ପ୍ୟାକେଜିଂ ମ୍ୟାଟେରିଆଲର ଅଭାବ:  ଅତ୍ୟାବଶ୍ୟକ ସାମଗ୍ରୀର ଖୁଚୁରା ଦର ବୃଦ୍ଧି

ଭୁବନେଶ୍ବର :କରୋନା ଯୋଗୁ ପ୍ରଭାବିତ ହୋଇଛି ପ୍ରାୟ ସମସ୍ତ କ୍ଷେତ୍ର। ଏଭଳି ସମୟରେ ବଜାରରେ ଧୀରେ ଧୀରେ ବିସ୍କୁଟ୍‌ ଏବଂ ଖାଇବାତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ କମ୍‌ ହେବାରେ ଲାଗିଛି । ପ୍ରାୟ ସବୁ ପ୍ରକାର ବିସ୍କୁଟ୍‌ ଯୋଗାଣ ହ୍ରାସ ଘଟିଛି । ସେହିଭଳି ନୁଡୁଲ୍ସ ଏବଂ ଖାଇବା ତେଲର ଛୋଟ ପ୍ୟାକେଟ୍‌ ସାମଗ୍ରୀ ବଜାରକୁ ଆସିବା ବନ୍ଦ ହୋଇଯାଇଛି ।  ପ୍ୟାକେଜିଂ ମ୍ୟାଟେରିଆଲର ଅଭାବ ବଜାରରେ ଏଭଳି ଏକ ନୂଆ ସମସ୍ୟା ସୃଷ୍ଟି କରିଛି । ବିଭିନ୍ନ କ୍ଷେତ୍ର ସହ ଜଡିତ ଆନୁଷଙ୍ଗିିକ କ୍ଷେତ୍ରରେ ଉତ୍ପାଦନ ଅନୁମତି ନ ମିଳିବା ଏହାର ମୁଖ୍ୟ କାରଣ ବୋଲି ବ୍ୟବସାୟୀ ମହାସଂଘ କହିଛି ।
କିଛି ଦିନ ହେବ ବଜାରକୁ ଛୋଟ ଛୋଟ ପ୍ୟାକେଟ୍‌ ୧୦୦ ଓ ୨୦୦ ଗ୍ରାମର ଖାଇବାତେଲ ଆସିବା ବନ୍ଦ ହୋଇଯାଇଛି ା ସେହିଭଳି ୧ କେଜି ପ୍ୟାକେଟ୍‌ରେ ଆସୁଥିବା ଅମୂଲ ମଧ୍ୟ ବଜାରରେ ବହୁତ କମ୍‌ ଉପଲବ୍‌ଧ ହେଉଛି । ବଜାରରେ ବିସ୍କୁଟ୍‌ ଅଭାବ ସହ ଛୋଟ ପ୍ୟାକେଟ୍‌ର ନୁଡୁଲ୍ସ ଆଉ ବଜାରକୁ ଆସୁନାହିଁ । ଏଭଳି ସ୍ଥଳେ ଏବେ ଖୁଚୁରା ବଜାରରେ ବିସ୍କୁଟ୍‌, ଅମୂଲ ଏବଂ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିଯାଇଛି । ଏହା ବର୍ତ୍ତମାନ ଖାଉଟିଙ୍କ ଚିନ୍ତା ବଢାଇଛି । ଖାଇବା ତେଲ ମୂଲ୍ୟରେ ୧୦%, ଅମୂଲରେ ୫%, ବିସ୍କୁଟ୍‌ରେ ୧୦% ଏବଂ ନୁଡୁଲ୍ସ ମୂଲ୍ୟରେ ମଧ୍ୟ ୧୦% ବୃଦ୍ଧି ଘଟିଛି । ସରକାର ବିସ୍କୁଟ୍‌ ଏବଂ ତେଲ କମ୍ପାନୀକୁ ଉତ୍ପାଦନ ଅନୁମତି ଦେଇଥିବାବେଳେ ଏଥିରେ ପ୍ୟାକେଜିଂ ପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟ ପ୍ରସ୍ତୁତକାରୀ ଆନୁଷଙ୍ଗିକ କ୍ଷେତ୍ର ସହ ଜଡିତ କମ୍ପାନୀକୁ ଚାଲୁ କରିବାକୁ ମନା କରିଛନ୍ତି । ଯାହାଫଳରେ ବଜାରରେ ପ୍ୟାକେଜିଂ ମ୍ୟାଟେରିଆଲର ଅଭାବ ଦେଖାଦେଇଛି । ଚାହିଦା ତୁଳନାରେ ଯୋଗାଣ କମ୍‌ ହେବା ଯୋଗୁ ବଜାରରେ ଏହି ସବୁ ସାମଗ୍ରୀର ଦର ବୃଦ୍ଧି ଘଟିଥିବା ବ୍ୟବସାୟୀ ମହାସଂଘ କହିଛି ।

Comments are closed.