‌ ଚମ୍ପିଆନସିପ୍‌ରେ ତିନିଥର ବ୍ରୋଞ୍ଜପଦକ ଜିତିଥିବାବେଳେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। ପୁରୁଷ ଟେବୁଲ ଟେନିସ ଖେଳାଳି ଶରତ କମଲ ରାଜ୍ୟଗୋଷ୍ଠୀ କ୍ରୀଡାରେ ୪ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜପଦକ ଜିତିଛନ୍ତି। ୩୩ ବର୍ଷୀୟା ମହିଳା ତୀରନ୍ଦାଜ ବୋମ୍ବାଲ୍ୟା ଦେବୀ ବିଶ୍ବକପ ତୀରନ୍ଦାଜୀରେ ୪ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ହରିୟାଣାର ୨୪ ବର୍ଷୀୟ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଏସୀୟ କ୍ରୀଡା ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨ଟି ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ଜିତିଥିବାବେଳେ ବିଶ୍ବ ଚମ୍ପିଆନସିପ୍‌ରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜପଦକ ଜିତିଛନ୍ତି। ମହିଳା ବାସ୍କେଟବଲ ଖେଳାଳି ପ୍ରଶାନ୍ତି ସିଂହ ଏକାଧିକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟରେ ଭାରତକୁ ପ୍ରତିନିଧିତ୍ବ କରିଥିବାବେଳେ ୨୦୧୭ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ଅଜୟ ଠାକୁର ଭାରତୀୟ ପୁରୁଷ କବାଡି ଦଳର ପୂର୍ବତନ ଅଧିନାୟକ ଥିବାବେଳେ ନିକଟରେ ଅବସର ଘୋଷଣା କରିଛନ୍ତି।

Leave A Reply