ନୌସେନାରେ ସାମିଲ ହେଲା କ୍ଷେପଣାସ୍ତ୍ର ବିଧ୍ବଂସୀ ଯୁଦ୍ଧପୋତ ‘ପି୧୫ବି’

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ‘ପି୧୫ବି’ କ୍ଷେପଣାସ୍ତ୍ର ବିଧ୍ବଂସୀ ଯୁଦ୍ଧପୋତ ସାମିଲ ହୋଇଛି। ‘ପି୧୫ବି’ ବର୍ଗର ୪ଟି ଯୁଦ୍ଧପୋତ ନୌସେନାକୁ ମିଳିବାକୁ ଥିବାବେଳେ ପ୍ରଥମ ଯୁଦ୍ଧପୋତକୁ ଗୁରୁବାର ବିଧିବଦ୍ଧ ଭାବେ ନୌସେନାରେ ସାମିଲ କରାଯାଇଛି। ଯୁଦ୍ଧପୋତ ସାମିଲ ସମ୍ପର୍କରେ ନୌସେନା ପକ୍ଷରୁ ଶନିବାର ସାର୍ବଜନୀନ ସୂଚନା ଦିଆଯାଇଛି। ‘ପି୧୫ବି’ ଯୁଦ୍ଧପୋତକୁ ମାଜାଗାଓଁ ଡକ୍‌ୟାର୍ଡ ଲିମିଟେଡ ଦ୍ବାରା ନିର୍ମାଣ କରାଯାଇଛି। ଏହା ବିଶାଖାପାଟନମ୍ ବର୍ଗର ଯୁଦ୍ଧ ଜାହାଜ ଭାବେ ମଧ୍ୟ ପରିଚିତ। ୨୦୧୧ରେ ଏହି ବର୍ଗର ୪ଟି ଯୁଦ୍ଧ ଜାହାଜ ନିର୍ମାଣ ନିମନ୍ତେ ରାଜିନାମା ହୋଇଥିଲା। ନୌସେନାର ‘ଡାଇରେକ୍ଟୋରେଟ୍‌ ଅଫ୍‌ ନେଭାଲ୍‌ ଡିଜାଇନ୍‌’ ଦ୍ୱାରା ଏହି ଯୁଦ୍ଧପୋତର ନକ୍ସା ପ୍ରସ୍ତୁତ ହୋଇଥିଲା। ଏହି ଯୁଦ୍ଧପୋତ ମୁମ୍ବାଇର ମାଜଗାଓଁ ଡକ୍‌ ସିପ୍‌ବିଲଡର୍‌ର୍ସ ଲିମିଟେଡ୍‌ରେ ନିର୍ମିତ। ଏହି ୪ଟି ଯୁଦ୍ଧପୋତ ଦେଶର ଚାରି ପ୍ରାନ୍ତରେ ଥିବା ୪ଟି ପ୍ରମୁଖ ନଗରୀ ବିଶାଖାପାଟଣା, ମୋର୍ଗୁଗାଓ, ଇମ୍ଫାଲ୍‌ ଏବଂ ସୁରତ ନାମରେ ନାମିତ। ଏହି ଯୁଦ୍ଧପୋତର ଲମ୍ବ ୧୬୩ ମିଟର। ଏହା ୭,୪୦୦ ଟନ୍‌ ଓଜନ ବହନ କରି ୩୦ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଏହାର ୭୫% ଯନ୍ତ୍ରାଂଶ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି। ଏଥିରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ବର୍ଗର କ୍ଷେପଣାସ୍ତ୍ର ବିଇଏଲ୍ ବାଙ୍ଗାଲୋର, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବ୍ରହ୍ମସ ଏରୋସ୍ପେସ୍, ସ୍ବଦେଶୀ ଟେର୍ପେଡୋ ଟ୍ୟୁବ୍ ଲାର୍ସନ, ବୁଡା ଜାହାଜ ବିଧ୍ବଂସୀ ରକେଟ୍‌ ଲଞ୍ଚର, ୭୬ ଏମଏମ୍ ସୁପର ରାପିଡ ଗନ୍‌ ମାଉଣ୍ଟ ଆଦି ଅସ୍ତ୍ରଶସ୍ତ୍ର ସଂଯୋଗ କରାଯାଇଛି।

Comments are closed.