MEllora 950×100

ପଦ୍ମପୁର ଉପନିର୍ବାଚନ : ପୂରା ସାମର୍ଥ୍ୟ ଲଗେଇଛନ୍ତି ୩ ପ୍ରମୁଖ ଦଳ

ଭୁବନେଶ୍ବର  : ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପୂରା ଦମରେ ଅଣ୍ଟା ଭିଡିଛନ୍ତି। ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏହାକୁ ସମ୍ମାନର ପ୍ରଶ୍ନ ଭାବେ ନେଇଥିବାବେଳେ ଧାମନଗର ଉପନିର୍ବାଚନରେ ବିଜୟଲାଭ କରିବା ପରେ ଉତ୍ସାହିତ ଥିବା ବିଜେପି ପଦ୍ମପୁରରେ ଜିତିବାକୁ ପାଗ ଭିଡିଛି। ଅନ୍ୟପକ୍ଷରେ କଂଗ୍ରେସ ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିଥିବାରୁ ବରିଷ୍ଠ ନେତାମାନେ ତାଙ୍କ ପାଇଁ ଲାଗି ପଡିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସମ୍ମାନର ବିଷୟ ମନେ କରି ସବୁ ଦଳ ପୂରା ସମାର୍ଥ୍ୟ ଲଗାଇ ଦେଇଥିବା ଦେଖାଯାଇଛି। ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହେବା ପରେ ବିଜେପିର ଉତ୍ସାହ ବଢ଼ିଛି। ଶାସନରେ ଥିବା ବିଜେଡିକୁ ଉପ ନିର୍ବାଚନରେ ହରାଇ ଦଳ ରାଜ୍ୟରେ ନୂଆ ସମ୍ଭାବନାର ସଂକେତ ପାଇଛି। ସେଥିପାଇଁ ପଦ୍ମପୁର ନିର୍ବାଚନ ପୂରାଦମରେ ଲଢ଼ିବାକୁ ଦଳ ପ୍ରୟାସ କରୁଛି। ପ୍ରାର୍ଥୀ ଭଲ ଥିଲେ ମଧ୍ୟ ଗତ ନିର୍ବାଚନରେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ବିଜେପି ସେଠାରେ ହାରିଥିଲା। ଏଥର ଦଳର ନେତୃତ୍ବ ପୂରା ଦମରେ ସେଠାରେ ଲାଗିଛନ୍ତି। ପଦ୍ମପୁର ଆସନରେ ଦଳ ବିଜୟୀ ହେଲେ ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାଙ୍କ ଫୋକସ୍‌ ଓଡ଼ିଶାରେ ରହିବ।
ଅନ୍ୟପକ୍ଷରେ ବିଜେଡି ଏହି ନିର୍ବାଚନକୁ ହାଲୁକା ଭାବେ ନେଉନାହିଁ। ପୂର୍ବରୁ ଉପନିର୍ବାଚନରେ ଜିତି ଆସୁଥିବା ବିଜେଡିକୁ ଧାମନଗର ଝଟକା ପରେ ଦଳୀୟ ନେତା ସଜାଗ ହୋଇଛନ୍ତି। ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅକୁ ପ୍ରାର୍ଥୀ କରି ବିଜେଡି ସ୍ବାନ୍ତନାମୂଳକ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି। ତା’ଛଡା ଦଳର ବରିଷ୍ଠ ନେତାଙ୍କୁ ସେଠାରେ ନିର୍ବାଚନ ପରିଚାଳନା କାମରେ ଲଗାଯାଇଛି। ଧାମନଗର ଘଟଣାର ଯେପରି ପୁନରାବୃତ୍ତି ନହେବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ବିଜେଡି ଏହି ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଲୋକପ୍ରିୟତା ପ୍ରମାଣ କରିବାକୁ ଚାହୁଁଛି। କଂଗ୍ରେସ ମଧ୍ୟ ପଛରେ ନାହିଁ, ଦଳ ପଦ୍ମପୁରରେ ନୂଆ ସମ୍ଭାବନା ଦେଖୁଛି। ପୁରୁଖା ନେତା ପ୍ରାର୍ଥୀ ହୋଇଥିବାବେଳେ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତାରୁ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି ଦଳ। ରାଷ୍ଟ୍ରୀୟସ୍ତରରେ ରାହୁଳ ଗାନ୍ଧୀ ଭାରତ ଯୋଡ ଯାତ୍ରା କରୁଛନ୍ତି। ରାଜ୍ୟରେ ଦଳୀୟ ସଂଗଠନକୁ ମଜଭୁତ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଭାରତ ଯୋଡ-ଓଡ଼ିଶା ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ନିର୍ବାଚନରେ ଦଳକୁ ସଫଳତା ମିଳିଲେ, ହତୋତ୍ସାହିତ ହୋଇପଡିଥିବା କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବ। ସୁପ୍ତ ଅବସ୍ଥାରେ ଥିବା କର୍ମୀମାନେ ସକ୍ରିୟ ହୋଇଯିବେ। ୨୦୨୪ ନିର୍ବାଚନ ପାଇଁ ଦଳୀୟ ନେତାଙ୍କ ଭିତରେ ତତ୍ପରତା ପ୍ରକାଶ ପାଇବ। ତେଣୁ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ‌େ‌ଜାରଦାର ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି।

Comments are closed.