ଧାନ ବିକ୍ରି ଚିନ୍ତା : ଟୋକନ ବଢ଼ାଉଛି ଚାଷୀଙ୍କ ସମସ୍ୟା,ମଣ୍ଡି ପରିଦର୍ଶନ କଲେ ବିଧାୟିକା

ପୁଣି ରବି ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ। ପଶ୍ଚିମ ଓଡ଼ିଶାର ଚାଷୀ ଧାନ ବିକ୍ରି କରିବାକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଧାନ ବିକ୍ରି କରିବାକୁ ମିଳୁଥିବା ଟୋକନ ତାଙ୍କର ସମସ୍ୟା ବଢ଼ାଇ ଦେଇଛି। ଅତାବିରା ମୁଖ୍ୟ ନିୟନ୍ତ୍ରିତ ବଜାରକୁ ଗସ୍ତ କରି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାଷୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେ ଚାଷୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଅନେକ ଚାଷୀଙ୍କ ଟୋକନ ଥିଲେ ଧାନ ଅମଳ ସରିନି ଆଉ କିଛି ଚାଷୀଙ୍କ ଧାନ ଅମଳ ହୋଇ ସାରିଥିଲେ ମଧ୍ୟ ଟୋକନ ଆସିନାହିଁ। ଏଇ ଟୋକନ ବ୍ୟବସ୍ଥା ଚାଷୀଙ୍କ ପାଇଁ ବଡ ଅଡ଼ୁଆ ସୃଷ୍ଟି କରିଛି।  ଗତ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅତାବିରା ପେକ୍ସ ଅଧୀନରେ ଥିବା ଓ ମଣ୍ଡିରେ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା କେତେକ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଛି। ଏହିକଥା ଜାଣି ବିଧାୟିକା ମାର୍କେଟ ଓ ପେକ୍ସ କର୍ମଚାରୀଙ୍କୁ ଟୋକନ ଅବଧି ଶେଷ ହୋଇ ଧାନ ବିକ୍ରି କରି ନଥିବା ଚାଷୀଙ୍କ ତାଲିକା ମାଗିଥିଲେ। ଏହା ପୂର୍ବର ପେକ୍ସ ମାନଙ୍କରେ ବିକ୍ରି ଯୋଗ୍ୟ ଥିବା ଚାଷୀଙ୍କ ଟୋକନ କିପରି ଭାବେ ସୂଚନା ଆସୁଥିଲା ବୋଲି ସେ ପଚାରି ଥିଲେ ଓ ନିଜେ ତାର ତଦାରଖ କରିଥିଲେ। ଏହା ବ୍ୟତୀତ  ମଣ୍ଡି  ଭିତରକୁ ଟ୍ରକ୍ ଗୁଡ଼ିକ ପ୍ରବେଶ କରି ପାରୁନାହିଁ ଯାହା ଫଳରେ ସେମାନେ ତାଙ୍କର ଧାନ ମଣ୍ଡିରୁ ଉଠିପାରୁ ନାହିଁ ବୋଲି ଉପସ୍ଥିତ ଥିବା ଚାଷୀମାନେ  ବିଧାୟିକାଙ୍କୁ ଅବଗତ କରିଥିଲେ। ଚାଷୀଙ୍କ ଏତେ ଗୁଡିଏ ସମସ୍ୟା ବିଷୟରେ   ଜାଣିବା ପରେ ସେ  ଚାଷୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରି  ସେ କମିଶନରଙ୍କ ସହିତ ଆଲୋଚନା କରି ଅବଧି ଶେଷ ହୋଇଥିବା ଚାଷୀଙ୍କ ଟୋକନ ପୁନଃ  କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ଚାଷୀ ମାନଙ୍କୁ ସାନ୍ତ୍ଵନା ଦେଇ କହିଥିଲେ ଯେ, ସେମାନେ ବିବ୍ରତ ହୁଅନ୍ତୁ ନାହିଁ। ଅବଧି  ଶେଷ ହୋଇଥିବା ଚାଷୀଙ୍କ ଟୋକନ ପୁନଃ କାର୍ଯ୍ୟକ୍ଷମ ହେଲେ ତାଙ୍କର ତାଲିକା ପୁଣିଥରେ ବାହାରିବ। ଏହା ବ୍ୟତୀତ ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ କିପରି ସୁରକ୍ଷିତ ରହି ପାରିବ ସେ ଦିଗରେ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ମଣ୍ଡି ପରିଦର୍ଶନ ସମୟରେରେ ବିଧାୟିକାଙ୍କ ସହ ବ୍ଲକ ଅଧ୍ୟକ୍ଷା ରିତା ସାହୁ,ଏନ୍ଏସି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ବିଜେଡି ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ଦାଶ, ସମାଜ ସେବୀ ସତ୍ୟ ମିଶ୍ର, ଟଙ୍କଧର ଦାଶ,ବି ଏନ୍ ମୂର୍ତ୍ତି ତଥା ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.