MEllora 950×100

ପଦମପୁର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର

ଡେସ୍କ : ପଦମପୁର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଛି । ବିଭିନ୍ନ ଦଳର ତାରକା ପ୍ରଚାରକମାନେ ନିଜ ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି।

ଶନିବାର ପଦମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଳକ ଅନ୍ତର୍ଗତ ବିଳାସପୁରଠାରେ ବିଜେପିର ଏକ ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼. ସମ୍ବିତ ପାତ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ଛତିଶଗଡ଼ ସାଂସଦ ଚୁନିଲାଲ ଯୋଷୀ ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ବିକାଶ ଧାରାକୁ ଆଗେଇନେବା ପାଇଁ ପଦ୍ମପୁରରେ ବିଜେପି ପ୍ରାର୍ଥୀକୁ ବିଜୟୀ କରିବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି। ସେହିପରି କୁମୀର,ଚଣ୍ଡିଭଟା, ଡ଼ୁଙ୍ଗୁରି ପାଲି, ଗୌଡ଼ମାଲ, ନିଲଜିପତ୍ରା, କୁର୍ଲୁପାଲି, ଭଣ୍ଡାରପୁରୀ,ଦିୱାନପାଲି ଆଦି ସ୍ଥାନରେ ଆଜି ବିଜେପି ପକ୍ଷରୁ ନିର୍ବାଚନୀ ପ୍ରଚାର ହୋଇଛି ।
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ସେ ନିଜେ କର୍ମୀ ମାନଙ୍କ ସହ ଗାଁ ଗାଁ ବୁଲି କଂଗ୍ରେସକୁ ବିଜୟୀ କରିବା ପାଇଁ ନିବେଦନ କରୁଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକଙ୍କ ସମେତ ବହୁ ନେତାଙ୍କ ଉପସ୍ଥିତିରେ ପଦ୍ମପୁରଠାରେ ସମ୍ବିଧାନ ଦିବସ ପାଳନ କରିବା ସହ ଏକ କର୍ମୀ ସମ୍ମିଳନୀରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଆଜି ଅପରାହ୍ନରେ ଝୁନୁଗାପାଲି, ସର୍ଗିବାହାଲ, ଜମଲା, ଘନାମାଲ, ଢୋଲବନ୍ଧ, ଗ୍ୟାନ ଆଦି ସ୍ଥାନରେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଇଛି ।


ଅନ୍ୟ ପକ୍ଷରେ  ବିଜୁଜନତାଦଳ ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ନିଜ ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି। ଆଜି ପଦମପୁର ବ୍ଳକର ବିଭିନ୍ନ ଗାଁକୁ ଯାଇ ସେ ପ୍ରଚାର କରିଛନ୍ତି। ପଦ୍ମପୁର ନିକଟ ବରିକେଲ ପଂଚାୟତ ଫଟାମୁଣ୍ଡା ଗ୍ରାମରେ ଏକ ନିର୍ବାଚନୀ ସଭାରେ ବିଜେଡ଼ି ପ୍ରାର୍ଥୀଙ୍କ ସହ ମନ୍ତ୍ରୀ ରୀତା ସାହୁ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ସମେତ ବହୁ ନେତା ବିଜେଡ଼ି ପ୍ରାର୍ଥୀ ବର୍ଷାରାଣୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଅବ୍ୟାହତ ରଖିବା ପାଇଁ ବର୍ଷାଙ୍କୁ ବିଜୟୀ କରିବା ଲାଗି ଭୋଟର ମାନଙ୍କୁ ନିବେଦନ କରିଛନ୍ତି ।

Comments are closed.