ସଂଘର୍ଷ ଦେଲା ସଫଳତା: ରାମଲୀଳାର ହନୁମାନ ଭୂମିକାରୁ ଆନ୍ତର୍ଜାତିକ ସିନେମାର ନାୟକ ଜଗନ୍ନାଥ ସେଠ୍

ପଦ୍ମପୁର: ଉଦ୍ୟମ ସହ ସଂଗ୍ରାମ ଲକ୍ଷ୍ୟ ହାସଲ କରିବାରେ କୌଣସି ଶକ୍ତି ପ୍ରତିବନ୍ଧକ ହୋଇପାରେ ନାହିଁ। ଦିନେ ଗାଁ ରାମଲୀଳା  ଯାତ୍ରାରେ ହନୁମାନ ସାଜୁଥିବା ନିପଟ ମଫସଲ ଗାଁର ଅଖ୍ୟାତ ଜଗନ୍ନାଥ ସେଠ୍ ଏବେ ଏକ ଆନ୍ତର୍ଜାତୀୟ ଫିଲ୍ମରେ ମୁଖ୍ୟ ନାୟକ ‘ଭାବରା’ ଭାବରେ ଅଭିନୟ କରି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି ।
ବରଗଡ ଜିଲ୍ଲା ପଦ୍ମପୁର ଉପ ଖଣ୍ତ ନିପଟ ମଫସଲ ମହୁଲପାଲି ଗାଁର ଜଗନ୍ନାଥ ସେଠ। ମା’ଙ୍କ ନାଁ ପର୍ବତୀ ଦେବୀ, ପିତା ଯତି ଶେଠ ।ଘରର ଆର୍ଥିକ ଅବସ୍ଥା ସ୍ବସ୍ଥଳ ନ ଥିଲା ।ପାଠ ପଢିବାକୁ ଅନେକ ପ୍ରତିବନ୍ଧକ ରହିଥିଲା । ସେ ମନେ ମନେ ଫିଲ୍ମ ଦୁନିଆରେ ପାଦ ଦେଇ ହିରୋ ହେବା ସ୍ବପ୍ନ ଦେଖିଥିଲେ  ।ଉଚ୍ଚ ଶିକ୍ଷିତ ନ ହେଲେ ସ୍ବପ୍ନ ସାକାର ହୋଇ ପାରିବ ନାହିଁ।ଯେତେ କଷ୍ଟ ହେଲେ ମଧ୍ୟ ପାଠ ପଢିବାକୁ ହେବ ।
ଅର୍ଥ ,ଶିକ୍ଷାରେ ଯେପରି ପ୍ରତିବନ୍ଧକ ନ ହେବ,ସେଥିପାଇଁ ଅନ୍ୟ ଘରକୁ ମୂଳ ଲାଗିବାକୁ ଯାଉଥିଲା । ସେଥିରୁ ଆଣୁଥିବା ମଜୁରୀକୁ କିଛି ଘରେ ଦେଇ ଅଳ୍ପ ରଖି ପାଠ ପଢା ଖର୍ଚ୍ଚ ଉଠାଉଥିଲେ । ଶ୍ରୀରାମ ନବମୀ ଉତ୍ସବରେ ଗାଁର ଯୁବଗୋଷ୍ଠୀ ରାମଲୀଲା ଆୟୋଜନ କରିଥାନ୍ତି ।ସେଥିରେ ଜଗନ୍ନାଥ ହନୁମାନ ଭୂମିକାରେ ଅଭିନୟ କରି ବେଶ୍ ଜନାଦୃତ ହୋଇଥିଲେ । ଅଭିନୟ ଜୀବନ ଓ ଫିଲ୍ମ ଜଗତରେ ସ୍ଥାନିତ ହେବା ନିଶା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଲା।ଅର୍ଥ ଯେପରି ପ୍ରତିବନ୍ଧକ  ନ ସେଥିପାଇଁ ନିଜ ଗାଁ ମହୁଳପାଲିରେ ପର୍ବ ପର୍ବାଣୀ ଅନୁସାରେ ଗଣେଶ, ସରସ୍ବତୀ, ଦୁର୍ଗା, ବିଶ୍ବକର୍ମା ମୂର୍ତ୍ତି ତିଆରି କରି ବିକ୍ରୟ କରୁଥିଲେ ।
ପଦ୍ମପୁର ଅଗ୍ରଣୀ ନାଟ୍ୟ ସଂସ୍ଥା ଲୁ’ରେ ନାଟ୍ୟକାର କେଶରଂଜନ ପ୍ରଧାନଂକ ପ୍ରେରଣାରେ ୧୯୯୮ରେ ପ୍ରଥମ ଥର ମଂଚରେ ଅଭିନୟ ସୁଯୋଗ ପାଇଲେ ।  ଶେଷରେ ୨୦୦୭ରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ନାମ ଲେଖାଇଥିଲେ ଜଗନ୍ନାଥ ।  ୧୦ ବର୍ଷ କଠୋର ପରିଶ୍ରମ ପରେ ସେ ଏବେ ଏକ ଆନ୍ତର୍ଜାତୀୟ ଫିଲ୍ମର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ୬୩ରୁ ଅଧିକ ହିନ୍ଦି ନାଟକ, ୪ଟି ହିନ୍ଦି ସିନେମା,୧୨ଟି ବିଜ୍ଞାପନ ଫିଲ୍ମ ରେ ସେ କାମ କରିଛନ୍ତି ।

ଆସାମର ସେମଖୋର ପାହାଡରେ ବସବାସ କରୁଥିବା ଅଧିବାସୀମାନଙ୍କ ଜୀବନ ଚର୍ଯ୍ୟା,ବାଲ୍ୟ ବିବାହ ,ମୋବାଇଲର ବ୍ୟବହାର ଜାଣୁ ନ ଥିବା ଲୋକଙ୍କ ଉପରେ ଆଧାରିତ ଏକ ଆନ୍ତର୍ଜାତୀୟ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ସଂପ୍ରତି ସେ ନିଜର ସ୍ତ୍ରୀ ରଶ୍ମି,ପୁଅ ଦେବେଶ ଓ ମହେଶ ସହ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି। ସୁଟିଂ ଶେଷ କରି ନିଜ ଗାଁରେ ପହଞ୍ଚିବା ପରେ ତାଙ୍କୁ ବହୁ ଲୋକ ସ୍ବାଗତ କରିଛନ୍ତି । ଗାଁରେ ଏକ ବିପୁଳ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯିବ ବୋଲି   ଆୟୋଜକ ସୁନୀଳ ବେହେରା,ଝସକେତନ ସେଠ,ଅଶ୍ବିନୀ ଧରୁଆ ସୂଚନା ଦେଇଛନ୍ତି ।

Comments are closed.