ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍ଗ ବ୍ୟକ୍ତିଗତ ସହାୟକ ଧନେଶ୍ଵର ବାରିକଙ୍କୁ ଗିରଫ କରିଛି ପୁଲିସ। ଅପରାଜିତାଙ୍କ ସମ୍ପର୍କରେ ‘ନିଖୋଜ’ ପୋଷ୍ଟର ମରାଯିବା ସମୟରେ ଘଟିଥିବା ଗଣ୍ଡଗୋଳ ମାମଲାରେ ଲକ୍ଷ୍ମୀସାଗର ପୁଲିସ ଧନେଶ୍ଵରଙ୍କ ସମେତ ଜ୍ୟୋତିରଞ୍ଜନ ପଣ୍ଡା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଗତ ବୁଧବାର ବିଳମ୍ୱିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କିଛି ବ୍ୟକ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଖୋଜ ଥିବା ନେଇ ‘ପୋଷ୍ଟର ମାରୁଥିଲେ। ଏ ସମ୍ପର୍କରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ଓ ଜ୍ୟୋତିରଞ୍ଜନ ଖବର ପାଇ ସେଠାରେ ପହଞ୍ଚିଥିଲେ। ଧନେଶ୍ଵର ଏବଂ ଜ୍ୟୋତିରଞ୍ଜନ ସେମାନଙ୍କୁ ବିରୋଧ କରିବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
ପୋଷ୍ଟର ଲଗାଉଥିବା ବ୍ୟକ୍ତିମାନେ ବିଜେଡ଼ି ସମର୍ଥକ ବୋଲି କୁହାଯାଉଛି। ତେବେ ଘଟଣା ସମୟରେ ସେମାନେ ଧନେଶ୍ଵରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଧନେଶ୍ୱରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ତେବେ ଗୁରୁବାର ପୁଲିସ ଧନେଶ୍ଵରଙ୍କୁ ଗିରଫ କରିଛି।