ମଣ୍ଡିରେ ପଡ଼ି ୬୦ ହଜାର ବସ୍ତା ଧାନ ନଷ୍ଟ : ଅଧା ପଚିଗଲା, ବାକିତକ ଗଜା

କୁଚିଣ୍ଡା : ଅଦିନିଆ ବର୍ଷା ଚାଷୀ ପାଇଁ କାଳ ହେଲା। କାରଣ ଭିଜି ଯାଇଥିବା ଧାନରୁ ଅଧେ ପଚିଯାଇଛି, ବାକି ଅଧକ ଗଜା ଧରିଲାଣି। ଏହିପରି ଭାବରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ପ୍ରାୟ ୬୦ ହଜାର ବସ୍ତା ଧାନ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି।
କୁଚିଣ୍ଡା,ଜମନକିରା ଓ ବାମରା ବ୍ଲକର ୩୦ଟି ମଣ୍ଡିରେ ଏହି ଧାନ ବହୁ ଦିନରୁ ପଡ଼ିଥିଲା। ଦୃଷ୍ଟାନ୍ତ ସ୍ବରୂପ କେବଳ ଧୂଡ଼ିପାଲି ମଣ୍ଡିରେ ୯ ହଜାର ବସ୍ତା ଧାନ ବର୍ଷା-କାକରରେ ଭିଜୁଛି। ଟୋକନ ପାଇଥିବା ଚାଷୀ ଏହି ଧାନ ଧରି ମଣ୍ଡିକୁ ଆସିଥିଲେ। କିନ୍ତୁ ମଣ୍ଡିର ଧାନ ଖରିଦ ଟାର୍ଗେଟ ସରିଯାଇଥିବାରୁ ସେମାନଙ୍କ ଧାନ କିଣାଗଲା ନାହିଁ। ନୂଆ ଟାର୍ଗେଟ ଆସିବା ଯାଏ ଅପେକ୍ଷା କରିବାକୁ କୁହାଗଲା। ଗାଡ଼ି ଭଡ଼ା କରି ହଜାର ହଜାର ବସ୍ତା ଧାନ ବୋହି ଆଣିଥିବା ଚାଷୀ ଅଚାବୁହା ଅବସ୍ଥା ହୋଇଗଲା। ପୁଣି ଗାଡ଼ି ଭଡ଼ା କରି ହଜାର ହଜାର ବସ୍ତା ଧାନ ଘରକୁ ଫେରାଇ ନେବା ବଦଳରେ ମଣ୍ଡିରେ ପକାଇ ରଖିବାକୁ ଉଚିତ ଭାବିଥିଲା। କିନ୍ତୁ ମଣ୍ଡି ଭିିତ୍ତିଭୂମି ଦୁର୍ବଳ। ଅଧିକାଂଶ ମଣ୍ଡିରେ ଛାଉଣୀ ନାହିଁ। ମଣ୍ଡି କହିଲେ ପାଚେରୀ ଘେରା ଓ ଛାଉଣୀ ବିହୀନ ସିମେଣ୍ଟ ପିଣ୍ଡା। ଚାଷୀର କଷ୍ଟୋପାର୍ଜିତ ଧାନ ବେଶ କିଛି ଦିନ ଶୀତ କାକରରେ ଭିଜିଲା ପରେ ଗତ ଶୁକ୍ରବାର ଅଦିନିଆ ବର୍ଷାରେ ଭିଜିଛି। ଯେଉଁ ମଣ୍ଡିରେ କଂକ୍ରିଟ ପିଣ୍ଡା ଅଛି ସେଠାରେ ଥିବା ଧାନ ଭିଜି ଗଜା ଧରିଛି। କିନ୍ତୁ ଯେଉଁ ମଣ୍ଡିରେ ପିଣ୍ଡା ସୁଦ୍ଧା ନାହିଁ ସେଠାରେ ଭୂଇଁରେ ରଖାଯାଇଥିବା ଧାନ ବର୍ଷା କାଦୁଅରେ ତିନ୍ତି ପଚିଯାଇଛି। ଏହି ଧାନ ଆଉ ବିକ୍ରିଯୋଗ୍ୟ ହୋଇ ରହିନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ଏହି ବିପର୍ଯ୍ୟସ୍ତ ଅବସ୍ଥା ଓ ଚାଷୀର କ୍ଷତି ପାଇଁ ଦାୟୀ କିଏ।

ଚାଷୀକୁ ବିକ୍ରି ଅନୁମତି (ଟୋକନ) ଦିଆଯିବାରୁ ମଣ୍ଡିକୁ ଧାନ ଆଣିଥିଲା। କିନ୍ତୁ ତା’ ଧାନ କିଣାଗଲା ନାହିଁ। ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ନାହିଁ। ଯାହା ଫଳରେ ଅଧା ଲକ୍ଷ ବସ୍ତା ଧାନ ନଷ୍ଟ ହୋଇଗଲା। ଧାନ ସଂଗ୍ରହରେ ସାଂଘାତିକ ଅବ୍ୟବସ୍ଥା ଉପରେ ପ୍ରକୃତିର ଦାଉ। କୌଣସି ଦିଗରୁ ଚାଷୀର ନିସ୍ତାର ନାହିଁ। ଆଖି ଆଗରେ ସୁନାର ଫସଲ ନଷ୍ଟ ହେବା ପରେ ଚାଷୀ ଆଖିରେ ନିଦ ନାହିଁ। ଏବେ ଚାଷୀର କ୍ଷତ ଓ କ୍ଷତି ଭରଣା କରିବାକୁ କେହି ନାହାନ୍ତି। କାରଣ ଯେଉଁ ସରକାରୀ ବାବୁମାନେ ଏହି ଅବ୍ୟବସ୍ଥାର ସ୍ରଷ୍ଟା; ସେମାନେ ନିଦାବିଷ୍ଣୁ ସାଜିଛନ୍ତି। ଚାଷୀର ଧାନ ବିକ୍ରୀ ବ୍ୟବସ୍ଥା କରିବାକୁ ଚାଷୀ ସଙ୍ଗଠନ ଓ ବିଭିନ୍ନ ରାଜନୈତିକ ଦଳ ଯେତେ ଆନ୍ଦୋଳନ କଲେ ମଧ୍ୟ ସରକାରୀ ସ୍ତରରେ ଏହାର ପ୍ରଭାବ ପଡ଼ିନଥିବା ଲକ୍ଷ୍ୟ କରାଯାଉଛି। ୬୦ ହଜାର ବସ୍ତା ଧାନ ନଷ୍ଟ ଯୋଗୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଥିବା ଚାଷୀ ଏଥି ପାଇଁ ନିଜ ଭାଗ୍ୟକୁ ହିଁ ନିନ୍ଦୁଛନ୍ତି।

Comments are closed.