ଧାନ ସଂଗ୍ରହରେ ଅବ୍ୟବସ୍ଥା ଆରମ୍ଭ, ଅମଳ ହେଲାଣି ଟୋକନ ଆସିନାହିଁ

ସମ୍ବଲପୁର: ସମ୍ବଲପୁର ଜିଲାରେ ଗଲା ୧୨ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ମାତ୍ର ଟୋକନ ବ୍ୟବସ୍ଥା ଯୋଗୁ ଚାଷୀ ସୁରୁଖୁରୁରେ ଧାନ ବିକି ପାରୁନାହାନ୍ତି। ଯେଉଁ ଚାଷୀ ଧାନ ଅମଳ କରିନାହାନ୍ତି; ସେମାନଙ୍କ ଟୋକନ ଆସିସାରିଲାଣି। ଅଥଚ ଯେଉଁ ଚାଷୀ ଧାନ ଅମଳ କଲେଣି ସେମାନଙ୍କ ଟୋକନ ଆସିନାହିଁ। ଫଳରେ ଚାଷୀ ଧାନ ବିକ୍ରି କରିବା ସମସ୍ୟାର ସମ୍ମୁଖୀନ ହେଲେଣି ବୋଲି ଜିଲା କୃଷକ ସୁରକ୍ଷା ସଂଗଠନର ସମ୍ପାଦକ ବ୍ୟୋମକେଶ ଠାକୁର କହିଛନ୍ତି।

ମଣ୍ଡି ଖୋଲିବାର ଅନକ ପୂର୍ବରୁ ସରକାର ଚାଷୀଙ୍କୁ ତାରିଖ ମାଗିଥିଲେ। ନଭେମ୍ବର​‌େ​‌ର ଧାନ କିଣିବାକୁ ଚାଷୀ କହିଥିଲେ। କିନ୍ତୁ ସରକାର ଚାଷୀଙ୍କୁ ଟୋକନ ଯୋଗାଇବାରେ ବିଫଳ ହୋଇଛନ୍ତି। ଯେଉଁ ଚାଷୀମାନଙ୍କ ପାଖକୁ ଟୋକନ ଆସିଛି; ସେମାନେ ଫେବ୍ରୁଆରୀ ନତୁବା ମାର୍ଚ୍ଚରେ ଧାନ ବିକିବେ ବୋଲି ସରକାର ନିର୍ଦେଶ ରହିଛି। ଚାଷୀ ଅମଳ କରିଥିବା ଚାଷୀ ଫେବ୍ରୁଆରୀ ପର୍ୟ୍ୟନ୍ତ କେଉଁଠି ରଖିବ ବୋଲି ଚାଷୀ ପ୍ରଶ୍ନ କରୁଛନ୍ତି। ଟୋକନରେ ୭୫ କ୍ବିଣ୍ଟାଲ ଧାନ ଖରିଦ ହୋଇ ପାରିବ ବୋଲି କୁହାଯାଉଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ସମସ୍ୟା ପାଇଁ ପ୍ରଶାସନକୁ କୁହାଯାଇଥିଲା। କିନ୍ତୁ କିଛି ଲାଭ ହୋଇନାହିଁ। ଟୋକନ ପ୍ରକ୍ରିୟାକୁ ଏତେ ଜଟିଳ କରି ଦିଆଯାଇଛି ଯେ ଚାଷୀ ତା’ କଷ୍ଟୋପାର୍ଜିତ ଧାନ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ଚାଷୀନେତା ବ୍ୟୋମକେଶ କହିଛନ୍ତି। ଭୁବନେଶ୍ବରରୁ ଟୋକନ ବ୍ୟବସ୍ଥା ନ କରି ଜିଲା ସ୍ତରରେ କଲେ ଧାନ କିଣାବିକାରେ ସମସ୍ୟା ରହିବ ନାହିଁ ବୋଲି ଚାଷୀ ମହଲରୁ ବାରମ୍ବାର ଦାବି ହେଉଛି। ମାତ୍ର ଏହି ଦାବିକୁ ସରକାର ଗ୍ରହଣ ନକରି ଭୁବନେଶ୍ବରରୁ ଟୋକନ ପ୍ରସ୍ତୁତ କରାଯାଉଥିବାରୁ ଗତ ରବି ଓ ଖରିଫ ଧାନ କିଣାବିକାରେ ଅଚଳାବସ୍ଥା ଦେଖା ଦେଇଥିଲା। ଚଳିତ ବର୍ଷ ମଧ୍ୟ ଟୋକନକୁ ନେଇ ଅଚଳାବସ୍ଥା ଦେଖା ଦେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚାଷୀ ପକ୍ଷରୁ କୁହାଯାଉଛି। ଖରିଫ ଧାନ ସଂଗ୍ରହର ସପ୍ତାହେ ପୂର୍ବରୁ ଚାଷୀଙ୍କୁ ଟୋକନ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା। ମାତ୍ର ଅଦ୍ୟାବଧି ଜିଲାର ସମସ୍ତ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ। ପଞ୍ଜିକୃତ ଚାଷୀଙ୍କ ମୋବାଇଲକୁ ମେସେଜ ମାଧ୍ୟମରେ ଟୋକନ ଆସିଥିବାର ସୂଚନା ମିଳୁଥିଲା ବେଳେ ଓଡ଼ିଶା ସରକାରଙ୍କ ପୋର୍ଟାଲରେ ଟୋକନ ସଂକ୍ରାନ୍ତ ତଥ୍ୟ ପ୍ରକାଶ ପାଉନି।

ସରକାର ଜିଲା ଖାଦ୍ୟ ଓ ଯୋଗାଣ କାର୍ୟ୍ୟଳୟ ଓ ସମବ୍ୟା ବିଭାଗକୁ ମଧ୍ୟ ଟୋକନ ସଂକ୍ରାନ୍ତରେ କୌଣସି ତଥ୍ୟ ଦେଉ ନାହାନ୍ତି। ଜିଲାରେ ୫୩ହଜାର ୧୪୭ଜଣ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଥିଲା ବେଳେ କେତେ ସଂଖ୍ୟକ ଚାଷୀଙ୍କୁ ଟୋକନ ମିଳିଛି ତାହା ଧାନ କିଣାବିକାରେ ସମ୍ପୃକ୍ତ ବିଭାଗ ମଧ୍ୟ ଜାଣିପାରୁନି। ୧୦ ଏକରରୁ ଅଧିକ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଖକୁ ଟୋକନ ଆସିନି। ଏହି ଚାଷୀମାନେ ପ୍ରକୃତରେ ଚାଷ କରିଛନ୍ତି କି’ ନାହିଁ ସେ ସଂକ୍ରାନ୍ତରେ ସମ୍ପୃକ୍ତ ଆରଆଇ ତଦନ୍ତ କରି ରିପୋର୍ଟ ଦେବା ପରେ ଟୋକନ ମିଳିବ ବୋଲି କୁହାଯାଉଛି। ଟୋକନ ପ୍ରସଙ୍ଗକୁ ନେଇ ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି ଯେ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଟୋକନ ବ୍ୟବସ୍ଥାକୁ ସରକାର ସରଳ ନ କରି ଜଟିଳ କରି ଦେଇଛନ୍ତି। ତେଣୁ ଚାଷୀ ଯେତେବେଳେ ରାଜରାସ୍ତାକୁ ଓହ୍ଲାଇବ ସରକାର ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ରାଜରାସ୍ତାକୁ ଆସିବାକୁ ପଡ଼ିବ।

Comments are closed.