ବର୍ଷାରେ ଉଜୁଡ଼ିଗଲା ବର୍ଷକର ଫସଲ : ଏଥର ଭାତହାଣ୍ଡି ଖାଲି

ପାଣିରେ ଭାସୁଛି ମାର୍କେଟ ୟାର୍ଡ, ମଣ୍ଡି ଭିତ୍ତିଭୂମିର ହେଉନାହିଁ ବିକାଶ

ବରଗଡ଼ : ବରଗଡ଼ ଜିଲାକୁ ରାଜ୍ୟର ଭାତ ହାଣ୍ଡି କୁହାଯାଏ। ଚଳିବର୍ଷ କିନ୍ତୁ ଭାତ ହାଣ୍ଡିକୁ ଖାଲି କରିଛି ବର୍ଷା। ଜିଲାରେ ଗତ ନଭେମ୍ବର ୨୫ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୫୭ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥିଲା। ମାସକ ଭିତରେ ଅର୍ଥାତ୍‍ ଡିସେମ୍ବର ୨୮ ତାରିଖ ସୁଦ୍ଧା ୪୧ ଲକ୍ଷ କ୍ୱିଣ୍ଟାଲ ଧାନ କିଣା ସରିଛି। ଜିଲାରେ ଧାନ କିଣା ଟିକିଏ ମନ୍ଥର ଗତିରେ ଚାଲିଥିଲେ ମଧ୍ୟ ବିଭିନ୍ନ ମଣ୍ଡିରୁ ଧାନ ଉଠୁଛି। ମାତ୍ର ମଙ୍ଗଳବାର ଜିଲାରେ ଅଦିନିଆ ବର୍ଷା ସାଙ୍ଗକୁ କରକାପାତ ହୋଇଥିବାରୁ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଏବେ ନଷ୍ଟ ହେବାକୁ ଯାଉଛି। ଜିଲାରେ ବରଗଡ଼, ଅତାବିରା ଓ ପଦ୍ମପୁର ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ୨୦୫ ଟି ମାର୍କେଟ ୟାର୍ଡରେ ଧାନ କିଣାଯାଉଛି। ଧାନ କିଣାର ଦୁଇ ପ୍ରତିଶତ ଅର୍ଥ ନିୟନ୍ତ୍ରୀତ ବଜାର କମିିଟିକୁ ଦିଆଯାଇଛି। ଉକ୍ତ ମାର୍କେଟ ୟାର୍ଡର ଉନ୍ନତି କରଣ ତଥା ଧାନକୁ ସୁରକ୍ଷିତ ରଖିବା ପାଇଁ ଉପଯୋଗ ହେବା କଥା। ମାତ୍ର ଧାନ କିଣା ସମୟରେ ଅଦିନିଆ ବର୍ଷା ହେଲେ ଧାନ ବସ୍ତା ସବୁ ବର୍ଷାରେ ଭିଜୁଛି। ଚାଷୀ ମଣ୍ଡିକୁ ଧାନ ଆଣିବା ପରେ ତାର ଦାୟିତ୍ୱ ସରିବା କଥା। ମାତ୍ର ଏଠାରେ ମଣ୍ଡିରେ ବି ଚାଷୀ ଧାନକୁ ଜଗୁଛି। ଧାନ ର ସୁରକ୍ଷା ସରକାର ବୁଝୁନାହାନ୍ତି। ମଣ୍ଡିକୁ ଆସିବା ପରେ ଧାନ ଓଦା ହେଲେ ତାହା ସରକାରଙ୍କ ମୁଣ୍ଡ ବ୍ୟଥା ହେବା କଥା ମାତ୍ର ତାହା ନହୋଇ ଚାଷୀ ଧାନର କ୍ଷତି ସହୁଛି। ପଶ୍ଚିମ ଓଡ଼ିଶାରେ ମୁଖ୍ୟ ଫସଲ ଧାନ। ଧାନ ହିଁ ଲୋକଙ୍କ ରୋଜଗାରର ପନ୍ଥା। ସରକାର ଧାନକୁ ଉଚିତ ମୂଲ୍ୟରେ କିଣିବା ପାଇଁ ମଣ୍ଡି ବ୍ୟବସ୍ଥା କରିଛନ୍ତି। ମାତ୍ର ମଣ୍ଡି ବ୍ୟବସ୍ଥାରେ ଚାଷୀ ସବୁବେଳେ ଅସୁବିଧାର ଶିକାର ହେଉଛି। ଧାନ କିଣା ସମୟରେ ଅଦିନିଆ ବର୍ଷା ସବୁ ବର୍ଷ ହେଉଛି ଏବଂ ଅଦିନିଆ ବର୍ଷା ପାଇଁ ମଣ୍ଡିର କୌଣସି ବ୍ୟବସ୍ଥା ନାହିଁ ଧାନ ନଷ୍ଟ ହେଲେ ଚାଷୀ ଦାୟି ରହୁଛି। ମଣ୍ଡିରେ ଧାନ ବିକ୍ରି ହେବା ପାଇଁ ୧୫ରୁ ୨୦ ଦିନ ଲାଗୁଛି। ଏତେ ଦିନ ଭିତରେ ବର୍ଷାରେ ଧାନ ଭିଜିଗଲେ ଚାଷୀ ଧାନ କଣ ବିକିବ ବରଂ ଓଦା ଧାନକୁ ଧରି ଘରୁକୁ ଫେରୁଛି। ସରକଣ୍ଡା, କଟାପାଲି, ଅମ୍ବାଭୋନା, ଭୁକ୍ତା, ପ୍ରକାଶ ପୁର, ପଦ୍ମପୁର, ଆଦି ମାର୍କେଟ ୟାର୍ଡରେ ହଜାର ହଜାର ବସ୍ତା ଧାନ ବର୍ଷା ଓ କରାମାଡରେ ଓଦା ହୋଇଛି। ମଙ୍ଗଳବାର ରାତିରେ ଅମ୍ବାଭୋନା ବ୍ଳକରେ ୧୦୬ ମିମି ବର୍ଷା ରେକର୍ଡ ହୋଇଛି। ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କ ଠାରୁ ୨ ପ୍ରତିଶତ ଅର୍ଥ ନେଇ ଆରଏମସି ରଖିଛି। ଅତାବିରା ଓ ବରଗଡ଼ ନିୟନ୍ତ୍ରୀତ ବଜାର କମିଟି ପାଖରେ ପାଖାପାଖି ୧୫୦ କୋଟି ଟଙ୍କା ଗଛିତ ଅଛି। ଏସମସ୍ତ ଟଙ୍କା ଚାଷୀଙ୍କ ପାଖରୁ ଯାଇଥିବା ବେଳେ ଚାଷୀ ଏହାର କୌଣସି ଉପକାର ପାଉ ନାହିଁ। ବରଗଡ଼ ନିୟନ୍ତ୍ରୀତ ବଜାର କମିଟି ସମ୍ପାଦକ ସଦାକର କୁମ୍ଭାର ଙ୍କୁ ଏବିଷୟରେ ପଚାରିବାରୁ ସେ କହିଥିଲେ ଯେ ଧାନ କିଣା ସମୟ ସରିଗଲା ପରେ ପ୍ରାଥମିକତା ଭିତ୍ତିରେ ମଣ୍ଡି ଗୁଡିକର ଉନ୍ନତି କରଣ କରାଯିବ। ଏବେ ବର୍ଷାରେ ଓଦା ହୋଇଯାଇଥିବା ଧାନର ସୁରକ୍ଷା ସହିତ ଏହାକୁ ବିନା କଟନୀ ଛଟନି ରେ ବିକ୍ରି କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି। ଦୁଇ ଦିନ ମଧ୍ୟରେ ଓଦା ହୋଇଥିବା ଧାନକୁ ଉଚିତ୍‍ ମୂଲ୍ୟରେ କିଣାନଗଲେ ଚାଷୀ ମାନେ ଧାନ ଧରି ରାଜରାସ୍ତା ଅବରୋଧ କରିବେ ​‌େ​‌ବାଲି ଜୟ କିଶାନ ଆନ୍ଦେଳନର ସଭାପତି ହର ବଣିଆ ଚେତାବନୀ ଦେଇଛନ୍ତି।

Comments are closed.