ଚାଉଳ ବୋଝ କାହାର

ରବିଧାନ ସଂଗ୍ରହକୁ ନେଇ ଆଶଙ୍କାରେ ଚାଷୀ, କେନ୍ଦ୍ର-ରାଜ୍ୟ ଅରୁଆ-ଉଷୁନା ଦୋଷ ଲଦାଲଦି, ଖରିଫରେ ଉଠିଛି ମାତ୍ର ୪୦% ଚାଉଳ

ବରଗଡ଼ : ଓଡ଼ିଶାର ଭାତହାଣ୍ଡି ହେଉଛି ବରଗଡ଼ ଜିଲା। ଫି’ବର୍ଷ ଖରିଫ ଓ ରବି ଧାନକିଣାକୁ ନେଇ ଏଠାରେ ସମସ୍ୟା ସୃଷ୍ଟି ହେବା ଏକ ଚିରାଚରିତ ସମସ୍ୟା। ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ମିଲରଙ୍କୁ ଲଗାଇ ସରକାର ସବୁ ଚାଷୀଙ୍କୁ ଠାରୁ ଧାନ କିଣିନେଲେ। ବିଶେଷ ସମସ୍ୟା ସୃଷ୍ଟି କରିବାକୁ ଦେଲେନି। ଏବେ କିନ୍ତୁ ଜିଲାରେ ଚାଉଳ ଉଠାଣକୁ ନେଇ ସୃଷ୍ଟି ହୋଇଛି ଗୁରୁତର ସମସ୍ୟା। ସରକାର ଯେଉଁ ଚୁକ୍ତି କରିଥିଲେ ତଦନୁଯାୟୀ, ମିଲରଙ୍କଠାରୁ ଚାଉଳ ଉଠାଉ ନାହାନ୍ତି। ଏଣେ କେନ୍ଦ୍ର ସରକାର ଅରୁଆ ବାହାନା କରି ଏଫସିଆଇ ଚାଉଳ କିଣା ବନ୍ଦ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ମିଲରଙ୍କଠାରୁ ଚାଉଳ ଉଠାଇ ନାହାନ୍ତି। ଅନ୍ୟପକ୍ଷରେ ବରଗଡ଼ ଜିଲାରେ ଆସନ୍ତା ମେ ୬ ତାରିଖରୁ ରବିଧାନ କିଣା ଆରମ୍ଭ ହେବ। ମିଲରଙ୍କ ଚାଉଳ ଉଠି ନଥିବାରୁ କିଭଳି ସେମାନେ ରବି ଧାନ ଉଠାଇବେ ଏହାକୁ ନେଇ ଆଶଙ୍କା ବଢିଛି। ଯାହାକି ଚାଷୀଙ୍କ ପାଇଁ ଆଗକୁ ସମସ୍ୟା ବଢାଇବାକୁ ଯାଉଛି। କେନ୍ଦ୍ର-ରାଜ୍ୟ ଦୋଷ ଲଦାଲଦି ଭିତରେ ଏବେ ଚାଉଳ ଉଠାଣ ଏକ ବୋଝ ପାଲଟିଛି। କିଏ ଏହି ବୋଝ ଉଠାଇବ ତାହାକୁ ନେଇ ମିଲର ଚିନ୍ତାରେ ପଡିଛନ୍ତି। ଏଣେ ରବି ଧାନ କିଣା ନେଇ ଆଶଙ୍କାରେ ପଡିଛନ୍ତି ଚାଷୀକୁଳ।
ରବି ଧାନ କିଣିବା ନେଇ ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଚୂଡାନ୍ତ ହୋଇଛି। ଚାଷୀଙ୍କ ଠାରୁ ଧାନ କିଣାଯିବା ନେଇ କୌଣସି ଅସୁବିଧା ରହିବ ନାହିଁ ଏବଂ ଯେକୌଣସି ସମୟରେ ଧାନ କିଣା ନେଇ ସମସ୍ୟା ଉପୁଜିଲେ ତାହାର ସମାଧାନ କରଯିବ ବୋଲି ଜିଲାପାଳ ନିର୍ଦେଶ ଦେଇଛନ୍ତି। ମାତ୍ର ବାସ୍ତବରେ ଯେଉଁମାନେ ଧାନ କିଣିବେ ଓ ଚାଉଳ କରିଦେବେ ସେମାନଙ୍କ ସମସ୍ୟା ଏବେ ସମାଧାନ ହୋଇନାହିଁ। ଗତ ଖରିଫ ଋତୁର ଧାନ ଏବେ ବି ଧାନ ସଂଗ୍ରହକାରୀଙ୍କ ଠାରେ ମହଜୁଦ ଅଛି ଓ ଚାଉଳ ଆକାରରେ ସରକାର ନେଇନାହାନ୍ତି। ଏ ପରିସ୍ଥିତିରେ ଧାନ କିଣିବା ପାଇଁ ମିଲର ଯଦି ଅମଙ୍ଗ ହୁଅନ୍ତି, ତା’ହେଲେ ରବି ଧାନକିଣାରେ ବିଭ୍ରାଟ ଆଶଙ୍କା ରହିଛି।
ଚଳିତ ବର୍ଷ କାଗଜ କଲମରେ ଜିଲାରେ ୬୦ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇସାରିଥିବା ବେଳେ ଆଉ କିଛି ଧାନ ସଂଗ୍ରହ ହେବ। ଚାଷୀଙ୍କଠାରୁ ମାର୍କେଟ ୟାର୍ଡରୁ ଧାନ ସଂଗ୍ରହ ହୋଇସାରିଛି ସତ; ମାତ୍ର ଧାନ ପରିବର୍ତ୍ତେ କଷ୍ଟମ ମିଲିିଂ ମାଧ୍ୟମରେ ଯେଉଁ ଚାଉଳ ସଂଗ୍ରହ ହେବା କଥା, ତାହା ଅତି ସାଂଘାତିକ ସ୍ଥିତିରେ ଅଛି। ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁୁଦ୍ଧା ଜିଲାରୁ ମାତ୍ର ୪୦ ପ୍ରତିଶତ ଚାଉଳ ସଂଗ୍ରହ ହୋଇପାରିଛି। ଅନ୍ୟ ବର୍ଷ ତୁଳନାରେ ଏହା ୬୦ ପ୍ରତିଶତ କମ୍‍। ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟ ସରକାର ଧାନ ସଂଗ୍ରହର ୮୦ରୁ ୯୦ ପ୍ରତିଶତ ଚାଉଳ ଉଠାଇବା କଥା; ମାତ୍ର ତାହା ଏଯାଏଁ ୪୦ ପ୍ରତିଶତରେ ସୀମୀତ ରହିଛି।
ବରଗଡ଼, ଅତାବିରା, ପଦ୍ମପୁର ତିନିଟି ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଧାନ ସଂଗ୍ରହ କରାଯାଉଥିବା ବେଳେ ସବୁଠୁ ବେଶୀ ଖରାପ ସ୍ଥିତି ବରଗଡ଼ ଅଞ୍ଚଳର ରହିଛି। ଅତାବିରା ଅଞ୍ଚଳରୁ ଚାଉଳ ସଂଗ୍ରହର ହାର ଟିକିଏ ଅଧିକ ରହିଛି। ସେହିପରି ପଦ୍ମପୁର ଅଞ୍ଚଳରୁ ମଧ୍ୟ ଚାଉଳ ସଂଗ୍ରହ କାମ ତ୍ୱରାନ୍ୱିତ ହୋଇଛି। ଏ ବିଷୟରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅତାବିରା ଅଞ୍ଚଳରୁ ଧାନ ଶୀଘ୍ର ଅମଳ ହେଉଥିବା ଯୋଗୁଁ ଧାନ ସଂଗ୍ରହ ସହ ଚାଉଳ ସଂଗ୍ରହ ମଧ୍ୟ ଆଗ ହେଉଛି। ମାତ୍ର ବରଗଡ଼ ଅଞ୍ଚଳରେ ଧାନ ସଂଗ୍ରହ ବିଳମ୍ବ ହେଉଥିବା ବେଳେ ଚାଉଳ ସଂଗ୍ରହ ମନ୍ଥର ଥିବା ସେ ସ୍ୱୀକାର କରିଥିଲେ। କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ଚାଉଳ ନେବା ଏକ ରକମ ବନ୍ଦ କରିଦେଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଚାଉଳ ଉଠାଉ ନାହାନ୍ତି। ଫଳରେ ଧାନରୁ ଚାଉଳ ଯୋଗାଣ ବେଶ୍‍ ପ୍ରଭାବିତ ହୋଇଛି। ବରଗଡ଼ ଜିଲାରେ ରାଇସ ରିସିଭିଂ ସେଣ୍ଟର ଗୁଡିକରେ ୭ ଲକ୍ଷ କ୍ୱିଣ୍ଟାଲ ଚାଉଳ ରହିବା ବ୍ୟବସ୍ଥା ଅଛି। ଏବେ ଏହି ସବୁ ଗୋଦାମରେ ମାତ୍ର ୨ ଲକ୍ଷ କ୍ୱିଣ୍ଟାଲ ଚାଉଳ ରହିଛି। ଗୋଦାମ ଘର ଗୁଡିକରେ ଆହୁରି ୫ ଲକ୍ଷ କ୍ୱିଣ୍ଟାଲ ଚାଉଳ ରହିବା ପାଇଁ ଜାଗାଥିବା ବେଳେ ଚାଉଳ କିନ୍ତୁ କିଣାଯାଉ ନାହିଁ କି ଗୋଦାମ ଭର୍ତ୍ତି କରାଯାଉନାହିଁ।
ଅନ୍ୟପକ୍ଷରେ ଯେଉଁମାନେ ଧାନ ସଂଗ୍ରହ କରିଛନ୍ତି ସେମାନଙ୍କ ପାଖରେ ଧାନ ରଖିବାକୁ ଜାଗା ନାହିଁ କି ଏହାର ସୁରକ୍ଷା ମଧ୍ୟ ଠିକ୍‍ ଭାବେ ହୋଇପାରୁ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଉଭୟଙ୍କୁ ଦୋଷ ଲଦାଲଦି ହୋଇ ଚାଉଳ ସଂଗ୍ରହକୁ ମନ୍ଥର କରି ଦେଇଛନ୍ତି। ଏହି ପ୍ରକିୟା ଆଉ ଅଧିକ ଦିନ ଜାରି ରହିଲେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ସମୟକୁ ଚାଷୀ ବେଶୀ ହଇରାଣ ହେବେ। ଧାନ ସଂଗ୍ରହକାରୀ ସଂସ୍ଥାମାନେ ଚାଉଳ ଦେଇ ନଥିବା ଯୋଗୁଁ ଧାନ ସଂଗ୍ରହ ପାଇଁ ଟାଳଟୁଳ ନୀତି ଧରିଲେ ରବି ଧାନ ସଂଗ୍ରହ ପ୍ରକ୍ରିୟା ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଫସିଆଇ ଅରୁଆ ଚାଉଳ ବାହାନା କରି ଧାନ କିଣୁନାହିଁ। ରାଜ୍ୟ ସରକାର କୌଣସି କାରଣ ନଥାଇ ଚାଉଳ କିଣୁ ନାହାନ୍ତି। ପଞ୍ଚାୟତ ନିର୍ବାଚନ ଥିବାରୁ ବରଗଡ଼ ଜିଲାରେ ଏଥର ଧାନ କିଣାକୁ ନେଇ କୌଣସି ପ୍ରକାର ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିବା ପାଇଁ ସୁଯୋଗ ଦିଆଗଲା ନାହିଁ। କୃଷକମାନଙ୍କ ଠାରୁ ଧାନ ସଂଗ୍ରହ କରିନିଆଗଲା; ମାତ୍ର ଚାଉଳ ସଂଗହ ବେଳକୁ ପ୍ରଶାସନ ହାତ ଟେକି ଦେଇଛି। ବରଗଡ଼ରେ ଥିବା ଗୋଦାମ ଗୁଡିକରୁ ଚାଉଳ ପରିବହନ ନେଇ ରେଳ ସୁବିଧା ରହିଛି, ସଡକ ପଥରେ ମଧ୍ୟ ସୁବିଧା ରହିଛି ହେଲେ ଚାଉଳ ପରିବହନ ହେଉନାହିଁ। ଏଥିରେ ରାଜ୍ୟ ସରକାରଙ୍କ ଇଛାଶକ୍ତିର ଘୋର ଅଭାବ ଥିବାରୁ ଚାଉଳ ସଂଗ୍ରହ କାମ ଏଥର ଧିମେଇ ଯାଇଛି। ଏହି କାମ ଧିମେଇ ଯାଇଥିବାରୁ ଚାଉଳ ସଂଗ୍ରହ କାମରେ ନିୟୋଜିତ ଥିବା ଶହ ଶହ ଶ୍ରମିକ ଏବେ ବେକାର ହେବାକୁ ଯାଉଛନ୍ତି। ଚାଉଳ କଳରେ କାମ ମିଳୁ ନାହିଁ, ଗୋଦାମରେ କାମ ମିଳୁ ନାହିଁ। ତେଣୁ ଏବେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି।

Comments are closed.