ଧାନକିଣାରେ ପ୍ରାୟୋଜିତ ଅବ୍ୟବସ୍ଥା : ଟୋକନ ଟେନ୍‌ସନ

ସମ୍ବଲପୁର : ଡାଳୁଅ ଧାନ ଖରିଦ ପାଇଁ ମଣ୍ଡି ଖୋଲିବା ମାତ୍ରେ ପଶ୍ଚିମ ଓଡ଼ିଶା ବ୍ୟାପୀ ସମାନ ସମସ୍ୟା ମୁଣ୍ଡ ଟେକିଲାଣି। ଚାଷୀ ଭଲ ଫସଲ ଅମଳ କରି ଯେତିକି ଖୁସି ହେଉଥିଲା ସେହି ଫସଲ ବିକ୍ରି ହୋଇ ନ ପାରି ଆଖି ଆଗରେ ନଷ୍ଟ ହେଉଥିବାରୁ ଦୁଇ ଗୁଣ ବ୍ୟଥିତ ହେଉଛି। କାରଣ ଟୋକନ ‘ଭୂତ’ ପୁଣି ଡରାଇଲାଣି। ଧାନ ସଂଗ୍ରହ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନାମରେ ଏତେ ବିଶୃଙ୍ଖଳିତ କରିଦିଆଯାଇଛି ଯେ ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ସୁବର୍ଣ୍ଣପୁର, ସବୁ ଜିଲାରେ ସମାନ ଅବ୍ୟବସ୍ଥା, ସମାନ ଅଭିଯୋଗ। ପ୍ରାୟୋଜିତ ଅବ୍ୟବସ୍ଥାରେ ତଳିତଳାନ୍ତ ପଶ୍ଚିମ ଓଡ଼ିଶା ଚାଷୀ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।
ପୂର୍ବରୁ ପ୍ରତି ଜିଲାରେ ଥିବା ଧାନକ୍ରୟ କମିଟି ବା ଡିଏଲପିସି ଧାନ ବିକ୍ରି ସମ୍ପର୍କିତ ସବୁ ନିଷ୍ପତ୍ତି ସ୍ଥାନୀୟ ସ୍ତରରେ ନେଉଥିଲା। ଚାଷୀ ଧାନ ଅମଳ କଲା ମାତ୍ରେ ପାଖ ମଣ୍ଡିକୁ ପହଞ୍ଚି ଯାଉଥିଲେ। ଧାନ କିଣାରେ କିଛି ସମସ୍ୟା ହେଲେ ସ୍ଥାନୀୟ ସ୍ତରରେ ସମାଧାନ କରାଯାଉଥିଲା। କିନ୍ତୁ ଜିଲାସ୍ତରୀୟ କ୍ରୟ କମିଟି(ଡିଏଲପିସି)କୁ ବନ୍ଦ କରି ରାଜ୍ୟସ୍ତରୀୟ କ୍ରୟ କମିଟି (ଏସଏଲପିସି) ଗଠନ କରାଯିବା ପରଠୁ ସମସ୍ୟା ଆରମ୍ଭ ହୋଇଛି ଓ ଟୋକନ ଏହାର ମାଧ୍ୟମ ହୋଇଛି। ଆଜିକାଲି ସବୁ ନିଷ୍ପତ୍ତି ରାଜ୍ୟ ସ୍ତରରେ ନିଆଯାଉଥିବାରୁ ଚାଷୀର ସମସ୍ୟା ଶୁଣି ସମାଧାନ କରିବାକୁ ସ୍ଥାନୀୟ ସ୍ତରରେ କେହିନାହାନ୍ତି। ଏହା ହିଁ ଚାଷୀକୁ ସବୁଠାରୁ ବେଶୀ ହତାଶ କରିଛି।
୨ ମାସ ତଳେ ଚାଷୀ ଯେତେବେଳେ କ୍ଷେତରେ ବ୍ୟସ୍ତଥିବା କଥା ସେତେବେଳେ ତାକୁ ନାମ ପଞ୍ଜୀକରଣ କରିବା ପାଇଁ କାଗଜପତ୍ର ଧରି ଆସିବାକୁ କୁହାଗଲା। ତେଣୁ କାଗଜପତ୍ର ଧରି
ଏ ଅଫିସରୁ ସେ ଅଫିସକୁ ଧାଁଦୌଡ଼ କରିବାରେ ଗୁରୁତ୍ବପୂର୍ଣ୍ଣ ୨ ମାସ ଚାଲିଗଲା। ଏବେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିଲା ବେଳକୁ ଟୋକନ ଆସୁନି। ଚାଷୀ ଟୋକନକୁ ଚାହିଁ ବସିଲା ବେଳକୁ ଉତ୍ପାଦିତ ଫସଲ କାଳବୈଶାଖୀ ବର୍ଷା ଓ କରାକା ମାଡ଼ରେ ନଷ୍ଟ ହେଲାଣି। କିଛି କିଛି ଚାଷୀଙ୍କୁ ମାତ୍ର ୫/ ୬ ବସ୍ତା ଧାନ ବିକିବା ପାଇଁ ନାମକୁ ମାତ୍ର ଛୋଟ ଛୋଟ ଟୋକନ ଧରାଇ ଦିଆଯାଇଛି।
ବରଗଡ଼ ଜିଲାର ଜୟ କିଷାନ ଆନ୍ଦୋଳନ ଚାଷୀ ସଙ୍ଗଠନର ସାଧାରଣ ସମ୍ପାଦକ ହର ବଣିଆଁ ଏକ ତଥ୍ୟର ଅବତାରଣ କରି ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଅଣସେଚିତ ଓ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଗୋଟିଏ ଗଭୀର ନଳକୂଅ ପିଛା ଜଣେ ଚାଷୀ ମାତ୍ର ଅଢ଼େଇ ଏକର ଜମିର ଧାନ ବିକି ପାରିବ। ଅବଶିଷ୍ଟ ଜମିର ଧାନ ବିକିପାରିବ ନାହିଁ। ଏକର ପ୍ରତି ୨୬ କ୍ୱିଣ୍ଟାଲ ହିସାବରେ ଜଣେ ଚାଷୀ ଏହି ଅଢ଼େଇ ଏକରକୁ ୬୫ କ୍ୱିଣ୍ଟାଲ ଧାନ ବିକ୍ରି କରିବା କଥା। କିନ୍ତୁ ନା। ଟୋକନ ଆସିଛି ମାତ୍ର ୮ କିମ୍ବା ୧୦ କ୍ୱିଣ୍ଟାଲ ବିକିବା ପାଇଁ। ଅତଏବ, ଚାଷୀ ୧୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକି ଅବଶିଷ୍ଟ ୫୫ କ୍ୱିଣ୍ଟାଲ ଧାନ ଦଲାଲକୁ ଅଭାବୀ ଦରରେ ବିକିବାକୁ ବାଧ୍ୟ। ସେଭଳି ପ୍ରାୟୋଜିତ ବ୍ୟବସ୍ଥା ଖଞ୍ଜି ଦିଆଯାଇଛି। ଟୋକନ ସମସ୍ୟା ଯୋଗୁ ଗତ ରବି ଋତୁରେ ବରଗଡ଼ ଜିଲାର ୨୦ ହଜାର ଚାଷୀ ଧାନ ବିକି ପାରିଲେ ନାହିଁ। ଏଥର ମଧ୍ୟ ସମାନ ସମସ୍ୟା ଆରମ୍ଭ ହୋଇଗଲାଣି। ପାହାଡ଼ ଶ୍ରୀଗିଡ଼ା ଓ ଅନ୍ୟାନ୍ୟ ଅଞ୍ଚଳର ଚାଷୀ ଖଳା ଅଥବା ଛାଉଣୀ-ପାଚେରୀ ବିହୀନ ତଥାକଥିତ ମଣ୍ଡିରେ ଶହ ଶହ ବସ୍ତା ଧାନ ପକାଇ ରଖି ଟୋକନକୁ ଅପେକ୍ଷା କରିଥିଲା ବେଳେ ଦୁଇଟି କାଳବୈଶାଖୀ ବର୍ଷାରେ ସବୁ ଧାନ ଭିଜ ନଷ୍ଟ ହୋଇଯାଇଛି। ଏକ ବିକେନ୍ଦ୍ରୀକୃତ ବ୍ୟବସ୍ଥାକୁ କେନ୍ଦ୍ରୀକୃତ କରିଦିଆଯିବା ପରଠୁ ସମସ୍ୟା ଟୋକନ ରୂପରେ ଜନ୍ମ ହୋଇଛି ବୋଲି ଶ୍ରୀ ବଣିଆଁ କ୍ଷୋଭ ପ୍ରକାଶ କରିଛନ୍ତି। ସମାନ କାରଣରୁ କାଲି ସୁଦ୍ଧା ନୂଆପଡ଼ା ଜିଲାର ୬ଟି ମଣ୍ଡିରେ ୮୮ ଚାଷୀଙ୍କ ୯ ହଜାର ୪୧୮ ବସ୍ତା ଧାନ ପଡ଼ିଥିବା ବେଳେ ସିନାପାଲି ମଣ୍ଡିରେ ପଡ଼ିଥିବା ୯ ଶହ ବସ୍ତା ଧାନ ଭିଜି ନଷ୍ଟ ହୋଇଛି।
ପ୍ରତି ବର୍ଷ ଧାନ ସଂଗ୍ରହ ସମୟରେ ତ୍ରୁଟିପୂର୍ଣ୍ଣ ଟୋକନକୁ ନେଇ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ପ୍ରଶାସନ ତା’ର ସମାଧାନ କରି ପାରୁ ନ ଥିବାରୁ ଚାଷୀ ମହଲରେ ତୀବ୍ର ଅସ​‌େ​‌ନ୍ତାଷ ପ୍ରକାଶ ପାଇଛି। ଟୋକନ ସମସ୍ୟାର ପ୍ରତିବାଦରେ ୨୦ ତାରିଖରେ ବରଗଡ଼ ଜିଲା ଚାଷୀ ଜିଲାପାଳ କାର୍ଯ୍ୟାଳୟ, ସମ୍ବଲପୁର ଚାଷୀ ସମବାୟ ଉପନିବନ୍ଧକ ଓ ଜିଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଓ ୨୪ ତାରିଖରେ ନୂଆପଡ଼ା ଚାଷୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସବୁ ଧାନ ନ କିଣିଲେ ଜିଲାପାଳ ଅଫିସ୍‌ରେ ଧାନ ଭରିଦେବେ ବୋଲି ବରଗଡ଼ ଓ ନୂଆପଡ଼ା ଚାଷୀ ଚେତାବନୀ ଦେଇଥିବା ବେଳେ ସମ୍ବଲପୁର ଚାଷୀ ଜାତୀୟ ରାଜପଥ ଅବରୋଧ କରିବାକୁ ଧମକ ଦେଇଛନ୍ତି।
ଏ ସମ୍ପର୍କରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି ଯେ, ଆଇନତଃ ସରକାର ଚାଷୀଙ୍କ ସବୁ ଧାନ କିଣିବାକୁ ବାଧ୍ୟ। କିନ୍ତୁ ଧାନ ନ କିଣିବାକୁ ଏକ ପ୍ରାୟୋଜିତ ଚକ୍ରାନ୍ତ ଚାଲିଛି। ଚାଷୀ ମାରଣ ନୀତି ଓ ଚାଷୀ ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ସମଗ୍ର ପଶ୍ଚିମ ଓଡ଼ିଶାରେ କୁହୁଳୁଥିବା ଚାଷୀ ଅସନ୍ତୋଷ ବିସ୍ଫୋରକ ରୂପ ନେବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Comments are closed.