ବର୍ଷାରେ ଭିଜୁଛି ଧାନ, ପଶ୍ଚିମ ଓଡ଼ିଶା ଚାଷୀ ତଳିତଳାନ୍ତ

ସମ୍ବଲପୁର: ଟୋକନ ଓ ଟାର୍ଗେଟ ଭିତରେ ତାଳମେଳ ନ ରହିବାରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ଲକ୍ଷ ଲକ୍ଷ ବସ୍ତା ଧାନ ବିକ୍ରି ହୋଇ ନପାରି ବିଭିନ୍ନ ମଣ୍ଡିରେ ପଡ଼ିଛି। ନାମକୁ ମାତ୍ର ମଣ୍ଡିରେ ହଜାର ହଜାରର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ଶୀତ କାକରରେ ଭିଜୁଛି। ବାରମ୍ବାର ଅଦିନିଆ ବର୍ଷାରେ ଭିଜୁଛି। ଗତ ୨୦ ଦିନ ଭିତରେ ଦୁଇଟି ଅଦିନିଆ ବର୍ଷା (ଜାନୁଆରୀ ୨୯ ଓ ଫେବ୍ରୁଆରୀ ୧୬)ରେ ଭିଜି ନଷ୍ଟ ହେଲାଣି। କିନ୍ତୁ ସରକାରୀ କଳ ଓ ସ୍ଥାନୀୟ ପ୍ରଶାସନ ଏହାର ପ୍ରତିକାର କରୁନାହାନ୍ତି କି ସାମାନ୍ୟତମ ପ୍ରତିକ୍ରିୟା ସୁଦ୍ଧା ପ୍ରକାଶ କରୁନାହାନ୍ତି। ସରକାରୀ କଳ ଓ ପ୍ରଶାସନର ସମବେଦନା ଓ ସମ୍ବେଦନଶୂନ୍ୟତା ପ୍ରତିବାଦରେ ପଶ୍ଚିମ ଓଡ଼ିଶା ଚାଷୀ ଖୁବ ଶୀଘ୍ର ଏକ ବଡ଼ ଧରଣର ଆନ୍ଦୋଳନର ସୂତ୍ରପାତ ଘଟାଇବାକୁ ପ୍ରସ୍ତୁତ ହେଉଛି। ପଶ୍ଚିମ ଓଡ଼ିଶାର ସବୁ ଜିଲାରେ ମଣ୍ଡିଗୁଡ଼ିକରେ ଲକ୍ଷ ଲକ୍ଷ ଧାନ ପଡ଼ିଛି।

ମଙ୍ଗଳବାର ରାତିର ଭୀଷଣ ବର୍ଷାରେ ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲାରେ ଧାନ ଆଉ ଥରେ ଭିଜି ନଷ୍ଟ ହୋଇଛି। ବଲାଙ୍ଗିର ଜିଲାରେ ବିକ୍ଷିପ୍ତ ବର୍ଷା ହୋଇଛି। ସମ୍ବଲପୁର ଜିଲାରେ ପ୍ରାୟ ୪୦ ହଜାର ଓ ବଲାଙ୍ଗିର ଜିଲାରେ ୯୦ ହଜାର କ୍ବିଣ୍ଟାଲ ବସ୍ତା ଧାନ ମଣ୍ଡିରେ ପଡ଼ିଛି। କଳାହାଣ୍ଡି, ନୂଆପଡ଼ା, ସୋନପୁର ଓ ବୌଦ୍ଧ ଜିଲାରେ ଗତ ରାତିରେ ବର୍ଷା ହୋଇ ନଥିଲେ ମଧ୍ୟ କୋହଳା ପାଗ ଯୋଗୁ ବର୍ଷା ସମ୍ଭାବନା ଥିବାରୁ ଏହି ଚାରି ଜିଲାରେ ପଡ଼ିଥିବା ଧାନ ମଧ୍ୟ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି। ଚଳିତ ଖରିଫ ଋତୁରେ ମଣ୍ଡି ଖୋଲିବାର ଚାଷୀମାନେ ଧାନ ଉପରେ ପଲିଥିନ ଢାଙ୍କି ଯଥାସମ୍ଭବ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯେତେ ବ୍ୟାପକ ପରିମାଣରେ ଧାନ ପଡ଼ିଛି ପଲିଥିନ ଢାଙ୍କୁଣୀ ନିଅଣ୍ଟ ହୋଇପଡ଼ିଛି। ଯେତେବେଳେ ସେଚାଞ୍ଚଳରେ ଏକର ପିଛା ୧୯ କ୍ବିଣ୍ଟାଲ ଓ ଅଣସେଚାଞ୍ଚଳରେ ୧୩ କ୍ବିଣ୍ଟାଲ ଧାନ କିଣାଯିବ ବୋଲି ଘୋଷଣା କଲେ ସେତେବେଳେ ଚାଷୀ ଏହାକୁ ତୀବ୍ର ବିରୋଧ କରିଥିଲେ। ‌କାରଣ ଚଳିତ ଖରିଫରେ ଧାନ ଆଶାତୀତ ଅମଳ ହୋଇଥିଲା। ଧାନ କ୍ରୟ ପରିମାଣ ବୃଦ୍ଧି ନ କଲେ ଅବିକ୍ରୀ ଧାନ ରହିଯିବ ଓ ଏହା ଅଣ୍ଡରରେଟକୁ ସୁହାଇବ ବୋଲି ଆଶଙ୍କା କରି ଚାଷୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଚାଷୀଙ୍କ ଯୁକ୍ତି ଯଥାର୍ଥ ଥିଲା। କିନ୍ତୁ ସରକାର ତାକୁ ଗ୍ରହଣ କଲେନାହିଁ। ଯାହାର କୁ ପରିଣାମ ଏବେ ଜଳ ଜଳ ଦିଶୁଛି। ଚାଷୀ ଦ୍ବିତୀୟ ଥର ବିରୋଧ କଲେ ସେତେବେଳେ ଯେତେବେଳେ ସରକାର ୧୦ ଏକର କିମ୍ବା ଅଧିକ ଚାଷର କରିଥିବା ଚାଷୀଙ୍କ ଧନ ଅମଳ ଯାଞ୍ଚ କରାଯିବ ବୋଲି କେଁ ପୂରାଇଲେ। ଏହା ଧାନ ସଂଗ୍ରହ ରାସ୍ତାରେ ନୂଆ ପ୍ରତିବନ୍ଧକ ସୃଷ୍ଟି କଲା। ବଡ଼ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ରହିଗଲା। ବଡ଼ଚାଷୀ ଅଣ୍ଡରରେଟରେ ଧାନ ବିକିବାକୁ ଯେପରି ବାଧ୍ୟ ହେବ ସେଭଳି ପରିସ୍ଥିତି ସୃଷ୍ଟି କରାଗଲା।

ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚାଷୀ ମହଲରେ ତୀବ୍ର ବିରୋଧ କରାଗଲା। ଧାନ ସଂଗ୍ରହରେ ତୃତୀୟ ଓ ସବୁଠାରୁ ଅନ୍ତରାୟ ହୋଇଛି ଟୋକନ। ସରକାର ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଟୋକନ ଦେଲେ। ଚାଷୀ ଅନୁମତି ପତ୍ର ପାଇଲା ପରେ ଗାଡ଼ି ଭଡ଼ା କରି ଧାନ ଧରି ମଣ୍ଡିକୁ ଗଲା ​‌େ​‌ବଳକୁ କିଛି କିଛି ଧାନ କିଣାଗଲା ଆଉ କିଛି ଧାନ କିଣାଗଲା ନାହିଁ। ଅଧିକାଂଶ ଧାନ କିିଣିବାକୁ ସ୍ପଷ୍ଟ ମନା କରି ଦିଆଗଲା। କାରଣ ଦର୍ଶାଗଲା ଯେ ସଂପୃକ୍ତ ମଣ୍ଡିର ଧାନକିଣା ଟାର୍ଗେଟ ସରି ଗଲାଣି। ଟୋକନ ଓ ଟାର୍ଗେଟ ଭିତରେ ଚାଷୀ ପେଶି ହୋଇ ଦୁଃଖ ଭୋଗୁଛି। ଧାନ ଖରିଦ ପାଇଁ ମଣ୍ଡି ଖୋଲିଲା ବେଳକୁ ଅନେକ ମଣ୍ଡିକୁ ମିଲ ମାଲିକ ଆସିଲେ ନାହିଁ। ମିଲମାଲିକଙ୍କ ଅସ​ହ​‌ଯୋଗ ଧାନ ବିକ୍ରି ସମସ୍ୟାକୁ ବହୁଗୁଣିତ କରି ପକାଇଛି। ଅନେକ ମଣ୍ଡିକୁ ମିଲ ମାଲିକ ବଦଳରେ ସେମାନଙ୍କ ଏଜେଣ୍ଟମାନେ ଆସି ମନ ଇଚ୍ଛା କଟନୀ ଛଟନୀ କରି ଚାଲିଲେ। ଏସବୁ ଅବ୍ୟବସ୍ଥା ଓ ତ୍ରୁଟିପୂର୍ଣ୍ଣ ନୀତି ନିଷ୍ପତ୍ତି ଯୋଗୁ ପଶ୍ଚିମ ଓଡ଼ିଶା ସାରା ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରି ହୋଇ ନପାରି ପଡ଼ିଛି।

ସମ୍ବଲପୁର ଜିଲାର କୁଚିଣ୍ଡା ସବଡିଭିଜନର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ମାସେ ହେଲା ପଡ଼ିଛି। ଅଦିନିଆ ବର୍ଷାରେ ବାରମ୍ବାର ଭିଜି ନଷ୍ଟ ହେଉଛି। ସେଥିରୁ ଅଧେ ଗଜା ଧରି ଧାନ ଗଛ ଉଠିଲାଣି। ଆଉ ଅଧେ ଫିମ୍ପି ମାରି ସଢ଼ି ଗଲାଣି।। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଅଣସେଚିତ ପଦ୍ମପୁର ସବଡିଭିଜନ ଅଞ୍ଚଳରେ ସମ୍ବଲପୁର ଜିଲାର କୁଚିଣ୍ଡା ଅନୁରୂପ ସମସ୍ୟା। ସେଠାରେ ମଧ୍ୟ ପଦ୍ମପର ଉପଜିଲାପାଳ କାର୍ୟ୍ୟାଳୟ ପରିସରରେ ଶହ ଶହ ବସ୍ତା ଧାନ ପଡ଼ିଛି। ସମସ୍ୟାର ସମାଧାନ ପାଇଁ ଉପଜିଲାପାଳ ଚାଷୀଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କୁ ଅଚାନକ ବଦଳି କରି ଦିଆ ଯାଇଛି। ସରକାର ଓ ଚାଷୀଙ୍କ ମଧ୍ୟରେ ଏହି ଭଳି ଛକାପଞ୍ଝା ଚାଲିଥିଲା ଭିତରେ ଟୋକନ ଅବଧି ସରିଗଲାଣି। ଟୋକନ ନବୀକରଣ କରାଯାଉ ନାହିଁ କି ମଣ୍ଡିକୁ ନୂଆ ଟାର୍ଗେଟ ମିଳୁନାହିଁ। ମଣ୍ଡିରେ ଧାନ ପଡ଼ିଛି। କିନ୍ତୁ ବିକ୍ରି ବନ୍ଦ। ମଣ୍ଡିରେ ପଡ଼ିଥିବା ହଜାର ହଜାର ଧାନ ଜାନୁଆରୀ ୨୯ ତାରିଖରେ ଥରେ ଓ ଫେବ୍ରୁଆରୀ ୧୬ ତାରିଖ ‌ବର୍ଷାରେ ଭିଜିଲାଣି।

ନଷ୍ଟ ହୋଇ ସାରିଥିବା ଏହି ଧାନ ଆଉ ବିକ୍ରି ହେବାର କୌଣସି ସମ୍ଭାବନା ଦେଖା ଯାଉନାହିଁ। ତେଣୁ ପଶ୍ଚିମ ଓଡ଼ିଶା ଚାଷୀକୁ ନିଜ ଦୁର୍ଭାଗ୍ୟପୂର୍ଣ୍ଣ ଭବିଷ୍ୟତ ଚିନ୍ତା ଘାରିଛି। ଚାଷୀ ବୁଝି ପାରୁନାହିଁ; ଏଥିରେ ତା’ର କି ଦୋଷ ଥିଲା। ଅବ୍ୟବସ୍ଥାର ଦୁଃଖ ସହିତ ପ୍ରକୃତିର ଦାଉ ତାକୁ ସହିବାକୁ ପଡ଼ିଛି। ଧାନ ସଂଗ୍ରହ ନୀତି ତ୍ରୁଟିପୂର୍ଣ୍ଣ ବୋଲି ଜଣା ପଡ଼ିବା ମାତ୍ରେ ଚାଷୀ ବିରୋଧ ଆରମ୍ଭ କରିଥିଲା। କିନ୍ତୁ ତା’ର କୌଣସି କଥା ଶୁଣାଗଲା ନାହିଁ। ଏହାର ଶାସ୍ତି ଶେଷରେ ଚାଷୀ ହିଁ ଭୋଗୁଛି। କଷ୍ଟୋପାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହେବାର ଦୁଃଖ ଓ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଚାଷୀ ସହିବାକୁ ବାଧ୍ୟ ହୋଇଛି। ପୁଅଝିଅ ବାହାଘର, ବୃଦ୍ଧ ବାପାମାଆଙ୍କ ଚିକିତ୍ସା ଆଦି ଜରୁରି ଆବଶ୍ୟକତା ସ୍ଥଳେ ଚାଷୀ ବାଧ୍ୟ ହୋଇ ଅଭାବୀ ଦରରେ ଧାନ ବିକ୍ରି କରିଦେଇଛି। ଚାଷୀ ଭୁଲ ଧାନ ସଂଗ୍ରହ ନୀତି ଓ ମଣ୍ଡି ପରିଚାଳନାଗତ ଅବ୍ୟବସ୍ଥାର ପ୍ରତିବାଦ କରି ଅତି କମରେ ୩ ଥର ପଶ୍ଚିମ ଓଡ଼ିଶାବ୍ୟାପୀ ଆନ୍ଦୋଳନ କରି ସାରିଲାଣି।

ପଶ୍ଚିମ ଓଡ଼ିଶା ବ୍ୟାପୀ ପ୍ରତିବାଦ ସମାବେଶ, ବିକ୍ଷୋଭ, ରାସ୍ତାରୋକ, ଗିରଫଦାରି ଆଦି ସବୁ ପ୍ରକାର ଗଣତାନ୍ତ୍ରିକ ଉପାୟରେ ଅବ୍ୟବସ୍ଥାର ପ୍ରତିବାଦ କରି ସାରିଲେଣି। ସମସ୍ୟା ନେଡ଼ିଗୁଡ଼ କହୁଣୀକୁ ବୋହି ସାରିଥିଲେ ମଧ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ କି ଚାଷୀ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଆରମ୍ଭ କରାଯାଇନାହିଁ। ଶେଷରେ ଚାଷୀ ଅନ୍ୟ କୌଣସି ଉପାୟ ନ ପାଇ ଟ୍ରାକ୍ଟର ପଟୁଆର ଧରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବୋଲି ନିଷ୍ପତ୍ତି ନେଇଛି। ପଶ୍ଚିମ ଓଡ଼ିଶା ମାଟିର ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସ ଫେବ୍ରୁଆରୀ ୨୮ ତାରିଖରେ ମଧ୍ୟ ବିଶାଳ ବି​ଦ୍ରୋହର ସୂତ୍ରପାତ ଘଟିବା ସମ୍ଭାବନା ଅଛି ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ଆସନ୍ତା କାଲି ପଶ୍ଚିମ ଓଡ଼ିଶାବ୍ୟାପୀ ସବୁ ଜିଲାରେ ଚାଷୀଙ୍କ ବୈଠକ ବସୁଛି ଓ ଏହି ବୈଠକରେ ଏଭଳି କିଛି ଚରମ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Comments are closed.