ଜଙ୍ଗଳା ଗ୍ରାମ ପଞ୍ଚାୟତ ; ରାସ୍ତାଘାଟ. ପିଇବା ଓ ଗାଧୋଇବା ପାଣି ମୁଖ୍ୟ ସମସ୍ୟା

ରେଙ୍ଗାଲି :  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ର ଜଙ୍ଗଳା ଗ୍ରାମ ପଞ୍ଚାୟତ ଏକ ଅଦିବାସୀ ବହୁଳ ପଞ୍ଚାୟତ । ବିଗତ ଦିନରେ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ନିର୍ବାଚନରେ ଏହି ପଞ୍ଚାୟତରୁ ଓଡିଶା ବିଧାନସଭାକୁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ, ବ୍ଳକ୍ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦବୀ ଭଳି ଗୁରୁତ୍ୱପୂର୍ଣ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଯେ ଏପର୍ଯ୍ୟନ୍ତ ଏହି ପଞ୍ଚାୟତର ପିଇବା ଓ ଗାଧୋଇବା ପାଣି, ରାସ୍ତାଘାଟ ଭଲି ସର୍ବନିମ୍ନ ମୌଳିକ ସମସ୍ୟା ଅସମାହିତ ହୋଇ ପଡିରହି ଯାଇଛି । ସିଂହଭାଗ ଅଞ୍ଚଳର ଗମନାଗମନ ପାଇଁ ଥିବା ରାସ୍ତା ଥାଇ ନଥିଲା ସଦୃଶ । ଅଧିକାଂଶ ରାସ୍ତା ଅତି ଅପନ୍ତରା ହୋଇ ପଡିରହିଛି । ପିଇବାପାଣି ଏବଂ ଗାଧୋଇବା ପାଣି ପାଇଁ ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଅନେକ ଗ୍ରାମର ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତି ନିର୍ବାଚନରେ ଏସବୁ ମୌଳିକ ସମସ୍ୟାର ସମାଧାନ କରାଯିବ ବୋଲି ନେତା ମାନେ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିଗଲା ପରେ ସବୁ ପ୍ରତରିଶ୍ରୁତି ଭୁଲି ଯାଆନ୍ତି ବୋଲି ଲୋକେ କ୍ଷୋଭ ପ୍ରକାଶ କରୁଛନ୍ତି।
ଜଙ୍ଗଳା, ଭୁର୍ଷିପାଲି ଏବଂ ଭୁଏପାଲି ୩ଟି ରାଜସ୍ୱ ଗ୍ରାମର  ୧୧ଟି ୱାର୍ଡକୁ ନେଇ ଗଠିତ ହୋଇଛି ଜଙ୍ଗଳା ଗ୍ରାମ ପଞ୍ଚାୟତ । ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରୁ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଲୁଧାପଲି ଛକରୁ ସିଠାପଡା, କର୍ଲାବୁଡିଆ, ଭୁଏପାଲି, ଚନ୍ଦାମାଲ ଦେଇ ଢର୍ରୋପାଣି ଛକକୁ ସଂଯୋଗ କରୁଥିବା ୧୦ କିଲୋମିଟର ରାସ୍ତା ହେଉଛି ଏହି ପଞ୍ଚାୟତର ଅନ୍ୟତମ ମୁଖ୍ୟ ତଥା ଗୁରୁତ୍ୱପୂର୍ଣ ରାସ୍ତା । ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ଏହି ରାସ୍ତା ଅସଂଖ୍ୟ ଖାଲଖମାରେ ପରିପୂର୍ଣ ହୋଇ ପଡିରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହି ରସ୍ତାକୁ ସାମିଲ କରି ରାସ୍ତାର ପୁନଃନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଲୋକେ ଦାବୀ କରୁଥିଲେ ମଧ୍ୟ ଏଥିପ୍ରତି ନେତା କି ପ୍ରଶାସନର ନିଘା ନାହିଁ। ପଞ୍ଚାୟତ ଏବଂ ବ୍ଳକ୍ ମିଟିିଂରେ ଏସଂକ୍ରାନ୍ତରେ ପ୍ରସ୍ତାବ ଗୃହୀତ ହୋଇଥିବା ସତ୍ତ୍ବେ ରାସ୍ତାର ପୁନଃ ନିର୍ମାଣ ହେଉ ନାହିଁ। ଏହିପଞ୍ଚାୟତର ଏତୁଆପଡା ଗ୍ରାମର ଅଧିବାସୀଙ୍କ ମଧ୍ୟରୁ ଅଧା ପରିବାରଙ୍କ ନାମ ଜଙ୍ଗଳା ପଞ୍ଚାୟତର ଭୋଟର ତାଳିକାରେ ଥିବା ବଳେ ଆଉ ଅଧା ପରିବାରର ନାମ ବମାଲୋଇ ଗ୍ରାମ ପଞ୍ଚାୟତର ଭୋଟର ତାଲିକାରେ ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଦୁଇ ପଞ୍ଚାୟତର ଅଧିବାସୀ ହୋଇଥିବା ଏତୁଆପଡାଙ୍କ ପାଇଁ ଜଙ୍ଗଳା ପଞ୍ଚାୟତ ସଦର ମହକୁମାକୁ ରାସ୍ତା ନାହିଁ କି ବମାଲୋଇ ପଞ୍ଚାୟତକୁ  ଯିବା ପାଇଁ ରାସ୍ତା ନାହିଁ। ଠିକ୍ ସେହିପରି ଚୁନ୍ଦାପଡା, ସିଠାପଡା, କର୍ଲା ବୁଡିଆ, ଚନ୍ଦାମାଲ ଭୁଏପାଲି, ମାଳକିଟିକ୍ରା, ଶିବମନ୍ଦିରପଡା ଆଦି ଗ୍ରାମରୁ ପଞ୍ଚାୟତ ସଦର ମହକୁମାକୁ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତା ନାହିଁ । ଯେଉଁ ରାସ୍ତା ଅଛି ଅତି ସଂକିର୍ଣ୍ଣ  ତଥା ଅଣଓସାରିଆ। ଚନ୍ଦାମାଲ ଏବଂ ଟେପପଡାରୁ ଭୁଏପାଲି ରାସ୍ତା ଅତି ଶୋଚନୀୟ। ସରକାର ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ଏବଂ ଟ୍ୟାପ୍ ଟୁ ହୋମ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଏହି ପଞ୍ଚାୟତର ଜଙ୍ଗଳା ଏବଂ ଭୁର୍ଷିପାଲି ବ୍ୟତୀତ ଆଉ କୌଣସି ଗ୍ରାମରେ ଏହି ଯୋଜନାରୁ ପିଇବା ପାଣି ଯୋଗାଣର ବ୍ୟବସ୍ଥା ହୋଇ ପାରି ନାହିଁ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଏହି ପଞ୍ଚାୟତର ସିଠାପଡା, କର୍ଲାବୁଡିଆ,ଏତୁଆପଡା, ଟେପପଡା, ଚନ୍ଦାମାଲ, ଭୁଏପାଲି, ଚୁନ୍ଦାପଡା ଆଦି ଗ୍ରାମର ଲୋକେ ପିଇବା ଏବଂ ଗାଧୋଇବା ପାଣି ପାଇଁ ଘୋର ଅସୁବିଧା ର ସମ୍ମୁଖିନ ହେଉଛନ୍ତି।
ଜଙ୍ଗଳା ଗ୍ରାମ ପଞ୍ଚାୟତରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ହିରାକୁଦ ଜଳ ଭଣ୍ଡାରରୁ ମେଗା ଜଳ ସେଚନ ସେଚନ ଯୋଜନାରେ ଏହି ପଞ୍ଚାୟତର ଚାଷ ଜମିକୁ ଆସିଥିବା ପାଇପ୍ ଲାଇନରେ ତୃଟି ଯୋଗୁଁ, ମାତ୍ର ଶତକଡା ୧୦/୧୨ ଭାଗ ଜମି ଜଳ ସେଚିତ ହୋଇ ପାରୁଛି । ବାକି ଜମି ବର୍ଷା ଜଳ ଭରସାରେ ଚାଷ ହେଉଥିବାରୁ ଚାଷୀ ଅନିୟମିତ ବର୍ଷା ଯୋଗୁଁ ପ୍ରତତିବର୍ଷ ବ୍ୟବଧାନରେ ମରୁଡିର ଶିକାର ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି । ବ୍ଳକର ପ୍ରାୟ ପଞ୍ଚାୟତର ବିଭିନ୍ନ ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇ ସାରିଥିବା ବେଳେ ଏହି ପଞ୍ଚାୟତର କୌଣସି ଗ୍ରାମରେ ଅଦ୍ୟାବଧି କଲ୍ୟାଣ ମଣ୍ଡପ ନିର୍ମାଣ ହୋଇନାହିଁ । ଫଳରେ ସାମାଜିକ ଏବଂ ସାମୁହିକ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ୟା ସୃଷ୍ଟି ହେଉଛି।

Comments are closed.