ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟାକୁ ଉପେକ୍ଷା କରାଯାଇଛି

0

କଲକାତା : ରାଫେଲ୍‍ ଯୁଦ୍ଧବିମାନ କ୍ରୟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସର ଆକ୍ରମଣକୁ ଜୋରଦାର କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଦଳୀୟ ନେତା ପି. ଚିଦମ୍ବରମ୍‍। ସେ ଅଭିଯୋଗ କରିଛନ୍ତି ଯେ ରାଫେଲ୍‍ କାରବାରରେ କେନ୍ଦ୍ର ସରକାର ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ଉପେକ୍ଷା କରିଛନ୍ତି। ତତ୍‍ସମ୍ବନ୍ଧୀୟ ବିଭିନ୍ନ କମିଟିକୁ ସୂଚନା ନ ଦେଇ ସରକାର ରାଫେଲ୍‍ କାରବାର ଚୂଡାନ୍ତ କରିଛନ୍ତି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ତାହାର ସତ୍ୟାସତ୍ୟ ତଦନ୍ତ ହେବାର ଦରକାର ବୋଲି ଚିଦମ୍ବରମ କହିଛନ୍ତି। କଂଗ୍ରେସ ରାଫେଲ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରୁଛି। ରାଫେଲ କ୍ରୟ ବେଳେ ଉଦ୍ଦିଷ୍ଟ ପ୍ରକ୍ରିୟା ଅବଲମ୍ବନରେ କାହିଁକି ଅବହେଳା କରାଗଲା ଏବଂ ରାଜିନାମା ତଥା ମୂଲ୍ୟ ମୂଲଚାଲ କମିଟିକୁ କାହିଁକି ଅନ୍ଧାରରେ ରଖାଗଲା କେନ୍ଦ୍ର ସରକାରଙ୍କୁ ତାହାର ଜବାବ୍‍ ଦେବାକୁ ହେବ ବୋଲି କଲକାତାସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଶନିବାର ଚିଦାମ୍ବରମ୍‍ ଦୃଢ କଣ୍ଠରେ କହିଛନ୍ତି। ନିରାପତ୍ତା ସମ୍ବନ୍ଧୀୟ କ୍ୟାବିନେଟ୍‍ କମିଟିକୁ ମଧ୍ୟ କେନ୍ଦ୍ର ସରକାର ଏ ସମ୍ବନ୍ଧରେ କୌଣସି ସୂଚନା ପ୍ରଦାନ କରି ନ ଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଅଧିକ ମୂଲ୍ୟରେ ଫ୍ରାନ୍ସର ଡାସଲ୍‍ଟ ଆଭିଏସନ୍‍ଠାରୁ ୩୬ଟି ରାଫେଲ୍‍ ଯୁଦ୍ଧ ବିମାନ କିଣିବାକୁ ରାଜିନାମା ସ୍ୱାକ୍ଷର କରିଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ରାଫେଲ୍‍ର ସତ୍ୟାସତ୍ୟ ପ୍ରକାଶ କରିବ ନିମନ୍ତେ କଂଗ୍ରେସ ଏହି ପ୍ରସଙ୍ଗ ଉପରେ ବିଭିନ୍ନ ସ୍ତରରେ ଆଲୋଚନା କରିବା ଅଭିଯାନ ଆରମ୍ଭ କରିଛି। ୟୁପିଏ ସରକାର ପ୍ରତ୍ୟେକ ରାଫେଲ ବିମାନକୁ ୫୨୬ କୋଟି ଟଙ୍କାରେ କ୍ରୟ କରିବାକୁ ଚୁକ୍ତି କରିଥିବା ବେଳେ ସେଥିରେ ପରିବର୍ତ୍ତନ କରି ଏନ୍‍ଡିଏ ସରକାର ଗୋଟିଏ ବିମାନକୁ ୧,୬୭୦ କୋଟି ଟଙ୍କାରେ କିଣିବାକୁ ରାଜିନାମା ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ସରକାର କାହିଁକି ତିନିଗୁଣା ଅଧିକ ମୂଲ୍ୟରେ ଏହି ବିମାନ କ୍ରୟ କରୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଚିଦମ୍ବରମ୍‍ ଦର୍ଶାଇଛନ୍ତି।
ଅନ୍ୟପଟେ ୧୯୮୪ ଶିଖ୍‍ ଦଙ୍ଗା ମାମଲାକୁ ନେଇ ବିଜେପିର ସମାଲୋଚନା ପରିପ୍ରେକ୍ଷୀରେ ଚିଦମ୍ବରମ୍‍ କଂଗ୍ରେସ୍‍ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ୧୯୮୪ରେ କଂଗ୍ରେସ କ୍ଷମତାରେ ଥିଲା। ତତ୍‍ସମୟରେ ଭୟଙ୍କର ଘଟଣା ଘଟିଥିଲା, ଯାହା ପାଇଁ ମନମୋହନ ସିଂ ସଂସଦରେ କ୍ଷମାପ୍ରାର୍ଥନା କରିଥିଲେ। ରାହୁଲ ସେତେବେଳେ ମାତ୍ର ୧୩ରୁ ୧୪ ବର୍ଷ ବୟସ୍କ ନାବାଳକ ଥିଲେ। ଏଣୁ ଉକ୍ତ ଦଙ୍ଗା ପାଇଁ ତାଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ସମ୍ପ୍ରତି ୟୁରୋପ ଗସ୍ତରେ ଥିବା ରାହୁଲ ସେଠାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ୧୮୯୪ ଦଙ୍ଗା ଘଟଣା ଅତ୍ୟନ୍ତ କଷ୍ଟକର ଅନୁଭୂତି। କାହାରି ବିରୋଧରେ ହିଂସା ଘଟାଇବା ସମ୍ପୂର୍ଣ୍ଣ ଭୁଲ୍‍। ଗୁରୁ ନାନକ ଦେବଙ୍କଠାରୁ କଂଗ୍ରେସ ବିବିଧତା ମଧ୍ୟରେ ଏକତାର ବିଚାରଧାରା ଶିକ୍ଷାଲାଭ କରିଛି। ଏଥିସହ ରାହୁଲ ଉକ୍ତ ହିଂସାରେ କଂଗ୍ରେସର ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ। ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାହୁଲଙ୍କୁ ସମାଲୋଚନା କରିଥିଲା। ୧୯୮୪ ଦଙ୍ଗା ଘଟାଇଥିବା ରାଜନୈତିକ ଦଳର ସଦସ୍ୟ ହୋଇ ରାହୁଲ ନିଜକୁ ଗୁରୁ ନାନକଙ୍କ ସହିତ ଯୋଡିବା ଉଚିତ ନୁହେଁ। ଏହି ମନ୍ତବ୍ୟ ପାଇଁ ରାହୁଲ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା।

Leave A Reply