ଚିଦାମ୍ବରମଙ୍କୁ ଜାମିନ, ଇଡି ମାମଲାରେ ଜେଲରେ ରହିବେ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଜାମିନ ମିଳିଛି। ମଙ୍ଗଳବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ତେବେ ଚିଦାମ୍ବରମ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ବିଚାରପତି ଆର. ବାନୁମତିଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଚିଦାମ୍ବରମଙ୍କ ଆବେଦନର ଶୁଣାଣି କରି ଜାମିନ ପ୍ରଦାନ କରିଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଚିଦାମ୍ବରମ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଅନ୍ୟପଟେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ଆର୍ଥିକ ଦିଗ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଛି। ଇଡି ଦ୍ବାରା ଗିରଫ ହେବା ପରେ ଚିଦାମ୍ବରମ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ। ତେଣୁ ଇଡି ମାମଲାରେ ଜାମିନ ପାଇବାକୁ ହେଲେ ପୁଣି ଥରେ ତାଙ୍କୁ କୋର୍ଟରେ ଜାମିନ ଆବେଦନ କରିବାକୁ ପଡ଼ିବ।

Comments are closed.